ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ । ଆପଣ ଜମା ବି ବାହାରକୁ ଯାଆନ୍ତୁ ନାହିଁ । ବାହାରକୁ ଗଲେ କରୋନା ସଂକ୍ରମଣ ଘରକୁ ଆଣିବାର ଆଶଙ୍କା ରହିଛି । ନିଜେ ସୁରକ୍ଷିତ ରୁହ, ନିଜ ପରିବାକୁ ସୁରକ୍ଷିତ ରଖ । ନିଜ ବାପା, ମା’, ପିଲାଛୁଆଙ୍କ ରାଣ ଖାଇ ଶପଥ ନିଅ, ବାହାରକୁ ଯିବନି । ” ରାଜ୍ୟବାସୀଙ୍କୁ ଏମିତି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।
କରୋନା ବିରୋଧରେ ସଂଗ୍ରାମର ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଲଢେ଼ଇରେ ସାମିଲ ହୋଇ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଭିଡିଓ ଜାରି କରି ନବୀନ କହିଛନ୍ତି, ଗତ ୨୦ ବର୍ଷ ଭିତରେ ମୋର ସବୁ ଅନୁରୋଧକୁ ଓଡ଼ିଶାବାସୀ ପାଳନ କରିଛନ୍ତି । ଏଥିପାଇଁ ମୁଁ ସଭିଙ୍କ ପାଖରେ ଋଣୀ । ତେବେ ଆଜି ଯେଉଁ ଅନୁରୋଧ କରୁଛି, ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଜି ଆପଣଙ୍କ ନିକଟରେ ‘ମୋ ଜୀବନ’ କାର୍ଯ୍ୟକ୍ରମ ରଖୁଛି । କରୋନା ଭାଇରସ୍ ଆପଣଙ୍କ ଘରକୁ ଆସିବା, ନ ଆସିବା ଆପଣଙ୍କ ଉପରେ ନିର୍ଭର କରୁଛି । ଆପଣ ସାବଧାନ ରହିଲେ, ଏହା ଆପଣଙ୍କ ଘର ଭିତରକୁ ପଶି ପାରିବ ନାହିଁ ।
କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ନବୀନ ରାଜ୍ୟବାସୀଙ୍କୁ ଶପଥ ପାଠ କରିବାକୁ ନିବେଦନ କରିଛନ୍ତି । ଏହି ଶପଥଟି ହେଲା- “ ମୋ’ ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଛି ଯେ ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ । ବାହାରକୁ ଗଲେ, କରୋନା ଭାଇରସ୍ ମୋ’ ସାଥୀରେ ମୋ’ ଘରକୁ ଆସିପାରେ । ମୋ’ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନ୍ରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବି । ତା’ ପରେ ଯାଇ ଘରକୁ ପଶିବି । କରୋନା ଭାଇରସ୍କୁ କେବେ ବି ମୋ’ ଘରେ ପଶିବାକୁ ଦେବି ନାହିଁ କି ମୋ’ ପରିବାର ପାଇଁ ବିପଦର କାରଣ ହେବି ନାହିଁ । ”
ନବୀନ କହିଛନ୍ତି, ଏହି ଶପଥକୁ ସମସ୍ତେ ପାଠ କରନ୍ତୁ । ନିଜ ଘରର ପ୍ରବେଶ ପଥରେ ଏହାକୁ ଲଗାନ୍ତୁ । ଭିଡିଓ କରି ସୋସିଆଲ୍ ମିଡିଆରେ ମୋ’ ପାଖକୁ ପଠାନ୍ତୁ ।
ଏହି ନିବେଦନ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ବେଶ୍ ବିସ୍ତୃତ ଭାବେ ରାଜ୍ୟବାସୀଙ୍କୁ ବୁଝାଇଛନ୍ତି । ସେ କହିଛନ୍ତି, କରୋନା ଭାଇରସ୍ ପ୍ରଥମେ ଚୀନରେ ଥିଲା । ବହୁତ ଦୂରରେ ଥିଲା । ଏବେ ଏହି ଭାଇରସ୍ ଆମ ଘର ପାଖରେ ପହଞ୍ଚିଛି । ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ, ଆମର ଦାୟିତ୍ୱ ହେଉଛି ଏହି ଭାଇରସ୍କୁ ଘରେ ପଶିବାକୁ ଦେବା ନାହିଁ । ସେଥିପାଇଁ ଏ ଲକ୍ ଡାଉନ୍ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରିୟ ଓଡ଼ିଶାବାସୀ ଆପଣମାନେ ସମସ୍ତେ ଘରେ ରୁହନ୍ତୁ । ନିଜ ପରିବାରକୁ ବଞ୍ଚାନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons