ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ ମୃତକଙ୍କ ସତ୍କାର

Get real time updates directly on you device, subscribe now.

ଭୁବନେଶ୍ଵର : ରାଜ୍ୟରେ କୋଭିଡ୍ ୧୯ ନେଇଛି ପ୍ରଥମ ମୁଣ୍ଡ। ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ତାଙ୍କର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ରଖିଛନ୍ତି। ଭୁବନେଶ୍ଵର ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ସଂପୃକ୍ତ ୭୨ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଝାରପଡାରେ ରହୁଥିବା ସେହି ବ୍ୟକ୍ତି ଜଣଙ୍କୁ ଗତ ୪ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଶ୍ଵାସ ପ୍ରଶ୍ଵାସ ଜନିତ ସମସ୍ୟା ସହ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। କିନ୍ତୁ ଏମ୍ସରେ ନମୂନା ପରୀକ୍ଷଣ ପରେ ସେ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣା ପଡିଥିଲେ। ଗତ ୬ ତାରିଖ ଅର୍ଥାତ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଛି।
ଏବେ କେନ୍ଦ୍ର ସରକାରଙ୍କ ଦ୍ଵାରା ଧାର୍ୟ୍ୟ ନୀତି ନିୟମ ଅନୁସାରେ ଏହି ମୃତ ବ୍ୟକ୍ତିଙ୍କର ଶେଷକୃତ୍ୟ ସଂପନ୍ନ ହେବ। ସୂଚନା ଯୋଗ୍ୟ କରୋନା ମୃତକଙ୍କ ଶବ ସତ୍କାର ଲାଗି କେନ୍ଦ୍ର ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସେହି ନିର୍ଦ୍ଦେଶାନାମା ଅନୁସାରେ ଆନୁସଙ୍ଗିକ କାର୍ୟ୍ୟ ସଂପନ୍ନ ପରେ ଏମ୍ସ କର୍ତ୍ତୃପକ୍ଷ ସଂପୃକ୍ତ ମୃତକଙ୍କ ମର ଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ଏବଂ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସଂପୃକ୍ତ ମୃତକଙ୍କର ଅନ୍ତିମ ସତ୍କାର କରାଯିବ।
ଶ୍ରୀବାଗ୍‌ଚୀ ଏହି ସୂଚନା ଦେବା ବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟର କୋଭିଡ୍-୧୯ ସଂକ୍ରମିତ ତଥା ଚିକିତ୍ସାଧୀନ ବ୍ୟକ୍ତି ସୂଚନା ରଖିଛନ୍ତି। ସେହି ସୂଚନା ଅନୁଯାୟୀ, ଆଜି ସୁଦ୍ଧା ୨୨୧୨ ଜଣଙ୍କର ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୨ ଜଣଙ୍କର କୋଭିଡ୍-୧୯ ପଜିଟିଭ୍ ଆସିଛି। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ୮୬ ଜଣ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ କ୍ଵାରେଣ୍ଟାଇନରେ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons