ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଏବେ ଜଙ୍ଗଲରାଜ ଚାଲିଛି । ପାଟଣାଗଡ଼ର ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଛି । ସେହିପରି ପୁରୀ ଓ ସୁନ୍ଦରଗଡ଼ର ହାଜତ ମୃତୁ୍ୟ ଘଟଣା ପୁଲିସର ମାତ୍ରାଧିକ ଅତ୍ୟାଚାରକୁ ପ୍ରମାଣିତ କରିଛି । କଟକରେ ଦିନ ଦ୍ୱିପହରେ ୧୦ କୁଇଣ୍ଟାଲ୍ ସୁନା ଲୁଟ୍ ହେଉଛି । ଭୁବନେଶ୍ୱରରେ ନାବାଳିକା ବଳା+ାରଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ଠକେଇ ମାମଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ପ୍ରମାଣ କରୁଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଏ ନେଇ ଆମେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବୁ । ଉଭୟ ହାଜତ ମୃତୁ୍ୟ ମାମଲାରେ ବିଚାର ବିଭାଗ ତଦନ୍ତ ଦାବି କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଶ୍ରୀ ମିଶ୍ର ତାଙ୍କ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲା । ମାତ୍ର ରାଜ୍ୟ ସରକାରଙ୍କ ନିକଟରୁ ଯେଉଁଭଳି ପ୍ରତିକ୍ରିୟା ଆଶା କରାଯାଉଥିଲା, ସେ ଆଶା ଆମର ମଉଳି ଯାଇଛି । ରାଜ୍ୟରେ ବର୍ତ୍ତମାନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଏସବୁ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ଅଭିଭାଷଣ ରଖିବେ ବୋଲି ଆଶା ରହିଥିଲା । ଗୃହକୁ ନ ଆସିଲେ ବି ଘରୁ ଥାଇ ନିଜର ବକ୍ତବ୍ୟ ରଖିପାରିଥାନ୍ତେ । ସେଥିରୁ ରାଜ୍ୟରେ ଚାଲିଥିବା ପରିସ୍ଥିତି ବାବଦରେ ସେ ଚିନ୍ତିତ ଥିବା ଜଣାପଡ଼ିଥାନ୍ତା । ସେ ଏ ସମ୍ପର୍କରେ ସ୍ପଷ୍ଟ କରିଥିଲେ ଗୃହରେ ଆଜି ଯେଉଁ ପରିସ୍ଥିତି ଉପୁଜିଲା ତାହା ହୁଏତ ହୋଇନଥାନ୍ତା ବୋଲି ସେ କହିଛନ୍ତି ।
ଅପରପକ୍ଷେ ସେ କହିଛନ୍ତି, ପୁରୀରେ ହୋଇଥିବା ହାଜତ ମୃତୁ୍ୟ ମାମଲାରେ ପୁଲିସ ଅଧିକାରୀଙ୍କୁ ସେ ଜାଗାରୁ ବଦଳି କରାଯାଇନାହିଁ । ତେଣୁ କିଭଳି ନିରପେକ୍ଷ ତଦନ୍ତ ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତିି । ହାଜତ ମୃତୁ୍ୟ ମାମଲାରେ ପୁଲିସ ପରିବାର ଲୋକଙ୍କୁ ଶବ ନ ଦେବାକୁ ନେଇ ସେ ବର୍ଷିଛନ୍ତି । ସେହିପରି ପାଟଣାଗଡ଼ରେ ୬ ଜଣଙ୍କୁ ହତ୍ୟା ଘଟଣା ବିଷୟରେ ଏସ୍ପି ବହୁ ଦିନର ଷଡ଼ଯନ୍ତ୍ର ବୋଲି କହୁଥିବା ବେଳେ ପୁଲିସ କେମିତି ଜାଣିପାରିଲାନି । ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଫେଲ୍ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ପଶ୍ଚିମ ଓଡ଼ିଶାରେ ନିରୀହ ଲୋକ ଠକାମିର ଶିକାର ହେଉଛନ୍ତି । ରାଜ୍ୟରେ ବେକାରୀ ସମସ୍ୟା ବଢ଼ୁଥିବାରୁ ଏଭଳି ହେଉଛି । ତେଣୁ ବେକାରୀ ସମସ୍ୟା ନେଇ ରାଜ୍ୟ ସରକାର ଗୃହରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ନରସିଂହ ଦାବି କରିଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମା ବିବାଦରେ ସରକାର କେବଳ ଚିଠି ଲେଖିଲେ ଚଳିବନି । ଏହା ଓଡ଼ିଶାର ଜାତୀୟତା ଓ ସ୍ୱାଭିମାନର ପ୍ରଶ୍ନ । ଏ ବାବଦରେ କଡ଼ା ପଦକ୍ଷେପ ନେବା ନେଇ ସରକାରଙ୍କୁ ଘେରିବୁ ବୋଲି ସେ କହିଛନ୍ତି । ଆନ୍ଧ୍ର ରାଜ୍ୟ ଭିତରକୁ ପଶି ଆସୁଥିବା ବେଳେ ଓଡ଼ିଶା ଚୁପ୍ ବସୁଥିବା ନେଇ ଜବାବ ମାଗିବୁ । ସେହିପରି ଭୁବନେଶ୍ୱରର ଏକାମ୍ର କାନନ ଜମି ଦେବାକୁ ବିରୋଧ କରାଯିବ । ଭୁବନେଶ୍ୱରବାସୀ ତଥା ରାଜ୍ୟବାସୀ ଏହି ଜମି ଦେବାକୁ କେବେ ରାଜି ହେବେନି, ତେଣୁ ଏହି ପ୍ରସଙ୍ଗ ମଧ୍ୟ ଗୃହରେ ଉଠାଯିବ ବୋଲି ନରସିଂହ କହିଛନ୍ତି ।
Comments are closed, but trackbacks and pingbacks are open.