ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାର ୪ଟି ଆସନକୁ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ୨୬ରେ ହେବ ଭୋଟ୍ । ବିଧାନସଭା ନୋଟିସ୍ ବୋର୍ଡରେ ଏହି ନୋଟିସ୍ ଲାଗିବା ପରେ ରାଜ୍ୟ ରାଜନୀତିରେ ହଲ୍ଚଲ୍ ହୋଇଛି । ଆରମ୍ଭ ହୋଇଯାଇଛି ଧାଁ ଧପଡ଼ । ରାଜ୍ୟସଭା ଟିକେଟ ପାଇଁ କସରତ ଜୋର୍ କରିଛନ୍ତି ଆଶାୟୀ ।
ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେଉଥିବାବେଳେ ୩ଟି ଆସନ ବିଜେଡି ଖାତାକୁ ଯିବା ପକ୍କା । ତେଣୁ ଚତୁର୍ଥ ଆସନକୁ ନେଇ ଛକାପଞ୍ଝା ରହିଛି । ଏହି ଆସନକୁ ହାତେଇବାକୁ ବିଜେଡି ପ୍ରୟାସ କରିବ ନା ପୂର୍ବ ଥର ଭଳି ବିଜେଡି-ବିଜେପି ମିଳିତ ପ୍ରାର୍ଥୀ ଦେବେ, ତାହାକୁ ନେଇ ରାଜନୈତିକ ଅଙ୍କକଷା ଚାଲିଛି ।
ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିରେ ଏବେ ଡଜନେ ଆଶାୟୀ । ବରିÂ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାସେଶ୍ୱରୀ ପାଣିଗ୍ରାହୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ନେତା ରାଜ୍ୟସଭା ଟିକେଟ ପାଇଁ ଦଳର ଆଗଧାଡ଼ିଆ ତଥା ପ୍ରଭାବଶାଳୀ ନେତାଙ୍କ ଘର ଚକ୍କର କାଟୁଛନ୍ତି । ଏମାନଙ୍କ ଛଡ଼ା ଆହୁରି ଅନେକ ଆଶାୟୀ ଟିକେଟ ଲବିରେ ମାତିଛନ୍ତି । ନବୀନ ନିବାସରେ ଲବି କରିବା ସମ୍ଭବପର ନୁହେଁ । ତେଣୁ ଆଗଧାଡ଼ିଆ ନେତାଙ୍କ ପାଖରେ ବାହୁନି ହେଉଛନ୍ତି ଆଶାୟୀ । ଦଳ ପାଇଁ କ’ଣ କ’ଣ କରିଛନ୍ତି, ସବୁ ବଖାଣୁଛନ୍ତି । କିଏ କହୁଛି, ଗତ ନିର୍ବାଚନରେ ଆମ ନିର୍ବାଚନମଣ୍ଡଳୀରେ ବିଜେପି ଜିତିବା ଥୟ ଥିଲା, ଦଶ ରାତିି୍ର ଅନିଦ୍ରା ହୋଇ ଦଳକୁ ଜିତାଇଛୁ । ଆଉ କିଏ କହୁଛି, ନିର୍ବାଚନ ପାଇଁ ଧାର କରଜରେ ବୁଡ଼ିଛି । ଦଳ ଧୋକ୍କା ନ ଦେଉ । ପୁଣି କିଏ ଦଳ ପାଇଁ ନିଜର ତ୍ୟାଗର ହିସାବ ଥୋଉଛି । ଟିକେଟ ପାଇ ହାରି ଥିବା ନେତାଙ୍କଠାରୁ ଟିକେଟରୁ ବଞ୍ଚିତ ନେତାମାନଙ୍କ ନାମକୁ ଅଗ୍ରାଧିକାର ଦିଆଯାଇପାରେ ବୋଲି କେତେକ କହୁଛନ୍ତି । ଏହି ତାଲିକାରେ ଶ୍ରୀମୟୀ ମିଶ୍ରଙ୍କ ସମେତ ଆଉ କିଛି ନେତାଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ନିର୍ବାଚନ ହାରିଥିବା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ନାମ ମଧ୍ୟ ରାଜ୍ୟସଭା ଆଶାୟୀ ରେସ୍ରେ ରହିଛି । ରବୀନ୍ଦ୍ର କିମ୍ବା ତାଙ୍କ ପତ୍ନୀଙ୍କୁ ଦଳ ରାଜ୍ୟସଭା ପଠାଇପାରେ ବୋଲି ଶୁଣାଯାଉଛି । ତେବେ ମହିଳା ପ୍ରାର୍ଥୀ ଭାବେ ସରୋଜିନୀ ହେମ୍ବ୍ରମଙ୍କୁ ଦଳ ପୁଣି ଥରେ ରିପିଟ୍ କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ମାଷ୍ଟରଷ୍ଟେ୍ରାକ ଭାବେ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ଟିକେଟ ଦେଇ ନବୀନ ସଭିଙ୍କୁ ଚକିତ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ମାତ୍ର ନବୀନ ନିବାସରୁ ଏଯାଏଁ କାହାରିକୁ କୌଣସି ସଙ୍କେତ ଦିଆଯାଇନି । ତେଣୁ ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ କିଏ ହେବ, ସେ ନେଇ କିଛି ସ୍ପଷ୍ଟ ହୋଇନି । ଆବଶ୍ୟକ ସଂଖ୍ୟାଠାରୁ ବହୁ ଦୂରରେ ଥିବାରୁ କଂଗ୍ରେସ ନିଜ ଆଡ଼ୁ ହାତ ଟେକି ଦେଇଥିବାବେଳେ ପ୍ରାର୍ଥୀକୁ ନେଇ କିଛି ସ୍ପଷ୍ଟ କରିନି ବିଜେପି ।
ରାଜ୍ୟସଭାର ୪ଟି ଆସନ ପାଇଁ ଆଜିଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାନସଭା ସଚିବାଳୟର ସମ୍ମିଳନୀ କକ୍ଷରେ ନାମାଙ୍କନ ପତ୍ର ଦାଖଲ ପାଇଁ ବ୍ୟବସ୍ଥା ହୋଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ପ୍ରଥମ ଦିନରେ ଜଣେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଫର୍ମ ନେଇଛନ୍ତି । ତାଙ୍କ ନାମ ଅକ୍ଷୟ କୁମାର ବାରିକ । ନାମାଙ୍କନ ଦାଖଲ ପ୍ରକ୍ରିୟା ୧୩ ତାରିଖରେ ସରୁଥିବାବେଳେ ଆସନ୍ତା ୧୬ ତାରିଖ ଦିନ ସାଢେ଼ ୧୧ଟାବେଳେ ନାମାଙ୍କନପତ୍ର ଯାଞ୍ଚ୍ କରାଯିବ । ତେବେ ୧୮ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଆବଶ୍ୟକ ପଡ଼ିଲେ ଆସନ୍ତା ୨୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ବିଧାନସଭା ସଚିବାଳୟର ୫୪ ନମ୍ବର କମିଟି ପ୍ରକୋÂରେ ଭୋଟ୍ ଗ୍ରହଣ କରାଯିବ । ସେଇ ଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାନସଭା ସଚିବ ତଥା ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ, ବିଧାନସଭା ଉପସଚିବ ତଥା ସହକାରୀ ରିଟର୍ଣ୍ଣିଂ ଅଫିସର ଶିଶିରକାନ୍ତ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।
ରାଜ୍ୟସଭା ସାଂସଦ ସରୋଜନୀ ହେମ୍ବ୍ରମ, ନରେନ୍ଦ୍ର ସ୍ୱାଇଁ, ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଅନୁଭବ ମହାନ୍ତିଙ୍କ ଇସ୍ତଫା ପରେ ତାଙ୍କ ରାଜ୍ୟସଭାରେ ତାଙ୍କ ଆସନ ମଧ୍ୟ ଖାଲି ରହିଛି । ତେଣୁ ଓଡ଼ିଶାର ଏହି ୪ ଆସନ ପାଇଁ ନିର୍ବାଚନ ହେଉଛି ।
Comments are closed, but trackbacks and pingbacks are open.