ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ସୁଜିତ କୁମାର ସବୁଠୁ ଧନୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ଜନତା ଦଳର ୩ ପ୍ରାର୍ଥୀ କୋଟିପତି । ମୁନା ଖାଁ ହେଉଛନ୍ତି ସବୁଠୁ ଧନୀ । ତାଙ୍କ ତଳକୁ ସୁଜିତ୍ କୁମାର ସମ୍ପତ୍ତିରେ ବଳୁଆ ଥିଲା ବେଳେ ତାଙ୍କ ତଳକୁ ଅଛନ୍ତି କୋଟିପତି ସୁବାସ ସିଂହ । ତେବେ ଦଳର ୪ର୍ଥ ପ୍ରାର୍ଥୀ ମମତା ମହାନ୍ତ ହେଉଛନ୍ତି ୪ ଜଣଙ୍କ ମଧ୍ୟରେ ଗରିବ । ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୩୩ ଲକ୍ଷ ୮୭ ହଜାର ୫୧୦ ଟଙ୍କା । ରାଜ୍ୟସଭା ପାଇଁ ନାମାଙ୍କନ କରିଥିବା ବିଜୁ ଜନତା ଦଳର ୪ ପ୍ରାର୍ଥୀଙ୍କ ସତ୍ୟପାଠ ଏହା କହୁଛି ।
ମୁନା ଖାଁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ନିକଟରେ ମୋଟ ୨ କୋଟି ୪୬ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ତାଙ୍କର ଭୁବନେଶ୍ୱର ୧ କୋଟି ୪୫ ଲକ୍ଷ ୩୦ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିଲା ବେଳେ ପତ୍ନୀଙ୍କ ନାମରେ ୧ କୋଟି ୧୫ ଲକ୍ଷ ଟଙ୍କାର ସ୍ଥାୟୀ ସମ୍ପତ୍ତି ସହ ୧ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି । ତେବେ ମୁନାଙ୍କ ପତ୍ନୀ ୧୪ ଲକ୍ଷ ଟଙ୍କାର ଋଣ କରିଛନ୍ତି । ମୁନାଙ୍କ ପାଖରେ ଗୋଟିଏ ହୋଣ୍ଡା ସିଟି କାର ଥିଲା ବେଳେ ୫ ଶହ ଗ୍ରାମର ସୁନା ରଖିଛନ୍ତି । ପତ୍ନୀଙ୍କ ନିକଟରେ ଅଛି ୮୦୦ଗ୍ରାମ ସୁନା । ନବରଙ୍ଗପୁରରେ ମୁନାଙ୍କର ଜମି ଓ ଘର ଅଛି । ଶ୍ରୀ ଖାଁଙ୍କର ଗତିକୃଷ୍ଣ ଗ୍ରୀନ୍ ଆପାର୍ଟମେଣ୍ଟରେ ଫ୍ଲାଟ୍ ଥିଲାବେଳେ ପତ୍ନୀଙ୍କର ପୋଖରୀପୁଟରେ ଡୁପ୍ଲେକ୍ସ ମଧ୍ୟ ଅଛି । ମୁନା ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ୧୯୮୩ମସିହାରେ ମାଟ୍ରିକ୍ ପାସ୍ କରିଛନ୍ତି । ତାଙ୍କ ନାମରେ କୌଣସି ମାମଲା ନାହିଁ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ।
ସୁଜିତ କୁମାରଙ୍କ ସତ୍ୟପାଠ କହୁଛି ତାଙ୍କ ନିକଟରେ ୧କୋଟି ୧୦ଲକ୍ଷ ଟଙ୍କାର ଅସ୍ଥାବର ଏବଂ ୭୮ଲକ୍ଷ ୩୦ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ପତ୍ନୀଙ୍କ ନାମରେ ୨୬ଲକ୍ଷ ୬୯ହଜାର ଟଙ୍କାର ଅସ୍ଥାବର ଏବଂ ୭୪ଲକ୍ଷ ୪୬ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସୁଜିତଙ୍କର କାର ନାହିଁ । କେବଳ ପତ୍ନୀଙ୍କର ଗୋଟିଏ ହୋଣ୍ଡା ଆକ୍ଟିଭା ଦୁଇଚକିଆ ଅଛି । ତେବେ ସୁଜିତ ନିଜ ପାଖରେ ୨୭୦ଗ୍ରାମ ସୁନା ରଖିଛନ୍ତି । ପତ୍ନୀଙ୍କ ପାଖରେ ୫୨୦ଗ୍ରାମ ସୁନା, ୧୧ଶହ ୫୦ଗ୍ରାମ ରୂପା ଗହଣା ଥିଲାବେଳେ ୧୨୦ଗ୍ରାମର ମୂଲ୍ୟବାନ ଧାତୁ ଅଛି । ଷ୍ଟାର୍ଟଅପ୍ରେ ସୁଜିତ ୫୨ଲକ୍ଷ ୮ହଜାର ଟଙ୍କା ନିବେଶ କରିଛନ୍ତି । ସୁଜିତ ୭୪ଲକ୍ଷ ୯୪ହଜାର ଟଙ୍କା ଋଣ କରିଛନ୍ତି । ତାଙ୍କ ସନ୍ତାନ ନାଁରେ ୫ଲକ୍ଷ ୧୬ହଜାର ଟଙ୍କାର ସମ୍ପତ୍ତି ଥିବା ସେ ଦର୍ଶାଇଛନ୍ତି । ସତ୍ୟପାଠ ଅନୁସାରେ ସୁଜିତଙ୍କ ମୋଟ ସମ୍ପତ୍ତିର ପରିମାଣ ୨କୋଟି ୧୯ଲକ୍ଷ ୭୬ହଜାର ଟଙ୍କା । ସୁଜିତ ଷ୍ଟକ୍ ମାର୍କେଟ୍ରେ ମଧ୍ୟ ନିବେଶ କରିଛନ୍ତି । ସୁଜିତ ହାଭାର୍ଡରୁ ପବ୍ଲିକ୍ ଆଡ୍ମିନ୍ଷ୍ଟେ୍ରସନ୍ରେ ମାଷ୍ଟର୍ ଡିଗ୍ରୀ ହାସଲ କରିଛନ୍ତି ।
ବିଜେଡିର ଶ୍ରମିକ ନେତା ସୁବାସ ସିଂହ ମଧ୍ୟ କୋଟିପତି । ସୁବାସଙ୍କର ମୋଟ ସମ୍ପତ୍ତିର ପରିମାଣ ୨କୋଟି ୩୭ହଜାର ଟଙ୍କା । ସୁବାସଙ୍କ ନିକଟରେ ୬୨ଲକ୍ଷ ୨୫ହଜାର ଟଙ୍କାର ସ୍ଥାବର ଓ ୨୧ଲକ୍ଷ ୨୫ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେହିଭଳି ପତ୍ନୀଙ୍କ ନାମରେ ୪୫ଲକ୍ଷ ୯୪ହଜାର ଟଙ୍କାର ଅସ୍ଥାବର ଏବଂ ୮୩ଲକ୍ଷ ୧୯ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସୁବାସଙ୍କ ପତ୍ନୀ ୧୨ଲକ୍ଷ ୨୬ହଜାର ଟଙ୍କାର ଋଣ ଭାରରେ ବୁଡ଼ି ରହିଛନ୍ତି । ସୁବାସଙ୍କର ଗୋଟିଏ ହୋଣ୍ଡା ଆକ୍ଟିଭା ଗାଡ଼ି ଓ ୧୫୦ଗ୍ରାମ ସୁନା ଥିଲାବେଳେ ପତ୍ନୀଙ୍କ ନିକଟରେ ହୋଣ୍ଡା ଆକ୍ଟିଭା ସହ ମାରୁତି ବ୍ରିଜା କାର ରହିଛି । ସେ ପାଖରେ ୨୫୦ଗ୍ରାମ ସୁନା ମଧ୍ୟ ରଖିଛନ୍ତି । କଟକର ବିଭିନ୍ନ ବ୍ୟାଙ୍କରେ ସୁବାସ ଟଙ୍କା ଜମା କରିଥିବାବେଳେ ଏନ୍ଏସ୍ଏସ୍, ମୁ୍ୟଚୁଆଲ୍ ଫଣ୍ଡ୍ରେ ମଧ୍ୟ ନିବେଶ କରିଛନ୍ତି । କେନ୍ଦ୍ରାପଡ଼ାରେ ଚନ୍ଦନ ନଗରରେ ସୁବାସଙ୍କର ଜମି ଥିଲାବେଳେ ପତ୍ନୀଙ୍କର କଟକ ଟାଉନରେ ଗୋଟିଏ କୋଠା ରହିଛି । ସୁବାସ ରାଜନୀତି ବିଜ୍ଞାନରେ ଏମ୍ଏ ସହ ଏଲ୍ଏଲ୍ବି ମଧ୍ୟ କରିଛନ୍ତି ।
ବିଜେଡିର ମହିଳା ପ୍ରାର୍ଥୀ ମମତା ମହାନ୍ତ ହେଉଛନ୍ତି ୩୩ଲକ୍ଷ ୮୭ହଜାର ଟଙ୍କା ସମ୍ପତ୍ତିର ମାଲିକ । ତାଙ୍କ ନିକଟରେ ମାତ୍ର ୫୬ହଜାର ଟଙ୍କାର ଅସ୍ଥାୟୀ ସମ୍ପତ୍ତି ଥିଲାବେଳେ ତାଙ୍କ ସ୍ୱାମୀଙ୍କ ନିକଟରେ ୮ଲକ୍ଷ ୭୩ହଜାର ଟଙ୍କାର ଅସ୍ଥାବର ଏବଂ ୨୯ଲକ୍ଷ ୪୫ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ତେବେ ତାଙ୍କ ସ୍ୱାମୀ ୪ଲକ୍ଷ ୮୭ହଜାର ଟଙ୍କାର ଋଣ କରିଛନ୍ତି । ମମତା ବାରିପଦା ମହିଳା ମହାବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ୍ କରିଛନ୍ତି । ତାଙ୍କର ପାନ୍ କାର୍ଡ ନାହିଁ । ସ୍ୱାମୀଙ୍କର ଗୋଟିଏ ଘର ରହିଛି । ତାଙ୍କର ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ଗାଡ଼ି ରହିଛି । ସ୍ୱାମୀଙ୍କ ନାମରେ ହୋଣ୍ଡା ଆକ୍ଟିଭା ସହ ଗୋଟିଏ ମାରୁତି ଡିଜାୟର କାର୍ ରହିଛି । ମମତାଙ୍କର ୧୫୦ଗ୍ରାମ ସୁନା ଓ ରୂପା ଗହଣା ରହିଛି । ତାଙ୍କ ନାମରେ କୌଣସି ମାମଲା ନାହିଁ ବୋଲି ସେ ଦର୍ଶାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons