ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ କେନ୍ଦ୍ର ଅଣଦେଖା କରିଛି: ଶାସକ- ବିରୋଧୀ ଏକ ସ୍ୱର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶାସକ ଦଳ ଯେତିକି ଉଦ୍ବେଗ ପ୍ରକାଶ କରିଥିଲେ, ବିରୋଧୀ ମଧ୍ୟ ସେତିକି ଅସନ୍ତୋଷ ଜାହିର କରିଥିଲେ । ଓଡ଼ିଶାରେ ଐତିହ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାର ଅନନ୍ୟ । ମାତ୍ର କେନ୍ଦ୍ର ସରକାର ଚିହ୍ନଟ କରିଥିବା ଦେଶର ୧୭ ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର ଗୋଟିଏ ହେଲେ ସ୍ଥାନିତ ହୋଇନି । ଏହା ଦୁର୍ଭାଗ୍ୟଜନକ । ଆମ ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ଅଣଦେଖା କରାଯାଇଛି । ଏ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେଉ । କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯାଉ । ସମଗ୍ର ଗୃହ ଆଜି ଏମିତି ଦାବି ରଖିଛି ।
ଶୂନ୍ୟ କାଳରେ ଏ ପ୍ରସଙ୍ଗ ଉଠାଇଥିଲେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ । ସେ କହିଲେ, କେନ୍ଦ୍ର ସରକାର ୧୭ଟି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଛନ୍ତି । ମାତ୍ର ଓଡ଼ିଶାର ପୁରୀ ଶ୍ରୀମନ୍ଦିର କିମ୍ବା କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ପ୍ରାଚୀନ କୀର୍ତ୍ତିରାଜିକୁ ଏଥିରେ ସ୍ଥାନିତ କରାଯାଇନି । ଏହା ଦୁର୍ଭାଗ୍ୟଜନକ । କେନ୍ଦ୍ରର ଏଭଳି ମନୋଭାବକୁ ମୁଁ ବିରୋଧ କରୁଛି ।
ସରକାରୀ ଦଳ ସଭ୍ୟ ଅମର ଶତପଥୀ ଏ ଉଦବେଗ ସହ ସହମତ ହୋଇ କହିଲେ, ଆମ ପର୍ଯ୍ୟଟନ ସ୍ଥଳୀକୁ ଅଣଦେଖା କରାଯାଇଛି । ପୁରୀ ଓ କୋଣାର୍କ ଭଳି ଐତିହ୍ୟ, ବୁଦ୍ଧିଷ୍ଟ ସର୍କିଟ୍ ଥାଇ ମଧ୍ୟ କେନ୍ଦ୍ର ତାଲିକାରେ ଗୋଟିଏ ହେଲେ ସ୍ଥାନ ପାଇଲାନି । ଏହା ଆମ ରାଜ୍ୟ ପ୍ରତି ଚରମ ଅବହେଳା । ମୁଖ୍ୟମନ୍ତ୍ରୀ ଏ ସଂପର୍କରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଏ ସଂପର୍କରେ ଗୃହ ପକ୍ଷରୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଉ । ଶାସକ ସଭ୍ୟ ଦେବୀପ୍ରସାଦ ମିଶ୍ର କହିଲେ, ଆମ ରାଜ୍ୟ ହେଉଛି ପର୍ଯ୍ୟଟନର ଭୂସ୍ୱର୍ଗ । ଆମର ଚିଲିକା, ପୁରୀ, କୋଣାର୍କ, ବୌଦ୍ଧ କୀର୍ତ୍ତିରାଜି ସହ ବିରଳ ଜନଜାତି ବାସ କରୁଛନ୍ତି । ଏଏସ୍ଆଇ ତାଲିକାରେ ଥିବା ପ୍ରାଚୀନ କିର୍ତ୍ତୀରାଜିର ୧୦ଧ ଓଡ଼ିଶାରେ ଅଛି । ମାତ୍ର ଆମର ଗୋଟିଏ ହେଲେ ପର୍ଯ୍ୟଟନସ୍ଥଳୀ କେନ୍ଦ୍ର ତାଲିକାରେ ସ୍ଥାନ ନପାଇବା ଦୁଭାର୍ଗ୍ୟଜନକ । ଅତି କମ୍ରେ ରାଜ୍ୟର ଦୁଇଟି ପର୍ଯ୍ୟଟନସ୍ଥଳୀକୁ କେନ୍ଦ୍ର ବିଶ୍ୱସ୍ତରୀୟ ଭାବେ ବିକାଶ କରିବାକୁ ନିଷ୍ପତ୍ତି ନେଉ ।
ସରକାରୀ ସଭ୍ୟ ଅନନ୍ତ ଦାସ କହିଲେ, ଆମ ରାଜ୍ୟର ପର୍ଯ୍ୟଟନସ୍ଥଳ ପ୍ରତିଷ୍ଠିତ ଐତିହ୍ୟ ତାଲିକାରେ ସ୍ଥାନ ନପାଇବା ବିଡ଼ମ୍ବନା । କେନ୍ଦ୍ର ସରକାର ଏହା ଉପରେ ବିଚାର କରିବାର ସମୟ ଆସିଛି । ଶାସକ ସଭ୍ୟ ଅରବିନ୍ଦ ଢ଼ାଲି କହିଲେ, ଆମ ପର୍ଯ୍ୟଟନ ଭିତ୍ତିିଭୂମିର ବିକାଶ ପାଇଁ କେନ୍ଦ୍ର ଆମ ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ତାଲିକାଭୁକ୍ତ କରୁ ।
ବିଜେପି ସଭ୍ୟ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ, ମୟୂରଭଞ୍ଜର ଶିମିଳିପାଳ ଓ ଖିଚିଂ ଭଳି ପର୍ଯ୍ୟଟନସ୍ଥଳୀ ରହିଛି । ଏହାର ବିକାଶ ହେବା ନିହାତି ଦରକାର । କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ଆଗରୁ କେନ୍ଦ୍ରକୁ ଜୋରଦାର ବିରୋଧ କରାଯାଉଥିଲା । ମାତ୍ର ଏବେ କାହିଁକି କରାଯାଉନି । କୋରାପୁଟରେ ଶାବର ଶ୍ରୀକ୍ଷେତ୍ର ଅଛି । ୫୨ ପ୍ରକାର ଜନଜାତି ସେଠାରେ ବାସ କରୁଛନ୍ତି । ମାତ୍ର କେନ୍ଦ୍ର ପ୍ରତିଷ୍ଠିତ ଐତିହ୍ୟ ଭାବେ ଗ୍ରହଣ କଲାନି । ଏଭଳି ଅବହେଳା ଆଦୌ ବରଦାସ୍ତ କରାନଯାଉ । ବାଚସ୍ପତି ବିଧାନସଭାର ସ୍ୱତନ୍ତ୍ର କମିଟି ଗଠନ କରନ୍ତୁ । ବିଧାନସଭାରେ ପ୍ରସ୍ତାବ ସର୍ବସମ୍ମତ ଭାବେ ପାରିତ ହେଉ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମଗାଯାଉ ।
ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ, କିଶୋର ମହାନ୍ତି ଓ ନୃସିଂହ ସାହୁ ଏ ପ୍ରସଙ୍ଗରେ ଗୃହର ଦୃଷ୍ଟି ଆକର୍ଷଣ କରି କହିଲେ, ଆମ ରାଜ୍ୟରେ ଐତିହ୍ୟ ଓ ପ୍ରାଚୀନ ଶିଳାଲେଖ ଭରି ରହିଛି, ଯାହା ବିଶ୍ୱ ପ୍ରସିଦ୍ଧ । କେନ୍ଦ୍ର ଏହାକୁ ଅଣଦେଖା କରିଛି । ଏ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଉ । ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇ କେନ୍ଦ୍ର ନିକଟରେ ଆମ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱଶ୍ରେଣୀୟ କରିବାକୁ ଦାବି ରଖାଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons