ନୂଆଦିଲ୍ଲୀ: ଭାରତର ରାଜନୀତି, ସାମାଜିକ ଏବଂ ଧାର୍ମିକ ଭାବଧାରାକୁ ଗତ କିଛି ଦଶନ୍ଧି ଧରି ପ୍ରଭାବିତ କରି ରଖିଥିବା ଅଯୋଧ୍ୟା ବିବାଦର ସମାଧାନର ସୂତ୍ର ବାହାରିବାକୁ ଯାଉଛି । ଦୀର୍ଘ ୭୦ ବର୍ଷ ଧରି ବିଭିନ୍ନ କୋର୍ଟରେ ଗଡ଼ିଚାଲିଥିବା ଏହି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ମାସରେ ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ଚୂଡାନ୍ତ ରାୟ ଦେବାର ସମ୍ଭାବନା ରହିଛି । ଏହାଯୋଗୁ ବିଭିନ୍ନ ମହଲରେ ଏବେ ଏହି ମାମଲାକୁ ନେଇ ଉତ୍ସୁକତା ବଢ଼ିଯାଇଛି ।
ସୁପ୍ରିମକୋର୍ଟ ଗତ ଅଗଷ୍ଟ ୬ ରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ । ଅକ୍ଟୋବର ୧୮ ସୁଦ୍ଧା ଏହି ମାମଲାର ଶୁଣାଣି ଶେଷ କରିବା ଲକ୍ଷ୍ୟରେ ଅଦାଲତ ନିୟମିତ ଭାବେ ଏମିତିକି ଶନିବାର ବି ଏହା ଉପରେ ଶୁଣାଣି କରୁଥିଲେ । ପରେ କିନ୍ତୁ ଅଦାଲତ ମାମଲାର ଶୁଣାଣି ଅକ୍ଟୋବର ୧୬ରେ ଶେଷ କରାଯିବ ବୋଲି ଧାର୍ଯ୍ୟ କରିଥିଲେ । ୪୦ ଦିନ ଧରି ଶୁଣାଣି କରିବା ପରେ ବୁଧବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିଥିଲେ । ମଝିରେ କେବଳ ଦଶହରା ପାଇଁ ଅଦାଲତ ଛୁଟି ଥିବାରୁ ଏହାର ଶୁଣାଣି ଗୋଟିଏ ସପ୍ତାହ ରୋକାଯାଇଥିଲା । ସର୍ବୋଚ୍ଚ ଅଦାଲତ ଆଜି ଏହି ମାମଲାର ବିଭିନ୍ନ ପକ୍ଷଙ୍କୁ ଆସନ୍ତା ତିନି ଦିନ ଭିତରେ ସେମାନେ କେଉଁ କେଉଁ ପ୍ରସଙ୍ଗରେ ଅଦାଲତ ନିଷ୍ପତ୍ତି ନିଅନ୍ତୁ ବୋଲି ଚାହାନ୍ତି, ତାହା ଲିଖିତ ଭାବେ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ମାସ ୧୭ ତାରିଖରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ନେବାର ଥିବାରୁ ତା’ ପୂର୍ବରୁ ଏହି ମାମଲାରେ ଚୂଡାନ୍ତ ରାୟ ଆସିବ ବୋଲି ମନେ କରାଯାଉଛି । ନଭେମ୍ବର ୪ରୁ ୧୭ ଭିତରେ ଏହି ରାୟ ଆସିବାର ସମ୍ଭାବନା ରହିଛି ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ- ବିଚାରପତି ଏସ ଏ ବୋବଡେ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିର । ସର୍ବୋଚ୍ଚ ଅଦାଲତ ଚଳିତ ବର୍ଷ ଏହି ବିବାଦର ଆପୋଷ ବୁଝାମଣା ଭିତ୍ତିରେ ସମାଧାନ କରିବା ଲକ୍ଷ୍ୟରେ ଏକ କମିଟିକୁ ମଧ୍ୟସ୍ଥ ଭାବେ ନିଯୁକ୍ତ କରିଥିଲେ । ମାତ୍ର ଉକ୍ତ କମିଟି ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା ପରେ ବି ଏହାର ସମାଧାନ ବାହାର କରିବାରେ ବିଫଳ ହୋଇଥିଲା । ତେଣୁ ସର୍ବୋଚ୍ଚ ଅଦାଲତ ଏହା ଉପରେ ଶୁଣାଣି ଆରମ୍ଭ କରିଥିଲେ । ଆଜି ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ଥିବା ସୁନ୍ନି ୱାକଫ ବୋର୍ଡ ନିଜର ଆବେଦନ ପ୍ରତ୍ୟାହାର କରିବ ବୋଲି ସଂକେତ ଦେଇଛି । ଏହାର ଅର୍ଥ ହେଉଛି କି ଏହି ବୋର୍ଡ ଏବେ ବିବାଦୀୟ ଭୂମି ଉପରେ ନିଜର ସମ୍ପୂର୍ଣ୍ଣ ମାଲିକାନା ସ୍ୱତ୍ତ୍ୱ ଦାବି କରିବ ନାହିଁ । ତେବେ ସୁପ୍ରିମକୋର୍ଟ ବୋର୍ଡର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।
