ରାଜେଶ, ପ୍ରିୟଙ୍କା କ୍ରିକେଟର୍ ଅଫ୍ ଦ ଇୟର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ରାଜ୍ୟର ଅଗ୍ରଣୀ କ୍ରୀଡ଼ାନୁଷ୍ଠାନ ସହିଦ ସ୍ପୋର୍ଟିଂ କ୍ଲବ୍ର ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୦୧୮/୧୯ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶାର ଦୁଇ ପ୍ରତିଭାବାନ୍ ଖେଳାଳି ରାଜେଶ ମହାନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ୍ ଇଣ୍ଡିଆ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି । ରାଜେଶ ରାଜ୍ୟର ୨୭ତମ ପୁରୁଷ କ୍ରିକେଟର ଏବଂ ପ୍ରିୟଙ୍କା ଷଷ୍ଠ ମହିଳା କ୍ରିକେଟର ଭାବେ ଏହି ପୁରସ୍କାର ପାଇଛନ୍ତି ।
ସହିଦ ସ୍ପୋର୍ଟିଂ କ୍ଲବ୍ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜେଶ ଓ ପ୍ରିୟଙ୍କାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କ୍ରୀଡ଼ା ପୁରସ୍କାର ପ୍ରାୟୋଜକ ତଥା ମାରୁତି ଇଷ୍ଟେଟ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
୨୦୧୮-୧୯ ସିଜନରେ ରଣଜୀ ଟ୍ରଫିରେ ସଫଳ ପ୍ରଦର୍ଶନ ପାଇଁ ରାଜେଶଙ୍କୁ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ ତାଙ୍କୁ ଟ୍ରଫି, ବ୍ଲେଜର ସମେତ ୩୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ସେହିପରି ଗତ ସିଜନରେ ସଫଳ ପ୍ରଦର୍ଶନ ପାଇଁ ପ୍ରିୟଙ୍କାଙ୍କୁ ଷଷ୍ଠ ମହିଳା କ୍ରିକେଟର ଅଫ୍ ଦ ଇୟର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ତାଙ୍କୁ ଟ୍ରଫି, ବ୍ଲେଜର ସମେତ ୩୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଏହାଛଡ଼ା ଉଭୟ ଖେଳାଳିଙ୍କୁ ପ୍ରସିଦ୍ଧ ବ୍ରାଣ୍ଡ ଓକ୍ଲେର ସନ୍ ଗ୍ଲାସ ପ୍ରଦାନ କରାଯାଇଥିଲା ।
୧୮ ବର୍ଷିୟ ରାଜେଶ ଗତ ରଣଜୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ୪୦ଟି ୱିକେଟ୍ ଅକ୍ତିଆର କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ଆସାମ ବିପକ୍ଷରେ ୧୧ଟି ୱିକେଟ୍ ନେଇଥିଲେ । ରଣଜୀ ଟ୍ରଫିରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଏହା ବ୍ୟତୀତ ସେ ସୟଦ ମୁସ୍ତାକ ଅଲ୍ଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ୍ ଖେଳି ୬ଟି ୱିକେଟ୍ ନେଇଥିଲେ । ରଣଜୀ ପଦାର୍ପଣ ପୂର୍ବରୁ ସେ ଭାରତୀୟ ୧୯ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ଢାକାରେ ଅନୁଷ୍ଠିତ ଏସିଆ କପ୍ ଖେଳିଥିଲେ । ରାମେଶ୍ୱର ସ୍ପୋର୍ଟିଂସ୍ କ୍ଲବ୍ରେ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ରାଜେଶ ମହାନ୍ତିଙ୍କୁ ଘରୋଇ ଗ୍ରିକେଟ୍ରେ ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଏମ୍ଆରଏଫ୍ ପେସ୍ ଫାଉଣ୍ଡେସନ୍ରେ ପ୍ରଶିକ୍ଷଣ ନେବାକୁ ମନୋନୀତ ହୋଇଥିଲେ । ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପେସ୍ ବୋଲର ଗ୍ଲେନ୍ ମ୍ୟାକ୍ ଗ୍ରା’ ବର୍ତ୍ତମାନ ଏହାର ନିର୍ଦ୍ଦେଶକ ରହିଛନ୍ତି । ରାଜେଶଙ୍କୁ ସ୍ଥାୟୀ ପ୍ରଶିକ୍ଷାର୍ଥୀ ଭାବେ ତାଲିମ ନେବାକୁ ଫାଉଣ୍ଡେସନ୍ ଚୟନ କରିଛି । ଆଗାମୀ ଦୁଲୀପ ଟ୍ରଫି ପାଇଁ ମଧ୍ୟ ରାଜେଶଙ୍କୁ ଇଣ୍ଡିଆ ଗ୍ରୀନ୍ ଦଳରେ ସ୍ଥାନ ମିଳିଛି । କ୍ରୀଡ଼ା ସାମ୍ବାଦିକ ସତାତନ ପାଣି, ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମ୍ବିତ ମହାପାତ୍ର, ସମୀକ୍ଷା ପଟ୍ଟନାୟକ, ସଞ୍ଜୀବ ବିଶ୍ୱାଳ, ତପନ ସ୍ୱାଇଁ, ନିରଞ୍ଜନ ରେଡ୍ଡୀ, ଉମାକାନ୍ତ ମିଶ୍ର ଓ ସମୀର ରାଉତ ଏବଂ ମାରୁତି ଇଷ୍ଟେଟ ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ଓ କ୍ଲବ୍ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଚୟନ କମିଟି ୨୦୧୮-୧୯ ସିଜନର ପୁରସ୍କାର ପାଇଁ ତାରକା ଖେଳାଳି ରାଜେଶ ଓ ପ୍ରିୟଙ୍କାଙ୍କୁ ମନୋନୀତ କରିଥିଲେ ।
ରାଜ୍ୟର କ୍ରିକେଟ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୧୯୯୨-୯୩ରୁ ସହିଦ ସ୍ପୋର୍ଟିଂ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ୧୯୯୨-୯୩ ସିଜନରେ ରଞ୍ଜୀବ ବିଶ୍ୱାଳ ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ପାଇଥିଲେ । ୨୦୧୩-୧୪ ସିଜନରୁ ପ୍ରଥମଥର ମହିଳା କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯିବାର ଧାରା ଆରମ୍ଭ ହୋଇଥିଲା । ମାଧୁରୀ ମେହେଟ୍ଟା ପ୍ରଥମ ମହିଳା ଭାବେ ଏହି ପୁରସ୍କାର ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons