ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଯୋଗୁଁ ନୂଆ ଢଙ୍ଗରେ ପାଳର ହେଲା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧି ମାର୍ଗରେ ଭିଡ଼ ନଥିଲା । କେବଳ ପୁଲିସ୍ ବାହିନୀ ପରେଡ୍ କଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
୭୨ତମ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧି ମାର୍ଗରେ ୧୪୪ ଧାରା ଜାରି ହୋଇଥିଲା । କୌଣସି ଦର୍ଶକଙ୍କୁ ସେଠାକୁ ଛଡ଼ାଯାଇ ନଥିଲା । ରାମମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍, ରାଜଭବନରୁ ରବୀନ୍ଦ୍ର ମଣ୍ଡପ ସବୁଠି ଥିଲା ପୁଲିସ୍ ଛାଉଣି । କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ସ୍ଥଳକୁ ମନା ରହିଥିଲା । କାଳେ କୌଣସି ଦର୍ଶକ ଅମାନିଆ ହୋଇ ଆସିବେ, ସେଥିପାଇଁ ସକାଳ ୬ଟା ୩୦ରୁ ଦିନ ୯ଟା ପର୍ଯ୍ୟନ୍ତ ଗାନ୍ଧି ମାର୍ଗରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ କିଛି ଦର୍ଶକ ଘଟଣାସ୍ଥଳକୁ ଛୁଟି ଆସିଥିଲେ । ଏହାକୁ ନେଇ ସେଠାରେ କିଛି ଉତ୍ତେଜନା ଦେଖିବାକୁ ମିଳିଥିଲା । କରୋନା ପାଇଁ ଚଳିତ ବର୍ଷ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୋଟ ୧୮ଟି ସଶସ୍ତ୍ର ବାହିନୀ ଭାଗ ନେଇଥିଲେ । ବେସାମରିକ ବାହିନୀ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ପରେଡ୍ରେ ସାମିଲ କରାଯାଇ ନଥିଲା । ଖାଲି ସେତିକି ନୁହେଁ ଲୋକନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଜ୍ଞାପନ ମେଢ଼ ଆଦିକୁ ସ୍ଥଗିତ ରଖାଯାଇଥିଲା । ସୀମିତ ସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧା, ଆଗ ଧାଡ଼ିର କୋଭିଡ୍ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସବକୁ ଆମନ୍ତ୍ରଣ କରାଯାଇଥିଲା । ଜନସାଧାରଣ ଏହି ରାଜ୍ୟସ୍ତରୀୟ ଉତ୍ସବର ସିଧାପ୍ରସାରଣ ଟେଲିଭିଜନ୍ ମାଧ୍ୟମରେ ଦେଖିଥିଲେ । ପ୍ରତିବର୍ଷ ଏହି ଦିନରେ ଜୟହିନ୍ଦ୍ରେ କମ୍ପିଥାଏ ଗାନ୍ଧି ମାର୍ଗ । ଚଳିତ ବର୍ଷ କିନ୍ତୁ ପରିବେଶ ଖାଁ ଖାଁ ଲାଗୁଥିଲା । ହେଲେ ଯେଉଁ ୧୮ ପୁଲିସ୍ ବାହିନୀ ଭାଗ ନେଇଥିଲେ ସେମାନେ ବେଶ୍ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରିଥିଲେ ।
Comments are closed, but trackbacks and pingbacks are open.