ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ ଲାଗୁ କରାଯାଇଛି । ହେଲେ ଲୋକମାନେ ତାକୁ ମାନୁନାହାନ୍ତି । ସେମାନେ ଅନାବଶ୍ୟକ ଭାବେ ବାହାରକୁ ଆସି ବୁଲାବୁଲି କରୁଛନ୍ତି । ଏଭଳି ସ୍ଥିତିରେ କର୍ଫୁ୍ୟ ଲାଗୁ କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଦେ୍ର୍ଧଶ ଦେଇଛନ୍ତି ।
କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯିବାର ଆବଶ୍ୟକତା ମଧ୍ୟ ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କର କିଛି ବରିÂ ଅଧିକାରୀ ମଙ୍ଗଳବାର କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିବା ଅବସରରେ ଏଭଳି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନଙ୍କୁ କୁହାଯାଇଛି କି ବାହାରେ ଯଦି ଅଧିକ ଲୋକ ଚଳପ୍ରଚଳ କରନ୍ତି ତେବେ କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି । କାରଣ ଦେଶରେ ଏହି ରୋଗ ଦ୍ରୁତଗତିରେ ସଂକ୍ରମିତ ହେବାରେ ଲାଗିଛି । ଏବେ ସୁଦ୍ଧା ଏଥିରେ ପ୍ରାୟ ୫୦୦ ଲୋକ ସଂକ୍ରମିତ ହୋଇସାରିଲେଣି । ତେଣୁ ଲୋକମାନେ ଯଦି ଲକ୍ଡାଉନକୁ ମାନୁନାହାନ୍ତି ତେବେ ତୁରନ୍ତ କର୍ଫୁ୍ୟ ଲାଗୁ କରିବାକୁ ଜିଲ୍ଲା ମାଜିଷ୍ଟେ୍ରଟଙ୍କୁ ଆଦେଶ ଦେବାକୁ ସେମାନେ ରାଜ୍ୟ ସରକାରଙ୍କୁ କହିଛନ୍ତି । ମହାରାଷ୍ଟ୍ର, ପଞ୍ଜାବ, ଚଣ୍ଡିଗଡ, ହରିଆଣା, ହିମାଚଳପ୍ରଦେଶ ଓ ପୁଡୁଚେରୀ ଭଳି କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ନିଜ ରାଜ୍ୟରେ କର୍ଫୁ୍ୟ ଲଗାଇସାରିଛନ୍ତି ।
କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ସ୍ୱତନ୍ତ୍ର ହସ୍ପିଟାଲ ଚିହ୍ନଟ କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହି ମର୍ମରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ହସ୍ପିଟାଲର ଆବଶ୍ୟକତା ରହିଛି । ତେଣୁ ନିଜ ରାଜ୍ୟରେ ଏଭଳି ହସ୍ପିଟାଲର ବ୍ୟବସ୍ଥା କରାଯିବା ଦରକାର । ସେଠାରେ ସବୁ କରୋନା ପଜିଟିଭ୍ଙ୍କୁ ଚିକିତ୍ସା କରାଯିବା ସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସନ୍ଦିଗ୍ଧମାନଙ୍କୁ ତୁରନ୍ତ ଚିହ୍ନଟ କରି ହସ୍ପିଟାଲରେ ଭର୍ତ୍ତି କରିବାକୁ ମଧ୍ୟ ଚିଠିରେ କୁହାଯାଇଛି । କୌଣସି ଜଣେ ହେଲେ ସନ୍ଦିଗ୍ଧଙ୍କୁ ବିନା ପରୀକ୍ଷାରେ ନ ଛାଡିବା ଲାଗି ପରାମର୍ଶ ଦିଆଯାଇଛି । ତା’ଛଡା ସଂକ୍ରମଣ ବୃଦ୍ଧି ପାଇଲେ ତାକୁ କିଭଳି ମୁକାବିଲା କରାଯାଇପାରିବ ସେହି ଦିଗରେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରହିବାକୁ ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।
