
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ରାସ୍ତା କି ପାଣି ସୁବିଧା ନାହିଁ । ଏଥିଯୋଗୁ ଦୁର୍ଦ୍ଧଶା ଭୋଗୁଛନ୍ତି ସାହିବାସିନ୍ଦା । ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ କେର୍ମେଟି ପଞ୍ଚାୟତ କଦଳୀମୁଣ୍ଡା ଗାଁର ହରିଜନ ସାହିବାସିନ୍ଦା । ତୁରନ୍ତ ସାହି ରାସ୍ତା ନିର୍ମାଣ କରିବା ସହ ନଳକୂଅଟିଏ ଖନନ କରିବା ଲାଗି ସେମାନେ ଦାବି କରିଛନ୍ତି ।
ସାହିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାହିରେ ୧୫ଟି ପରିବାର ବସବାସ କରୁଛନ୍ତି । ସାହିକୁ ଯିବା ଲାଗି କେବଳ ପାଦଚଲା ରାସ୍ତାଟିଏ ରହିଛି । କଦଳୀମୁଣ୍ଡା ଗୌଡସାହି ମୁଖ୍ୟରାସ୍ତାରୁ ମାତ୍ର ୧୫୦ ମିଟର ଦୂରରେ ରହିଛି ହରିଜନ ସାହି । କୌଣସି ଗାଡିମୋଟର ଯାଇପାରୁନଥିବାରୁ ଜରୁରୀ ସମୟରେ ସ୍ୱାସ୍ଥ୍ୟସେବା ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି । ଠିକ୍ ସମୟରେ ମେଡିକାଲ୍ରେ ପହଞ୍ଚି ନପାରି ରୋଗୀମାନେ ପ୍ରାଣ ହରାଉଥିବା ନଜୀର ରହିଛି ।
କେବଳ ରାସ୍ତା ସମସ୍ୟା ନୁହେଁ, ସାହିବାସୀ ଭୋଗୁଛନ୍ତି ଉକ୍ରଟ ପାନୀୟ ଜଳ ସମସ୍ୟା । ସାହିରେ ନଳକୂଅଟିଏ ନଥିବାରୁ ମହିଳାମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ୨୦୦ ମିଟର ଦୂରରେ ଥିବା ଗୌଡସାହିର ନଳକୂଅ ଉପରେ ନିର୍ଭର କରୁଛନ୍ତି । ସାହିରେ ରାସ୍ତା ଓ ନଳକୂଅଟିଏ କରିବା ପାଇଁ ପଲ୍ଲୀସଭା ଓ ଗ୍ରାମସଭାରେ ବହୁବାର ପ୍ରସ୍ତାବ ଦେଇଛନ୍ତି । ରାସ୍ତା ଓ ପାଣି ପାଇଁ ସାହି ଲୋକେ ବହୁବାର ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ଗାଁର ସୁତମ ହରିଜନ, ତିଳ ହରିଜନ, ସୁଦର୍ଶନ ହରିଜନ, ସୁନାଧର ହରିଜନ, ନରସିଂହ ହରିଜନ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆମେ ପିଇଓ ଅବିନାଶ ବିଡିକା ଏବଂ ସରପଞ୍ଚ ମାଣିକ ସାନ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଫୋନ୍ରେ ବାରମ୍ବାର ଉଦ୍ୟମ କରିଥିଲୁ । କିନ୍ତୁ ଉଭୟ ଫୋନ୍ ଉଠାଇ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସାହିର ରାସ୍ତା ଓ ପାଣି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସାହି ଲୋକେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.