ରାଜସ୍ଥାନ ରାଜନୀତି

Get real time updates directly on you device, subscribe now.

ଜୟପୁର/ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଗତକାଲି ସାନି ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରାଯାଇଛି । ଅଧିବେଶନରେ କରୋନା ଭାଇରସ୍ ସଂକ୍ରମଣ ଓ ଅନ୍ୟାନ୍ୟ ବିଲ୍ ଉପରେ ଆଲୋଚନା କରାଯିବା ବିଷୟ ଉଲ୍ଲେଖ କରାଯାଇଛି । କିନ୍ତୁ ସେଥିରେ ବିଧାନସଭା ଅଧିବେଶନ ଡକାଯିବାର କାରଣ କିମ୍ବା ଆସ୍ଥା ଭୋଟ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ । ତେବେ ଏହା ଉପରେ ଅନୁଧ୍ୟାନ କରି ଦେଖିବେ ବୋଲି ରାଜ୍ୟପାଳ କହିଛନ୍ତି । ଇତିମଧ୍ୟରେ କଂଗ୍ରେସ ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣା ପାଇଁ ବିଜେପିକୁ ଦାୟୀ କରିବା ସହ ସୋମବାର ଦେଶବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ ସମାବେଶ କରିବ ବୋଲି ଘୋଷଣା କରିଛି ।
ସେପଟେ ଆସନ୍ତାକାଲି (ସୋମବାର) ରାଜସ୍ଥାନର ରାଜନୈତିକ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ସି.ପି ଯୋଶୀ ଜାରି କରିଥିବା ଅଯୋଗ୍ୟ ଘୋଷଣା ନୋଟିସ ଉପରେ ପୂର୍ବାହ୍ନ ୧୧ଟାରେ ଶୁଣାଣି ହେବ । ୧୯ ଜଣ ବିଦ୍ରୋହୀ ବିଧାୟକ ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରିବା ଓ ଦଳୀୟ ହୁଇପ୍କୁ ନ ମାନିବାରୁ ସେମାନଙ୍କୁ ବିଧାନସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସ ଚାହୁଁଛି । ମାତ୍ର ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ବିଦ୍ରୋହୀ ବିଧାୟକମାନେ ହାଇକୋର୍ଟରେ ଚାଲେଞ୍ଜ କରିବା ପରେ ହାଇକୋର୍ଟ ସେମାନଙ୍କୁ ବର୍ତ୍ତମାନ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ ବୋଲି କହିଥିଲେ । ଯେହେତୁ ମାମଲା ସୁପି୍ରମକୋର୍ଟରେ ବିଚାରାଧୀନ ରହିଛି ତେଣୁ ଫଇସଲା ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ କହିଥିଲେ । ମାତ୍ର ହାଇକୋର୍ଟଙ୍କ ଏହି ରାୟକୁ ବାଚସ୍ପତି ସୁପି୍ରମକୋର୍ଟରେ ଚାଲେଞ୍ଜ କରିଛନ୍ତି । ଅନ୍ୟପକ୍ଷରେ ଏହି ମାମଲାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । କିଛି ବିଧାୟକ କୋର୍ଟରେ ନୁହେଁ, ବରଂ ରାଜନୈତିକ ପ୍ରକ୍ରିୟାରେ ବିବାଦର ସମାଧାନ କରିବାକୁ କହିଛନ୍ତି । ତେଣୁ ସେମାନେ କୋର୍ଟରୁ ପିଟିସନ ପ୍ରତ୍ୟାହାର କରିବାକୁ ଚାହିଁଛନ୍ତି । ଅନ୍ୟ କିଛି ବିଧାୟକ କୋର୍ଟର ଫଇସଲା ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ରାଜସ୍ଥାନରେ ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକ ବିଦ୍ରୋହ କରିବା ପରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସଙ୍କଟ ସୃଷ୍ଟି ହୋଇଛି । ତେବେ ବିଧାନସଭା ଅଧିବେଶନ ତୁରନ୍ତ ଡକାଇ ନିଜର ଆସ୍ଥା ଭୋଟ କରିବାକୁ ଚାହୁଁଥିବା ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ ଶୁକ୍ରବାର ପ୍ରତ୍ୟାଖ୍ୟାନ କରିଦେବା ପରେ ରାଜ୍ୟର ରାଜନୀତି ନୂଆମୋଡ ନେଇଥିଲା । ଗୁରୁବାର ରାତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ପ୍ରସ୍ତାବ ଦିଆଯାଇ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଅନୁରୋଧ କରାଯାଇଥିଲା । ତେବେ ରାଜ୍ୟପାଳ ଏତେଶୀଘ୍ର ଅଧିବେଶନ ଡକାଯାଇପାରିବ ନାହିଁ ବୋଲି କହିବା ସହ ୨୧ ଦିନ ପୂର୍ବରୁ ସୂଚିତ କରିବାର ଥିଲା ବୋଲି ଜଣାଇଥିଲେ । ଯାହାକୁ କେନ୍ଦ୍ରକରି ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳଙ୍କ ବିବାଦ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସ ବିଧାୟକମାନେ ରାଜଭବନରେ ଧାରଣା ଦେଇଥିଲେ । ତେବେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ସେ ପଦକ୍ଷେପ ନେବେ ବୋଲି ରାଜ୍ୟପାଳ କହିବା ସହ ସାନି ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ୫ ଘଣ୍ଟା ପରେ ଧାରଣାରୁ ହଟିଥିଲେ । ଶନିବାର ଗେହଲଟ କହିଥିଲେ କି ଯଦି ରାଜ୍ୟପାଳ ବିଧାନସଭା ଅଧିବେଶନ ନ ଡାକନ୍ତି ତେବେ ସେମାନେ ରାଜଭବନରେ ଧାରଣା ଦେବେ । ଆବଶ୍ୟକ ପଡିଲେ ସେମାନେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons