ରାଜ୍ୟପାଳଙ୍କୁ ଭେଟିଲେ କମଳନାଥ

Get real time updates directly on you device, subscribe now.

ଭୋପାଳ: ମଧ୍ୟପ୍ରଦେଶରେ ୬ ଜଣ ମନ୍ତ୍ରୀଙ୍କ ସମେତ ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କ୍ଷମତାସୀନ କଂଗ୍ରେସ ସରକାରକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କମଳନାଥ ଶୁକ୍ରବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ବିଜେପି ରାଜ୍ୟରେ ଘୋଡ଼ା ବେପାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ସହ ବେଙ୍ଗାଲୁରରେ ଅଟକ ଥିବା ବିଧାୟକମାନଙ୍କୁ ମୁକ୍ତ କରାଇବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ କମଳନାଥ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିଜେପିର ଦାବି ମୁତାବକ ଆମେ ଆସ୍ଥା ଭୋଟ ନିମନ୍ତେ ପ୍ରସ୍ତୁତ ଅଛୁ । କିନ୍ତୁ ଏଥିନିମନ୍ତେ ପ୍ରଥମେ ବେଙ୍ଗାଲୁରରେ ଅଟକ ୨୨ ବିଧାୟକମାନଙ୍କୁ ମୁକ୍ତ କରାଇବା ଆବଶ୍ୟକ । ମଧ୍ୟପ୍ରଦେଶରେ ବିଜେପି ଖୋଲାଖୋଲି ଭାବେ ଘୋଡ଼ା ବେପାର ଚଲାଇଛି । ମାର୍ଚ୍ଚ ୩ ତାରିଖ ସରକାର ଭାଙ୍ଗିବାକୁ ବିଜେପି ଏହାର ପ୍ରଥମ ପ୍ରୟାସ ଆରମ୍ଭ କରିଥିଲା । କେତେକ ବିଧାୟକଙ୍କୁ ନେଇ ଜବରଦସ୍ତି ହୋଟେଲରେ ରଖିଥିଲା । କିନ୍ତୁ କଂଗ୍ରେସର ପ୍ରୟାସକ୍ରମେ ତା’ର ଏ ଚେଷ୍ଟା ଅସଫଳ ହୋଇଥିଲା । ପ୍ରଥମ ଥର ଅସଫଳ ହେବା ପରେ ବିଜେପି ଅର୍ଥପ୍ରଲୋଭନ ଦେଖାଇ ପୁଣିଥରେ ୨୨ ବିଧାୟକଙ୍କୁ ନେଇ ଅଟକ ରଖିଛି । ସେମାନଙ୍କ ଇସ୍ତଫା ପତ୍ର ସେମାନେ ନୁହେଁ ବରଂ ବିଜେପି ନେତା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । ଯାହା ଦ୍ୱାରା ସରକାର ଭାଙ୍ଗିବା ପାଇଁ ବିଜେପିର ଚକ୍ରାନ୍ତ ସ୍ପଷ୍ଟ ଜଣାପଡୁଛି ।
ଆସନ୍ତା ୧୬ ତାରିଖରେ ରାଜ୍ୟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହି ଦିନ ଆସ୍ଥା ଭୋଟ କରିବାକୁ ବିଜେପି ଦାବି କରିଥିଲା । ତେବେ କରୋନା ଭାଇରସ ବାହାନାରେ କମଳନାଥ ଏହି ଅଧିବେଶନକୁ ସ୍ଥଗିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏନେଇ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି, କରୋନା ଭାଇରସ ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶକୁ ଆସି ପାରିନି । କିନ୍ତୁ ରାଜ୍ୟ ରାଜନୀତି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଯାଇଛି ।
ଆସ୍ଥା ଭୋଟ ନିମନ୍ତେ କଂଗ୍ରେସ ପ୍ରସ୍ତୁତ ଥିବା ପ୍ରକାଶ କରି କମଳନାଥ କହିଛନ୍ତି, ଅଟକ ଥିବା ବିଧାୟକମାନେ ବଜେଟ ଅଧିବେଶନରେ ଯୋଗ ଦେବା ନିମନ୍ତେ ୧୬ରେ ବିଧାନସଭାକୁ ଆସିବେ । ଏଣୁ ଏହାପରେ ଆସ୍ଥା ଭୋଟ କରାଯିବା ଆବଶ୍ୟକ । କମଳନାଥ ରାଜ୍ୟପାଳଙ୍କୁ ମଧ୍ୟ ଏହା ଅନୁରୋଧ କରିଛନ୍ତି । ବାଚସ୍ପତି ଏନ୍ ପି ପ୍ରଜାପତି ଇସ୍ତଫା ଦେଇଥିବା ୨୨ କଂଗ୍ରେସ ବିଧାୟକଙ୍କୁ ଗୁରୁବାର ନୋଟିସ ଜାରି କରିଛନ୍ତି । ସେମାନେ ସ୍ୱେଚ୍ଛାକୃତ ଭାବେ କିମ୍ବା ବାଧ୍ୟତାମୂଳକ ଭାବେ ଇସ୍ତଫା ଦେଇଛନ୍ତି ବୋଲି ବାଚସ୍ପତି ବିଧାୟକମାନଙ୍କୁ ପ୍ରଶ୍ନ କରିଛନ୍ତି । ଶୁକ୍ରବାର ସୁଦ୍ଧା ବିଧାୟକମାନେ ନିଜ ଜବାବ ସହ ତାଙ୍କ ନିକଟରେ ହାଜର ହେବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଅର୍ଥାତ୍ ବାଚସ୍ପତି ବିଧାୟକମାନଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି । ଯେଉଁ କାରଣରୁ କମଳନାଥ ବର୍ତ୍ତମାନସୁଦ୍ଧା ନିଜ ଆସନ ସୁରକ୍ଷିତ ଥିବା ନେଇ ଆଶା ବାନ୍ଧିଛନ୍ତି । ଏହା ବ୍ୟତୀତ କେତେକ ବିଜେପି ବିଧାୟକ ମଧ୍ୟ ତାଙ୍କ ସମ୍ପର୍କରେ ଥିବା ସେ ଦାବି କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶରେ ବିଧାନସଭା ଆସନ ସଂଖ୍ୟା ୨୩୦ ହୋଇଥିବା ବେଳେ ୨୦୧୮ ବିଧାନସଭା ନିର୍ବାଚନରେ ୨ ବିଧାୟକଙ୍କ ମୃତୁ୍ୟ ହେବା ପରେ ଆସନ ସଂଖା ୨୨୮ ହୋଇଯାଇଥିଲା । ଫଳରେ ସରକାର ଗଠନ ନିମନ୍ତେ ୧୧୫ ଆସନ ଆବଶ୍ୟକ ହେଉଥିଲା । କଂଗ୍ରେସର ୧୧୪ ବିଧାୟକ ଓ କେତେକ ସ୍ୱାଧୀନ, ସପା ଏବଂ ବସପା ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା । କିନ୍ତୁ ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ସହ ବାଜି ସମ୍ପୂର୍ଣ୍ଣ ପଲଟି ଯାଇଛି । ବାଚସ୍ପତି ଯଦି ସୋମନଙ୍କ ଇସ୍ତଫା ଗ୍ରହଣ କରନ୍ତି ତେବେ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୨୦୬କୁ ଖସି ଆସିବ । ଯାହା ଦ୍ୱାରା ସରକାର ଗଠନ ନିମନ୍ତେ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ିବ । ବର୍ତ୍ତମାନ ବିଜେପି ନିକଟରେ ୧୦୯ ଜଣ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ ବିଧାୟକମାନଙ୍କ ଇସ୍ତଫା ଗ୍ରହଣ ହେଲେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୩କୁ ଖସି ଆସିବ । ଫଳରେ ବିଜେପି ନିମନ୍ତେ ସରକାର ଗଠନର ରାସ୍ତା ସଫା ହୋଇଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons