ରାଜ୍ୟସଭାରେ ପ୍ରସନ୍ନଙ୍କ ପ୍ରସ୍ତାବ:”କାଳିଆ’କୁ ମିଶାଇ ଦେଶରେ ଏକ ମିଳିତ ଯୋଜନା ପ୍ରସ୍ତୁତ ହେଉ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚାଷୀଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା କାଳିଆ ଯୋଜନା ସହ ଅନ୍ୟ ରାଜ୍ୟମାନଙ୍କ ଚାଷୀ କଲ୍ୟାଣକାରୀ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ସାମିଲ କରାଯାଇ ସମଗ୍ର ଦେଶରେ ଏକ ମିଳିତ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ଦେଇଛନ୍ତି । ଏହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ଉପରେ ଆର୍ଥିକ ବୋଝକୁ କମ୍ କରାଯାଇ ପାରିବ ଏବଂ ଚାଷୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁବିଧା ମିଳି ପାରିବ । ସେ କହିଥିଲେ, ଓଡ଼ିଶା ସରକାର ବର୍ଷକୁ ଚାଷୀମାନଙ୍କୁ ୧୦ ହଜାର ଟଙ୍କା ଦେଉଛନ୍ତି । ସେହିପରି କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଦେଉଛନ୍ତି । ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି କେତେକ ରାଜ୍ୟ ସେମାନଙ୍କ ନିଜ ନିଜର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଥିଲେ, ଏ ସବୁ ଯୋଜନାକୁ ମିଶାଇ ଯଦି କେନ୍ଦ୍ରୀୟ ସ୍ତରରେ ଏକ ମିଳିତ ଯୋଜନା ଲାଗୁ କରାଯାଏ, ଚାଷୀଙ୍କୁ ଏଥିରୁ ଅଧିକ ଲାଭ ମିଳିବ । ଶ୍ରୀ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କ ବଜେଟ୍ରେ ରହିଥିବା କେତେକ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ନ୍ୟୁଜ୍ ପ୍ରିଣ୍ଟ ଉପରେ ବାହ୍ୟ ଶୁଳ୍କ ବୃଦ୍ଧି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିଥିଲେ ।
ଉଲ୍ଲେଖଯୋଗ୍ୟ, କାଳିଆ ଯୋଜନାକୁ ମିଶାଇ ସମଗ୍ର ଦେଶରେ ଏକ ଯୋଜନା ପ୍ରସ୍ତୁତ ପାଇଁ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଥିଲେ । ସେ ୭୦:୩୦ରେ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଏହି ରାଶିର ଆବଣ୍ଟନକୁ ନେଇ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ । ମହତାବ କହିଥିଲେ ଯେ ଏଭଳି ବଣ୍ଟନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ପ୍ରସ୍ତାବ ଦେଇଥିଲେ । ଅର୍ଥମନ୍ତ୍ରୀ ବିଜେଡିର ଏହି ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ପରୋକ୍ଷରେ ଲୋକସଭାରେ ଜବାବ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons