ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସରକାର ବନାଇବା ନୁହେଁ, ରାଷ୍ଟ୍ର ନିର୍ମାଣ ହିଁ ବିଜେପିର ପ୍ରକୃତ ଲକ୍ଷ୍ୟ । ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହ୍ୱାନ ଭୁବନେଶ୍ୱରରେ ଏହା କହିଛନ୍ତି ।
ଖୋର୍ଦ୍ଧାରେ ସାଂଗଠନିକ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ବୁଦ୍ଧିଜୀବୀମାନଙ୍କ ସହ ରାଜଧାନୀରେ ଆଲୋଚନା କରିଛନ୍ତି ଶିବରାଜ । ଏହି ଅବସରରେ ଶିବରାଜ କହିଛନ୍ତି, ସାରା ରାଜ୍ୟରେ ବିଜେପିର ସଦସ୍ୟତା ଆରମ୍ଭ ହୋଇଛି । ଏଥିରେ ସାମିଲ ହେବାକୁ ସେ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ସେ କହିଛନ୍ତି, ଇଂରେଜମାନେ ଆମ ଦେଶକୁ ଭାଗ ଭାଗ କରିଥିଲେ । ପରେ କଂଗ୍ରେସ ସରକାର ଭାରତକୁ ପୂରା ବରବାଦ କରିଦେଇଛି । ଭାରତକୁ ଭାଗ ଭାଗ କରିବାରେ କଂଗ୍ରେସର ବଡ଼ ଭୂମିକା ରହିଛି । ଧାରା ୩୭୦ ଉଚ୍ଛେଦ ପରେ ଏବେ କାଶ୍ମୀରବାସୀଙ୍କୁ ସ୍ୱାଧୀନତା ମିଳିଛି । ସେହିପରି ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁସଲିମ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି । ମୋଦି ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି । ଶତ୍ରୁପକ୍ଷଙ୍କୁ ମୁହଁତୋଡ଼ ଜବାବ ଦିଆଯାଉଛି । ଚନ୍ଦ୍ରଯାନ-୨ ପଠାଇ ଭାରତ ବିଶ୍ୱରେ ଆଉ ଏକ ରେକର୍ଡ କରିଛି । ଏକ ଭାରତ ଓ ଶ୍ରେଷ୍ଠ ଭାରତ ବନାଇବା ପାଇଁ ଅମେ ସଂକଳ୍ପ ନେବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଓଡ଼ିଶାରେ ଜନସଂଘ ସମୟରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ବରିଷ୍ଠ ନେତାଙ୍କୁ ସମ୍ମାନିତ କରାଯାଇଛି । ରାଉରକେଲାର ବିଷ୍ଣୁପ୍ରସାଦ ସାହୁ, ନାଗରମଲ ପ୍ରଧାନ, ଆନନ୍ଦପୁରର କ୍ଷୀରୋଦ ସ୍ୱାଇଁ, ଭବାନୀପାଟଣାର ଦିଲ୍ଲୀପରାଜ ବେହେରା, ବାଙ୍ଗିରିପୋଷିର ପୁରୁଷୋତ୍ତମ ନାୟକ, ଶରତ ବେହେରା, କଟକର ବ୍ରଜକିଶୋର ଦାସ, ପୁରୀର କାଶୀନାଥ ମିଶ୍ର, କୃଷ୍ଣଚନ୍ଦ୍ର ଜଗଦେବ, ଜୁନାଗଡ଼ର ଦେବପ୍ରସାଦ କୋଏଲ, ଧର୍ମଗଡ଼ର ଧନଞ୍ଜୟ ପାତ୍ର, ବ୍ରହ୍ମପୁରର ନନ୍ଦକିଶୋର ସାହୁଙ୍କୁ ଶ୍ରୀ ଚୌହ୍ୱାନ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।
କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଲେ, ବିଜେପି ଏକମାତ୍ର ଦଳ, ଯେଉଁ ଦଳରେ ଜଣେ ଚା’ ବିକାଳି ପ୍ରଧାନମନ୍ତ୍ରୀ ହୋଇପାରିବ । ବୁଥସ୍ତରରୁ ବିଜେପିର ସଦସ୍ୟତା କାର୍ଯ୍ୟକ୍ରମକୁ ବ୍ୟାପକ କରି ଏକ ନୂତନ ଓଡ଼ିଶା ଗଠନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ବିଜେପି ଆଗାମୀ ଦିନରେ ରାଜ୍ୟର ୬ ହଜାରରୁ ଅଧିକ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ସୁଖଦୁଃଖରେ ସାମିଲ ହେବ ।
ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଦ୍ଧିଜୀବୀ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବରିଷ୍ଠ ନେତା ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ରାଜ୍ୟ ସଦସ୍ୟତା ଓ ସାଧାରଣ ସମ୍ପାଦକ ଅନନ୍ତ ନାଏକ, ପ୍ରକାଶ ମିଶ୍ର, ବିନୋଦ ଦାଶ, ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons