ରାଜ୍ୟପାଳଙ୍କୁ ଅଙ୍ଗୁଳି ଉଠାଇଲେ ଉଦ୍ଧବ, କହିଲେ ବିଜେପିକୁ ମିଳିଲା ୪୮ ଘଣ୍ଟା ଶିବସେନା ବେଳକୁ ୨୪ କାହିଁକି ?

Get real time updates directly on you device, subscribe now.

ମୁମ୍ବାଇ : ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ସରକାର ଗଢିବା ଲାଗି ମହାରାଷ୍ଟ୍ର ରାଜନୀତିରେ ଉପୁଜିଥିବା ହଟଚମଟରେ ମଙ୍ଗଳବାର ବିରାମ ଲାଗିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ ସହ ସରକାର ଗଠନ ଲାଗି ସମସ୍ତ କଳ୍ପନାଜଳ୍ପନା ଅନ୍ତ ହୋଇଛି ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଗଣମାଧ୍ୟମକୁ ଭେଟିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ ଆଣିଛନ୍ତି।
ବିଜେପି ସରକାର ଗଠନରୁ ଓହରି ଯିବା ପରେ ରାଜ୍ୟପାଳ ସରକାର ଗଠନ ଲାଗି ଶିବସେନାକୁ ବିଚାର କରିବାକୁ କହିଥିଲେ। ଏଥିଲାଗି ୨୪ଘଣ୍ଟା ସମୟ ଦେଇଥିଲେ। ଆମକୁ ଏଥିଲାଗି ପୁରା ସମୟ ରାଜ୍ୟପାଳ ଦେଇନଥିବା ଉଦ୍ଧବ ଅଭିଯୋଗ କରିଛନ୍ତି। ଆମେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ଲାଗି ଆଗ୍ରହୀ ବୋଲି ଜଣାଇଥିଲୁ। ଏଥିଲାଗି ଆମେ ଏନସିପି ଓ କଂଗ୍ରେସ ସହ ସମ୍ପର୍କରେ ବି ଥିଲୁ। ମହାରାଷ୍ଟ୍ର ଭଳି ରାଜ୍ୟରେ ସରକାର ଗଢିବା ପିଲାଙ୍କ ଖେଳ ନୁହେଁ। ତେବେ ରାଜ୍ୟପାଳ ଆମକୁ ୬ ମାସ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ଉଦ୍ଧବ କହିଛନ୍ତି। ତେବେ ରାଜ୍ୟରେ ସରକାର ଗଠନର ସମସ୍ତ ବିକଳ୍ପ ଆମେ ନୁହେଁ ବିଜେପି ଶେଷ କରିଦେଇଥିବା ଉଦ୍ଧବ ସାମ୍ବାଦିକମାନଙ୍କୁ କହିଛନ୍ତି।
ଉଦ୍ଧବଙ୍କ ପରେ କଂଗ୍ରେସ ଓ ଏନସିପି ମଧ୍ୟ ସନ୍ଧ୍ୟାରେ ଗଣମାଧ୍ୟମକୁ ଭେଟିଛନ୍ତି। ସେମାନେ ମହାରାଷ୍ଟ୍ରରେ ପୁଣି ଥରେ ନିର୍ବାଚନ ଚାହୁଁ ନଥିବା କହିଛନ୍ତି। ତେବେ କଂଗ୍ରେସ ସହ ଆଲୋଚନା ଶେଷ ହେବା ପରେ ଶିବସେନା ସହ କଥାବାର୍ତ୍ତା କରାଯିବ ବୋଲି କହିଛି ଏନସିପି। ତେବେ ରାଜ୍ୟରେ ସରକାର ଗଠନ ଲାଗି ଏନସିପି ପ୍ରଥମେ ନିଜ ଆଡୁ ଶିବସେନା ଓ କଂଗ୍ରେସ ସହ ସମ୍ପର୍କ ସ୍ଥାପନା କରିଥିଲା ବୋଲି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ପଟେଲ କହିଛନ୍ତି।
ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ତେବେ ରାଜ୍ୟବାସୀଙ୍କୁ ଖୁବ୍ ଶୀଘ୍ର ଏକ ସ୍ଥିର ଓ ସ୍ଥାୟୀ ସରକାର ନିଶ୍ଟିତ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଫଡନବୀଶ । ବିଜେପି ପକ୍ଷରୁ ରାଜ୍ୟରେ ସରକାର ଗଠନ ଲାଗି ସବୁପ୍ରକାର ଉଦ୍ୟମ କରାଯାଇଥିଲା। ତେବେ ମେଣ୍ଟ ଯୋଗୁ ଦଳ ସବୁଆଡୁ ନିରାଶ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons