ଜଳେଶ୍ୱର,(ବି.ବି.ନୁ୍ୟଜ): ଓଡ଼ିଆ ପୁଅ ଅଂଶୁମାନ କାମିଳା ପୁଣି ଥରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଇଣ୍ଡିଆନ୍ ଇକୋନୋମିକ୍ସ ସର୍ଭିସ୍ (ଆଇଇଏସ)ର ଫାଉଣ୍ଡେସନ କୋର୍ସରେ ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମ ଲାଗି ଅଂଶୁମାନଙ୍କୁ ମର୍ଯ୍ୟାଦା ଜନକ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସେ ୨୦୧୯ରେ ସମଗ୍ର ଭାରତରେ ଇଣ୍ଡିଆନ୍ ଇକୋନୋମିକ ସର୍ଭିସ୍ (ଆଇଇଏସ) ପରୀକ୍ଷାରେ ଟପର ହୋଇଥିଲେ ।
ଅଂଶୁମାନ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୋରମରା ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ନରେନ୍ଦ୍ର ନାଥ କାମିଳା ଓ ସୁବାସିନୀ କାମିଳାଙ୍କ ନାତି । ଭାରତ ସରକାରଙ୍କ ଡାକ ବିଭାଗର ନୂଆଦିଲ୍ଲୀ ସ୍ଥିତ ପୋଷ୍ଟାଲ ସର୍ଭିସେସ ବୋର୍ଡର ସଭ୍ୟ (ଆଡ୍ମିନିଷ୍ଟେ୍ରସନ) ସନ୍ତୋଷ କୁମାର କାମିଳା ଓ ଉକ୍ରଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ତଥା ବିଶିଷ୍ଟ ଗାୟିକା ମିତାଲୀ ଚିନାରାଙ୍କ ଏକମାତ୍ର ପୁଅ । ପୂର୍ବରୁ ଅଂଶୁମାନ ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ମ୍ୟାନେଜର ରୂପେ ୧ ବର୍ଷ ଚାକିରି କରିଥିଲେ । ପରେ ଆଇଇଏସ କ୍ୟାଡରରେ ନୂଆଦିଲ୍ଲୀଠାରେ ଅଫିସର ରୂପେ ଗତ ୨୦୨୦ ଅଗଷ୍ଟ ୩ରେ ଯୋଗ ଦେଇଥିଲେ । ସେ ଗତ ଅକ୍ଟୋବର ୧୨ ତାରିଖରେ ମସୌରୀ ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡ୍ମିନିଷ୍ଟେ୍ରସନକୁ ୯୫ତମ ଫାଉଣ୍ଡେସନ କୋର୍ସ ଟ୍ରେନିଂ ପାଇଁ ଯାଇଥିଲେ । ସେଠାରେ ଟ୍ରେନିଂ ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସୁଯୋଗ ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଡିସେମ୍ବର ୧୮ ସନ୍ଧ୍ୟାରେ ଫାଉଣ୍ଡେସନ କୋର୍ସର ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଯୋଗଦେଇ ଭର୍ଚୁଆଲ ମୋଡ୍ରେ ଅଂଶୁମାନଙ୍କୁ ମର୍ଯ୍ୟାଦା ଜନକ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ, ଡାଇରେକ୍ଟର ଗୋଲ୍ଡ ମେଡାଲ ଓ ଅନ୍ୟ ଏକ ଡି କୋର୍ସ ମେଡାଲ ପ୍ରଦାନ କରିଛନ୍ତି । ଏହି ଫାଉଣ୍ଡେସନ କୋର୍ସରେ ୪୨୮ଜଣ ଅଧିକାରୀ ପ୍ରଶିକ୍ଷଣ ନେଉଥିଲେ । ଏହି ମର୍ଯ୍ୟାଦାଜନକ ମେଡାଲ ପାଇଥିବାରୁ ଅଂଶୁମାନଙ୍କୁ ଗତ ଶୁକ୍ରବାର ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଅର୍ଥନୀତି ବ୍ୟାପର ବିଭାଗର ସଚିବ ତରୁଣ ବଜାଜ ଅଭିନନ୍ଦନ ଜଣାଇ ଚିଠି ଲେଖିଛନ୍ତି । ଏହି ସଫଳତା ପାଇଁ ସମଗ୍ର ପଞ୍ଚାୟତରେ ଖୁସିର ଲହରି ଖେଳିଯାଇଛି । ସଫଳତାର ଶ୍ରେୟ ପିତା- ମାତା, ଗୁରୁଜନ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି ଅଂଶୁମାନ ।


Comments are closed, but trackbacks and pingbacks are open.