ଉଲ୍ଲେଖଯୋଗ୍ୟ, ୧୯୪୯ ମସିହାରେ ପ୍ରଥମେ ଏହି ବିବାଦକୁ ନେଇ ଅଦାଲତରେ ମାମଲା ଦାୟର କରାଯାଇଥିଲା । ତା’ ପରେ ଏହାକୁ ନେଇ ଆହୁରି କେତେକ ମାମଲା ଦାୟର କରାଯାଇଥିଲା । ମାତ୍ର ବିଭିନ୍ନ କାରଣରୁ ଏହି ମାମଲାଗୁଡ଼ିକର ଶୁଣାଣିରେ ବିଳମ୍ବ ହୋଇଥିଲା । ତେବେ ୧୯୯୨ ମସିହାରେ ବାବ୍ରି ମସଜିଦ୍ ଭଙ୍ଗ ଏବଂ ତା’ ପରେ ଦେଶର ବିଭିନ୍ନ ଭାଗରେ ଦଙ୍ଗାହେବା ପରେ ରାଜ୍ୟର ହାଇକୋର୍ଟ ଏହି ମାମଲାଗୁଡ଼ିକୁ ନିମ୍ନ ଅଦାଲତରୁ ନିଜ ପାଖକୁ ନେଇଥିଲେ ଏବଂ ଏହା ଉପରେ ଶୁଣାଣି କରିବେ ବୋଲି କହିଥିଲେ । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏହି ବିବାଦରେ ରାୟ ଦେଇ ବିବାଦୀୟ ଭୂମିକୁ ତିନି ପକ୍ଷ( ରାମଲଲ୍ଲା, ନିର୍ମୋହି ଆଖଡ଼ା ଏବଂ ସୁନ୍ନି ୱାକଫ ବୋର୍ଡ)ଙ୍କ ଭିତରେ ସମାନ ଭାବେ ବାଣ୍ଟିଦେବାକୁ ନିଦେ୍ର୍ଧଶ ଦେଇଥିଲେ । ମାତ୍ର ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ଅପିଲ ପିଟିସନ ଦାଖଲ କରାଯାଇଥିଲା । ହେଲେ ୨୦୧୦ରୁ ଏହି ମାମଲାଗୁଡ଼ିକ ଉପରେ ଆଦୌ ଶୁଣାଣି ହେଉନଥିଲା । ଏପରି ଅହେତକୁ ବିଳମ୍ବକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବି ବ୍ୟକ୍ତ କରାଯାଉଥିଲା । ତେବେ ସର୍ବୋଚ୍ଚ ଅଦାଲତ ଏହି ବିବାଦର ସମାଧାନ ପାଇଁ ଚଳିତ ବର୍ଷ ତପôରତା ଦେଖାଇଥିଲେ ।
ଆଉ ଏକ ଘଟଣାକ୍ରମରେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିଜର ପ୍ରସ୍ତାବିତ ବିଦେଶ ଗସ୍ତ ରଦ୍ଧ କରିଦେଇଥିବାର ଆଜି ଜଣାପଡିଛି । ସେ ଆସନ୍ତା ମାସ ୧୭ରେ ଅବସର ନେବାକୁ ଯାଉଥିଲାବେଳେ ତା’ ପୂର୍ବରୁ ଦକ୍ଷିଣ ଆମେରିକା ଏବଂ ମଧ୍ୟ-ପ୍ରାଚ୍ୟ ଏସିଆର କିଛି ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର କେତେକ ବିଶେଷ ପରିସ୍ଥିତି ଯୋଗୁ ସେ ଏହି ଗସ୍ତ ରଦ୍ଧ କରିଦେଇଛନ୍ତି । କୁହାଯାଉଛି କି ପ୍ରଧାନ ବିଚାରପତି ଗୋଗୋଇ ଅବସର ନେବା ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ଦେବେ । ତେଣୁ ଏଥିପାଇଁ ପ୍ରସ୍ତୁତି କରିବା ସକାଶେ ବୋଧହୁଏ ସେ ନିଜର ବିଦେଶ ଗସ୍ତ ରଦ୍ଧ କରିଦେଇଛନ୍ତି ।


Comments are closed, but trackbacks and pingbacks are open.