ପୁରୀ,(ବି.ବି.ନୁ୍ୟଜ୍): ମାଟିରେ ମିଶିଲେ ମଞ୍ଚ ମଣିଷ । ପଞ୍ଚଭୂତରେ ଲୀନା ହେଲା ଶରୀର । ସୋମବାର ପୁରୀ ସ୍ୱର୍ଗଦ୍ୱାରରେ ପ୍ରଖ୍ୟାତ ନାଟ୍ୟକାର ଡ. ବିଜୟ ମିଶ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି । ମରଶରୀର ପୁରୀ ସ୍ୱର୍ଗଦ୍ୱାରଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପୂର୍ବକ ପୁଲିସ୍ ବାହିନୀ ପକ୍ଷରୁ ସାଲାମି ଦିଆଯାଇଥିଲା । ନାଟ୍ୟକାର ସ୍ୱର୍ଗତ ମିଶ୍ରଙ୍କ ପୁଅ ଅନୁପମ ମିଶ୍ର ମୁଖାଗ୍ନି ଦେଇଥିଲେ ।
ଆଜି ପୂର୍ବାହ୍ନରେ ସ୍ୱର୍ଗତ ମିଶ୍ରଙ୍କ ମର ଶରୀରକୁ ଏୟାରପୋର୍ଟ ଅଞ୍ଚଳସ୍ଥିତ ବାସଭବନରୁ ରବୀନ୍ଦ୍ର ମଣ୍ଡପ ପରିସର ନିଆଯାଇଥିଲା । ସେଠାରୁ ଭଞ୍ଜକଳା ମଣ୍ଡପ, ସଂସ୍କୃତି ଭବନ ପରେ ସେ ପୁରୁଣା ଭୁବନେଶ୍ୱରରେ ଚିକିତ୍ସା ହେଉଥିବା ତାଙ୍କ ଭାଇଙ୍କ ହସ୍ପିଟାଲ୍ ଏବଂ ଶେଷରେ ପୁରୀ ବଡ଼ଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ସାମ୍ନାରେ ମରଶରୀରକୁ ରଖି ବିଜୟପ୍ରେମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଥିଏଟର ସହ ଜଡ଼ିତ ବହୁ କଳାକାର, ନାଟ୍ୟଶିଳ୍ପୀ, ରଙ୍ଗମଞ୍ଚ ଶିଳ୍ପୀ, ନାଟ୍ୟ ପ୍ରେମୀମାନେ ଶେଷ ଦର୍ଶନ ପାଇଁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ ।
ଶେଷକୃତ୍ୟ ସମୟରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାଶ, ଡେପୁଟି କଲେକ୍ଟର ମନୋଜ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପ୍ରେଟୋକଲ ଅଫିସର ଗୋପୀନାଥ ମିଶ୍ର, ପୁଲିସ ରିଜର୍ଭ ଇନ୍ସ୍ପେକ୍ଟର ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଏଥିସହିତ ସ୍ୱର୍ଗତ ମିଶ୍ରଙ୍କ ପୁଅ ଆରିନ୍ଦମ ମିଶ୍ର (ଜିପୁ), ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା, ନାଟ୍ୟ ନିଦେ୍ର୍ଧଶକ ବିକ୍ରମ ସାହୁ, କୈଳାସ ମହାପାତ୍ର ଓ ଅନ୍ୟମାନେ ଅନ୍ତିମ ଯାତ୍ରାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.