ରାସ୍ତା କାମକୁ ନେଇ ଗ୍ରାମବାସୀ-ଠିକାଦାର ମୁହାଁମୁହିଁ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଚାରିଦିନ ଗଲାନି । ପ୍ରଧାନମନ୍ତ୍ରୀ ସଡକରୁ ପିଚୁ ଉଠିଗଲା । ଏଭଳି ଏକ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ଗାଁରେ ଠିକାଦାର ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଲୋକେ ଏହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ସମ୍ପୃକ୍ତ ଠିକାଦାର ଗ୍ରାମବାସୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କୁହାଯାଇଛି । ବୁଝାମଣା ଭିତରେ ସମସ୍ୟାର ସମାଧାନ କରାଯାଇଥିବା ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର କହିଛନ୍ତି ।
ପାପଡାହାଣ୍ଡି ଥାନା ନୀଳଗୁଣ୍ଡିଗୁଡା ଆର୍ଡି ରାସ୍ତାରୁ ଡେଙ୍ଗାଗୁଡା ପର୍ଯ୍ୟନ୍ତ ୩ କିମି ପ୍ରଧାନମନ୍ତ୍ରୀ ସଡକ ୪ ଦିନ ତଳେ ନିର୍ମାଣ କରାଯାଇଥିଲା । ନିର୍ମାଣର ୪ ଦିନ ପରେ ରାସ୍ତାରୁ ପିଚୁ ଉଠି ଯାଇଥିଲା । ମେଟାଲ ଚିପ୍ସ ବଦଳରେ ବଜୁରୀରେ ପିଚୁ ମିଶାଇ ରାସ୍ତା କରାଯାଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ହାତ ମାରିଲେ ରାସ୍ତାରୁ ପରସ୍ତପରସ୍ତ ପିଚୁ ଉଠି ଯାଉଥିବା ଲୋକେ କହିଥିଲେ । ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିବାରୁ ସମ୍ପୃକ୍ତ ଠିକାଦାର ଚନ୍ଦନ ଚୈଧୁରୀ, ଅମୂଲ୍ୟ ଚୈଧୁରୀ ଦୁହେଁ ଗ୍ରାମବାସୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହାପରେ ଡେଙ୍ଗାଗୁଡା ୱାର୍ଡମେମ୍ବର ଶ୍ରୀରାମ ମାଚି, ତ୍ରିନାଥ ହରିଜନ, ଲକ୍ଷ୍ମଣ ବିଶୋୟୀ, ବୃନ୍ଦା ଗୌଡ, ଚନ୍ଦ୍ରଭାନୁ ବିଶୋୟୀ, ସୁବାସ ମାଝି ପ୍ରମୁଖ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ଠିକାଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆପୋଷ ବୁଝାମଣା ପରେ ମାମଲା ଥଣ୍ଡା ପଡିଥିଲା । ଏ ସମ୍ପର୍କରେ ଆର୍ଡି ନିର୍ବାହୀ ଯନ୍ତ୍ରୀ ସୁଦାମ ଚରଣ ମହାପାତ୍ରଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ଲୋକେ କହିଛନ୍ତି, ଅଞ୍ଚଳରେ ପାଖାପାଖି ୧ କୋଟିରୁ ଅଧିକ ମୂଲ୍ୟର ପ୍ରଧାନମନ୍ତ୍ରୀ ସଡକ କରି ଠିକାଦାରମାନେ ମାଲାମାଲ୍ ହେଉଛନ୍ତି । କାମ ନିମ୍ନମାନର ହେଉଥିବାରୁ ଲୋକେ ଅସୁବିଧାରେ ପଡୁଛନ୍ତି । ଜିଲ୍ଲାସ୍ତରୀୟ ବୈଠକରେ ବାରମ୍ବାର ଏହି ସମସ୍ୟାକୁ ନେଇ ଲୋକ ପ୍ରତିନିଧି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଲୋକ ଅଭିଯୋଗ କଲେ କେଉଁଠି ଧମକ ତ ଆଉ କେଉଁଠି ଟଙ୍କା ଦେଇ ମୁହଁ ବନ୍ଦ କରାଯାଉଛି । ଏ ନେଇ ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons