କୋରାପୁଟ: କୁନ୍ଦୁରା ବ୍ଲକ୍ ବାଗଦେରୀ ପଞ୍ଚାୟତ ରାଣୀଗୁଡା ଦେଇ ଯାଇଥିବା ରାମଗିରି-କୋଟପାଡ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ କୋଡପାଡ ଉପରେ ନିର୍ଭର କରୁଥିବା ବ୍ଲକ୍ର ଶତାଧିକ ଲୋକ ଯାତାୟାତରେ ନାହିଁ ନଥିବ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ବାଗଦେରୀ ନଦୀ ଉପରେ ପୋଲ ନିର୍ମାଣ ହୋଇଛି । ପୋଲ ନିର୍ମାଣ ହେବାପରେ ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଗାଡିମୋଟର ଯାତାୟାତ କରୁଛି । ସେହିପରି ପୋଲ ନିର୍ମାଣ ପରେ ରାମଗିରି, ଗୁପ୍ତେଶ୍ୱର ଓ କୁନ୍ଦୁରା ବ୍ଲକ୍ର ଶତାଧିକ ଲୋକ ବିଭିନ୍ନ ସାମଗ୍ରୀ କିଣାବିକା ଲାଗି କୋଟପାଡ ଉପରେ ନିର୍ଭର କରୁଛନ୍ତି । ଏସବୁ ଅଞ୍ଚଳର ଲୋକଙ୍କୁ କୋଟପାଡର ଦୂରତା କମ୍ ପଡୁଥିବା ଏବଂ ରାସ୍ତାରେ ଟ୍ରାଫିକ୍ ସମସ୍ୟା ନଥିବାରୁ ଜଙ୍ଗଲଜାତ ସାମଗ୍ରୀଠାରୁ ଆରମ୍ଭ କରି ଗୋରୁହାଟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ସୁବିଧା ହେଉଛି । ଏସବୁ ଅଞ୍ଚଳରୁ କୋଟପାଡ ଯିବା ଲାଗି ଗୋଟିଏ ମାତ୍ର ରାସ୍ତା ଥିବାରୁ ସମସ୍ତେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ଯାତାୟାତରେ ଅଞ୍ଚଳବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଖରାଦିନେ ଯେନତେନ ପ୍ରକାରେ ଚଳିଯାଉଛି । କିନ୍ତୁ ବର୍ଷା ହେଲେ ରାସ୍ତାରେ ଥିବା ବଡବଡ ଗାତରେ ପାଣି ଜମିରହୁଛି । ଏକାଧିକ ସ୍ଥାନରେ କାଦୁଅ ଭରିଯାଉଛି । ଫଳରେ ସାଇକେଲରେ ଯାଉଥିବା ଲୋକେ ମଧ୍ୟ ପ୍ରତି ମୁହୂର୍ତ୍ତରେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଖରାପ ହେବାର ମୁଖ୍ୟ କାରଣ ହେଲା ରାଣୀଗୁଡା ନିକଟରେ ଥିବା କ୍ରସର । କ୍ରସରରୁ ପ୍ରତିଦିନ ଚିପ୍ସ ଓ ମେଟାଲ୍ ବୋଝେଇ କରି ବହୁ ଭାରିଯାନ ଯାତାୟାତ କରୁଥିବାରୁ ଅଳ୍ପ ଦିନ ଭିତରେ ରାସ୍ତା ଖରାପ ହୋଇପଡୁଥିବା କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଗାଁ ଲୋକେ ଦାବି କରିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.