ନୂଆଦିଲ୍ଲୀ: ପ୍ରଖର ବକ୍ତା, ମାନବିକତାର ମୂର୍ତ୍ତିବନ୍ତ ପ୍ରତୀକ, ଜାତୀୟ ରାଜନୀତିର ଦମ୍ଭ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବୁଧବାର ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି । ଲୋତକପୂର୍ଣ୍ଣ ଆଖିରେ ହଜାର ହଜାର ଜନତା ନିଜ ପ୍ରିୟ ନେତ୍ରୀଙ୍କୁ ଦେଇଛନ୍ତି ଅନ୍ତିମ ବିଦାୟ । ଦିଲ୍ଲୀର ଲୋଧିରୋଡ୍ସ୍ଥିତ ଶବଦାହ କେନ୍ଦ୍ରରେ ବିଜେପିର ତମାମ ବରିଷ୍ଠ ନେତା ଓ କର୍ମୀଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହିତ ସୁଷମାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିଲା ।
ଅନ୍ତିମ ସକ୍ରାରର ସମସ୍ତ ବିଧି ସୁଷମାଙ୍କ ଏକମାତ୍ର କନ୍ୟା ବାଁସୁରି ସମ୍ପାଦନ କରିଥିଲେ । ତାଙ୍କ ପାଖରେ ସୁଷମାଙ୍କ ସ୍ୱାମୀ କୌଶଲ ସ୍ୱରାଜ ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ବାପଝିଅ ମିଶି ସୁଷମାଙ୍କ ମରଶରୀରକୁ ଅଭିବାଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୋଦି କ୍ୟାବିନେଟ୍ର ତମାମ ସଦସ୍ୟଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ସଂସ୍କାର ସ୍ଥଳୀରେ ଉପସ୍ଥିତ ରହି ସୁଷମାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଦିଲ୍ଲୀ ସରକାର ଦୁଇଦିନ ପାଇଁ ଶୋକ ଘୋଷଣା କରିଛନ୍ତି ।
ଅନ୍ତିମ ଯାତ୍ରା ପୂର୍ବରୁ ସୁଷମାଙ୍କ ମରଶରୀର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ବିଜେପିର ନେତା ଓ କର୍ମୀମାନେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦିଲ୍ଲୀର ଜନ୍ତରମନ୍ତରସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ । ନିଜ ପୂର୍ବ ସହଯୋଗୀଙ୍କ ପାର୍ଥିବ ଶରୀରକୁ ଦେଖି ମୋଦି ଅତ୍ୟନ୍ତ ଭାବୁକ ହୋଇପଡ଼ିଥିଲେ ଏବଂ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । କିଛି ସମୟ ପରେ ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ସେଠାରେ ପହଞ୍ଚିଥିଲେ । ନିଜ ପ୍ରଭାବୀ ଭାଷଣରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ସୁଷମାଙ୍କ ପାର୍ଥିବ ଶରୀରକୁ କିଛି ସମୟ ଚାହିଁରହିଥିଲେ ଆଡ଼ଭାନୀ ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବ, ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁଷମାଙ୍କ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରଦ୍ଧାଞ୍ଜଳି ଦେଇଥିବା ଅନ୍ୟମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ ବ୍ରାୟନ୍, ଯୋଗଗୁରୁ ବାବା ରାମଦେବ, ବିଜେପି ନେତ୍ରୀ ହେମା ମାଳିନୀ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ୍ ଚାଣ୍ଡି ଏବଂ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ବି ସାମିଲ ଥିଲେ ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ନିଜର ଓଜସ୍ୱିନୀ ଭାଷଣ ଦ୍ୱାରା ଅନେକଙ୍କୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଥିଲେ । ତାଙ୍କର ଅକାଟ୍ୟ ଯୁକ୍ତିରେ ବିରୋଧୀମାନେ ବି ଅଧିକାଂଶ ସମୟରେ ନିରୁତ୍ତର ରହିବାକୁ ବାଧ୍ୟ ହେଉଥିଲେ । ୟୁପିଏ-୨ ସରକାର ବେଳେ ସୁଷମା ଲୋକସଭାରେ ବିରୋଧୀ ଦଳ ନେତା ଥିଲେ ଏବଂ ଏହି ସମୟରେ ସେ ଗୃହରେ ଅନେକ ଅଭୁଲା ଭାଷଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କୁ ବୈଦେଶିକ ମନ୍ତ୍ରାଳୟ ମିଳିଥିଲା । ଏହି ଗୁରୁ ଦାୟିତ୍ୱକୁ ସେ ଦକ୍ଷତାର ସହ ନିର୍ବାହ କରିଥିଲେ । ଦୁନିଆର ଯେ କୌଣସି ସ୍ଥାନରେ ଫସିଥିବା ଭାରତୀୟଙ୍କୁ ତକ୍ରାଳ ସହାୟତାର ହାତ ବଢ଼ାଇ ‘ଆମ୍ ଜନତାଙ୍କ ମନ୍ତ୍ରୀ’ ସାଜିଥିଲେ ସୁଷମା ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୩ଟି କାର୍ଯ୍ୟକାଳରେ ସୁଷମା ୩ ଥର ତାଙ୍କ କ୍ୟାବିନେଟ୍ରେ ସାମିଲ ହୋଇଥିଲେ । ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ସୁଷମା ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ ହରିୟାନା ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ । ଏତେ କମ୍ ବୟସରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ସେ ନୂଆ ରେକର୍ଡ ସ୍ଥାପନ କରିଥିଲେ । ତାଙ୍କୁ ଯେତେବେଳେ ଯେ କୌଣସି ଦାୟିତ୍ୱ ଦିଆଯାଉଥିଲା, ତାହାକୁ ସେ ଅତ୍ୟନ୍ତ ଆଗ୍ରହର ସହ ନିର୍ବାହ କରୁଥିଲେ ।
ଯଦିଓ ସୁଷମା ବିଜେପିର ଜଣେ ତୁଙ୍ଗ ନେତ୍ରୀ ଥିଲେ, କିନ୍ତୁ ଅନ୍ୟ ଦଳଗୁଡ଼ିକରେ ମଧ୍ୟ ତାଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଥିଲା । ତାଙ୍କ ବିରୋଧରେ ଟିପ୍ପଣୀ ଦେବା କିମ୍ବା ତାଙ୍କୁ ସମାଲୋଚନା କରିବାକୁ କେହି ଆଗ୍ରହ ରଖୁ ନଥିଲେ । ତେଣୁ ତାଙ୍କ ପରଲୋକ ଯୋଗୁ କେବଳ ବିଜେପି କାହିଁକି, ଜାତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅଟଳ ଯୁଗରୁ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ପର୍ଯ୍ୟନ୍ତ ସେ ଯେଉଁଭଳି ଭାବେ ନିଜ ଦାୟିତ୍ୱ ନିଭାଇଛନ୍ତି, ତାହାକୁ ଦେଶବାସୀ ସବୁଦିନ ପାଇଁ ମନେରଖିବେ । ଏମିତି କି ପରଲୋକ ପୂର୍ବରୁ ସୁଷମା ଟ୍ୱିଟ୍ କରି ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପାହ୍ୟା ରଦ୍ଦ ବାବଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କ ଜୀବନରେ ଏହି ଦିନକୁ ଅପେକ୍ଷା କରିଥିଲେ ବୋଲି କହିଥିଲେ । ଧାରା ୩୭୦ ଉଚ୍ଛେଦ ପାଇଁ ସୁଷମା ସବୁବେଳେ ଦାବି କରୁଥିଲେ ।
Comments are closed, but trackbacks and pingbacks are open.