ସେହିଭଳି ପ୍ରାଣୀ ଚିକିତ୍ସାଳୟ ଓ କ୍ଲିନିକଗୁଡିକୁ ଖୋଲା ରଖିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏଗୁଡିକ ଯେଭଳି ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ସେହି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ପ୍ରାଣୀ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ ସହାୟକମାନେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ରାଜ୍ୟରେ ଥିବା ଘରୋଇ ପ୍ରାଣୀ ଚିକିତ୍ସାଳୟ ଓ କ୍ଲିନିକଗୁଡିକୁ ଚାଲୁ କରିବାକୁ ମଧ୍ୟ କୁହାଯାଇଛି । ଏହାକୁ ଅତ୍ୟାବଶ୍ୟକ ସେବା ତାଲିକାରେ ସାମିଲ କରିବାକୁ କେନ୍ଦ୍ର ପଶୁପାଳନ, ଡାଏରୀ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ପରାମର୍ଶ ଦିଆଯାଇଛି ।
ଦେଶରେ ବର୍ତ୍ତମାନ ୩୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୪୮ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହୋଇଥିଲା ବେଳେ ଅନ୍ୟ ୩ଟି ରାଜ୍ୟରେ ୫୮ଟି ଜିଲ୍ଲାରେ ଲକ୍ଡାଉନ ହୋଇଛି । ଫଳରେ ୬୦୬ ଜିଲ୍ଲାରେ ଲକ୍ଡାଉନ କରାଯାଇଛି । ଭାରତରେ ମୋଟ ଜିଲ୍ଲା ସଂଖ୍ୟା ହେଉଛି ୭୨୮ । ପଞ୍ଜାବ ସରକାର ସୋମବାର ପ୍ରଥମ ରାଜ୍ୟ ଭାବେ ପୁରା ରାଜ୍ୟରେ କର୍ଫୁ୍ୟ ଲାଗୁ କରିଥିଲେ । ଏହା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପୁରା ରାଜ୍ୟରେ ସୋମବାର ମଧ୍ୟରାତ୍ରରୁ କର୍ଫୁ୍ୟ ଲାଗୁ କରାଯିବା ବିଷୟ ଘୋଷଣା କରିଥିଲେ । ପରେ ପରେ ଚଣ୍ଡିଗଡ, ହରିଆଣା, ପୁଡୁଚେରୀ ଓ ହିମାଚଳ ପ୍ରଦେଶ ସରକାର କର୍ଫୁ୍ୟ ଲଗାଇଥିଲେ । ଲୋକମାନେ ଲକ୍ଡାଉନକୁ ମାନୁ ନଥିବାରୁ ସମ୍ପୃକ୍ତ ରାଜ୍ୟ ଏଭଳି ପଦକ୍ଷେପ ନେଇଛନ୍ତି ।
ଇତିମଧ୍ୟରେ ଦେଶରେ କରୋନା ରୋଗୀସଂଖ୍ୟା ମଙ୍ଗଳବାର ୫୧୯ରେ ପହଞ୍ଚôଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି କି ଭାରତରେ ମୋଟ ୫୧୯ ଜଣ ରୋଗୀ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ଭିତରେ ୪୭୬ ଜଣ ଭାରତୀୟ ନାଗରିକ ହୋଇଥିଲା ବେଳେ ୪୩ ଜଣ ବିଦେଶୀ ନାଗରିକ ଅଛନ୍ତି । ଏହାବ୍ୟତୀତ ପୂର୍ବରୁ ବିଭିନ୍ନ ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୪୦ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଯାଇଛନ୍ତି । ସେହିଭଳି ଦେଶରେ ଏପର୍ଯ୍ୟନ୍ତ ମୋଟ ୧୦ ଜଣ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି ।


Comments are closed, but trackbacks and pingbacks are open.