ରାଷ୍ଟ୍ର ନିର୍ମାଣରେ ସମସ୍ତେ ଭାଗୀଦାର ହୁଅନ୍ତୁ:ରାଷ୍ଟ୍ରପତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକ ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ରାଷ୍ଟ୍ର ନିର୍ମାଣରେ ସମସ୍ତେ ଭାଗୀଦାର ହେବା ସହିତ ଦେଶକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ଲାଗି ନିଜ ନିଜ ସ୍ତରରେ ଉଦ୍ୟମ କରିବା ଉଚିତ । ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଏଭଳି ଆହ୍ୱାନ ଦେଇଛନ୍ତି ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ସ୍ମରଣ କରି ରାଷ୍ଟ୍ରପତି କହିଛନ୍ତି, ଗାନ୍ଧିଜୀ ଯେଉଁ ମାର୍ଗ ଦେଖାଇଥିଲେ, ଆଜି ବି ତାହାର ପ୍ରାସଙ୍ଗିକତା ରହିଛି । ପ୍ରାକୃତିକ ସମ୍ପଦକୁ ଲୋକେ ନିଜ ବିବେକ ଅନୁସାରେ ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହୁଥିଲେ । ବାସ୍ତବରେ ଆଜି ତାହା ଜରୁରୀ ହୋଇପଡ଼ିଛି । ବର୍ତ୍ତମାନ ଦେଶରେ କାର୍ଯ୍ୟକାରୀ ହେଉଥିବା ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କ ବିଚାରଧାରା ସହ ମେଳ ଖାଉଛି । ଚଳିତବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସ୍ୱାଗତ କରି ରାଷ୍ଟ୍ରପତି କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଜମ୍ମୁ-କାଶ୍ମୀର ଏବଂ ଲଦାଖ ଲୋକଙ୍କୁ ଫାଇଦା ମିଳିବ । ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଯେଉଁ ମହାନ ପୁରୁଷ ଆମ୍ଭମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ, ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ପବିତ୍ର ଥିଲା । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଓ ସମାଜକୁ ସୁନ୍ଦର କରି ଗଢ଼ିତୋଳିବା ପାଇଁ ସେମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ଏହି କ୍ରମରେ ଜମ୍ମୁ-କାଶ୍ମୀର କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସେଠକାର ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ସେମାନେ ନିଶ୍ଚିତ ଉପକୃତ ହେବେ ବୋଲି ଆଶା ।
ଦେଶର ଅନ୍ୟ ଭାଗରେ ବାସ କରୁଥିବା ଲୋକମାନେ ଯେଉଁଭଳି ଭାବେ ସବୁ ସୁବିଧା ସୁଯୋଗ ପାଉଛନ୍ତି, ଜମ୍ମୁ-କାଶ୍ମୀରବାସୀ ମଧ୍ୟ ତାହା ପାଇବାକୁ ହକ୍ଦାର । ଏବେ ସେମାନେ ଏହି ଅଧିକାର ପାଇବେ । ଦେଶରେ କାର୍ଯ୍ୟକାରୀ ହେଉଥିବା ତମାମ ଆଇନ ଓ ବ୍ୟବସ୍ଥାଗୁଡ଼ିକର ଫାଇଦା ଏମାନେ ଉଠାଇବେ । ଏଠାରେ ଶିକ୍ଷା ଅଧିକାର ଆଇନ ଲାଗୁ ହେବା ଦ୍ୱାରା ସବୁ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ । ସୂଚନା ଅଧିକାର ଆଇନ ଦ୍ୱାରା ଲୋକମାନେ ଜନହିତ ସହ ସଂଶ୍ଳିଷ୍ଟ ସମସ୍ତ ତଥ୍ୟ ପାଇପାରିବେ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ସୁବିଧାର ଫାଇଦା ଉଠାଇବେ । ତିନ୍ ତଲାକ ଆଇନ ହଟିଥିବାରୁ ସେଠାକାର ମୁସଲିମ ମହିଳାଙ୍କୁ ଉଚିତ ନ୍ୟାୟ ମିଳିବ ।
ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ସବୁପ୍ରକାର ସହଯୋଗ କରୁଛନ୍ତି । ଗରିବ ଲୋକଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଉଥିବା ବେଳେ ପ୍ରତ୍ୟେକ ଘରକୁ ବିଜୁଳି, ଶୌଚାଳୟ ଓ ପାଣି ଭଳି ମୌଳିକ ସୁବିଧା ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ପ୍ରତ୍ୟେକ ଦେଶବାସୀଙ୍କ ଘରେ ନଳ ଦ୍ୱାରା ଜଳ ପହଞ୍ଚାଇବା ଏବଂ ପ୍ରତ୍ୟେକ ଚାଷୀଙ୍କୁ ଜଳ ଯୋଗାଇ ଦେଇ ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଉଛି । ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର, ରାଜ୍ୟ ସରକାର ସହିତ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ରେଳଯାତ୍ରାକୁ ସୁରକ୍ଷିତ କରାଯିବା ସହିତ ମେଟ୍ରୋସେବା ମଧ୍ୟ ସମ୍ପ୍ରସାରଣ କରାଯାଉଥିବା ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons