ବୈପାରିଗୁଡା: ଗାଁକୁ ସବୁଦିନିଆ ରାସ୍ତା, ନଦୀ ଘାଟକୁ ଡଙ୍ଗା ଓ ପଞ୍ଚାୟତ ପାଇଁ ମୋବାଇଲ୍ ନେଟ୍ୱର୍କ ନାହିଁ । ଫଳରେ ପ୍ରତିଦିନ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି । ଏହାର ତ୍ୱରିତ ସମାଧାନ କରିବାକୁ ଶୁକ୍ରବାର ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମା ପଞ୍ଚାୟତବାସୀ ଦାବି କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ବିଡିଓ ଅଭିମନୁ୍ୟ କବିଶତପଥୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗ୍ରାମବାସୀ କହିଛନ୍ତି, ଆଜି ପର୍ଯ୍ୟନ୍ତ ମାଡୁକଗୁଡ଼ା, ମଧୁପୁର, ଅଁଳାମାଟିଗୁଡ଼ା ଓ ଭେଜିନିଗୁଡ଼ା ଆଦି ଗାଁକୁ ପାଦଚଲା ମାଟି ରାସ୍ତା ଖଣ୍ଡିଏ ମଧ୍ୟ ସରକାର ନିର୍ମାଣ କରିନାହାନ୍ତି । ଗାଁଗୁଡ଼ିକ ପାଖରେ ଥିବା ଶାବରୀ ନଦୀ ପାର୍ ହୋଇ ପ୍ରତିଦିନ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି । ନଦୀ ଘାଟରେ ଡଙ୍ଗା ନଥିବାରୁ ଲୋକେ ବଡ ସମସ୍ୟାରେ ପଡ଼ୁଛନ୍ତି । ଏଥିପାଇଁ ବାରମ୍ବାର ଦାବି କଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ପଞ୍ଚାୟତ ଅଞ୍ଚଳର ମୋବାଇଲ୍ ନେଟ୍ୱର୍କ ଆସୁ ନାହିଁ । ଫଳରେ ଛାତ୍ରଛାତ୍ରୀ ସରକାରଙ୍କ ଇ-ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପକ୍ଷରେ, ପଞ୍ଚାୟତର ବହୁଲୋକ ଗରିବ ସୀମାରେଖା ତଳେ ରହିଛନ୍ତି । ଆଜି ପର୍ଯ୍ୟନ୍ତ ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନାହିଁ । କେତେକ ଗାଁରେ ରାସ୍ତାକଡ଼ରେ ଡ୍ରେନ୍ ନାହିଁ । ଅନ୍ୟ କେତେକ ଗାଁରେ ମାଟି ରାସ୍ତାକୁ କଂକ୍ରିଟ୍ କରାଯାଇନି । ଫଳରେ ଲୋକେ ଯିବା ଆସିବା କରିବାକୁ ଅସୁବିଧାରେ ପଡ଼ୁଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.