ରାସ୍ତାରେ ପ୍ରସବ : ବାଟରେ ଯାଉଥିବା ଡାକ୍ତର ଚିକିତ୍ସା କଲେ\n

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନ୍ୟୁଜ୍ା): ରାସ୍ତାରେ ପ୍ରସବ । କୌଣସି ଦୁର୍ଗମ ଅଞ୍ଚଳ ନୁହେଁ, ବ୍ରହ୍ମପୁର ସହରରେ, ବଡ଼ ଡାକ୍ତରଖାନା ନିକଟରେ ଏହା ଘଟିଛି । ଜଣେ ମହିଳା ଆଜି ସକାଳ ୯ଟାରେ ରାସ୍ତା ଉପରେ ଶିଶୁ କନ୍ୟାକୁ ଦେଇଛନ୍ତି । ଅଞ୍ଚଳବାସୀ ଓ ରାସ୍ତାରେ ଯାଉଥିବା ଡାକ୍ତର ମହିଳାଙ୍କ ସୁରକ୍ଷିତ ଭାବେ ପ୍ରସବ କରାଇବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ମହିଳା ବଡ଼ ଡାକ୍ତରଖାନା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି । ମା’ ଓ ଶିଶୁ ଉଭୟ ସୁରକ୍ଷିତ ଅଛନ୍ତି ବୋଲି ଅଧୀକ୍ଷକ ପ୍ରଫେସର ଡା.ଚରଣ ପଣ୍ଡା ସୂଚନା ଦେଇଛନ୍ତି । ଡାକ୍ତରଖାନା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ପ୍ରଫେସର ଡା.ପଣ୍ଡା କହିବା ସହ ରାସ୍ତାରେ ଯାଉଥିବା ଡାକ୍ତର ଓ ଅଞ୍ଚଳବାସୀ ଯେଉଁଭଳି ମାନବିକତା ଦେଖାଇଛନ୍ତି ତାହାକୁ ପ୍ରଶଂସା କରିଛନ୍ତି ।\n ଅଞ୍ଚଳବାସୀଙ୍କ କହିବା ଅନୁସାରେ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀ ଅଞ୍ଚଳର କେ.ପାର୍ବତୀ ପ୍ରଧାନ(୨୫), ତାଙ୍କ ସ୍ୱାମୀ କେ.ହରେକୃଷ୍ଣ ଓ ଚାରିବର୍ଷର ପୁଅ କୋର୍ଟପେଟା ଛକରେ ଅଟୋରୁ ଓହ୍ଲାଇଲେ । ହରେକୃଷ୍ଣ ନିକଟରେ ଥିବା ଏକ ନିଦାନ କେନ୍ଦ୍ରକୁ ଯାଇଥିବାବେଳେ ପାର୍ବତୀ ଓ ତାଙ୍କ ପୁଅ ସେଠାରେ ଠିଆ ହୋଇଥିଲେ । ଏହି ସମୟରେ ପାର୍ବତୀଙ୍କର ପ୍ରସବ ଯନ୍ତ୍ରଣାହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତ ଥିବା ମହିଳାମାନେ ତୁରନ୍ତ ତାଙ୍କୁ ଲୁଗା ଘେରାଇ ଦେଇ ପ୍ରସବ କରାଇଥିଲେ । ନିଦାନ କେନ୍ଦ୍ରରେ କାମ କରୁଥିବା ଜଣେ ଡାକ୍ତର ଏବଂ ଏହି ରାସ୍ତାରେ ଯାଉଥିବା ଏମ୍କେସିଜି ମେଡିକାଲ କଲେଜ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପି.ଜି ଛାତ୍ର ସ୍ମୃତି ରଞ୍ଜନ ପଟ୍ଟନାୟକ ସହାୟତା କରିଥିଲେ । ପାର୍ବତୀଙ୍କର ଗୋଟିଏ କନ୍ୟା ଜନ୍ମ ହୋଇଥିଲା । ଏହାପରେ ଅଞ୍ଚଳବାସୀ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ୪୫ ମିନିଟ୍ ବିଳମ୍ବ ହୋଇଥିବା ଅଞ୍ଚଳବାସୀ ରାମ କୁମାର ପାତ୍ର କହିଛନ୍ତି । ବୈଦ୍ୟନାଥପୁର ଥାନା ଆଇଆଇସି ସାରଦା ପ୍ରସନ୍ନ ଦାଶ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଞ୍ଚଳବାସୀ, ପୁଲିସ ଓ ଉପସ୍ଥିତ ଡାକ୍ତର ଆମ୍ବୁଲାନ୍ସରେ ମହିଳାଙ୍କୁ ବଡ଼ ଡାକ୍ତରଖାନା ନେଇଥିଲେ । ସେତେବେଳେ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ କେହି ନଥିଲେ । ଡା. ସ୍ମୃତି ରଞ୍ଜନ ପଟ୍ଟନାୟକ ଚିକିତ୍ସା କରିଥିଲେ । ତେବେ ଡାକ୍ତର ପଟ୍ଟନାୟକ କହିଛନ୍ତି, ସେ ସକାଳ ୯ଟାରେ ଡାକ୍ତରଖାନା ଆସୁଥିଲେ । ରାସ୍ତାରେ ପ୍ରସବ ଦେଖି ଅଟକି ଥିଲେ । ସେତେବେଳେ ସେଠାରେ ଉପସ୍ଥିତ କିଛି ଡାକ୍ତର ମହିଳାଙ୍କ ପ୍ରସବ କରାଉଥିଲେ । ସେଠାରୁ ତାଙ୍କୁ ବଡ଼ ଡାକ୍ତରଖାନା ଆଣିବା ପରେ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ମା ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି । ମଧ୍ୟାହ୍ନରେ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ମାନେ ହସ୍ପିଟାଲରେ ପହଞ୍ଚିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons