ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମା ଭୂମିଆ ଧର୍ଷଣର ଶିକାର ହୋଇଛନ୍ତି । ଏହା ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଥିଲା । ପୀଡିତାଙ୍କ ସ୍ୱାମୀ ବୁଦୁରା ଗଉଡଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲା ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ । ଏହି ଘଟଣାକୁ ଦେଢମାସ ବିତିଥିଲେ ମଧ୍ୟ ପୋଲିସ ଚୁପ୍ ରହିଛି ।
ଏହି ଘଟଣାର ପ୍ରତିବାଦ କରି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟି ୩ ଦଫା ଦାବି ଜଣାଇଛନ୍ତି । କମିଶନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ପୀଡିତାଙ୍କ ପରିବାରକୁ ଉଚିତ ନ୍ୟାୟ ଦେଇ ଅନୁକମ୍ପା ରାଶି ପ୍ରଦାନ କରାଯାଉ । ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତୁ୍ୟର କାରଣକୁ ସାର୍ବଜନୀନ କରାଯାଉ ବୋଲି ପ୍ରତିନିଧି ମଣ୍ଡଳୀ କମିଶନଙ୍କ ପାଖରେ ଦାବି କରିଛି । ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.