ରାସ୍ତା ପାଇଁ ପ୍ରତି ପରିବାର ଦେଲେ ଚାନ୍ଦା

Get real time updates directly on you device, subscribe now.

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ପଞ୍ଚାୟତ ଗନ୍ଦିବାଲସା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ସ୍ୱାଧୀନତାର ୭ଦଶନ୍ଧି ପରେ ବି ଏହି ଗାଁକୁ ରାସ୍ତା ନଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଦୁ୍ୟତ ସେବା ଏବେ ବି ଅପହଞ୍ଚ ରହିଛି । ବାରମ୍ବାର ଗୁହାରି କରିବା ପରେ ମଧ୍ୟ ପ୍ରଶାସନିକ ବାବୁମାନେ କର୍ଣ୍ଣପାତ କରୁ ନଥିବାରୁ ରବିବାର ଠାରୁ ଭଡାରେ ଜେସିବି ଆଣି ରାସ୍ତା କାମ ଆରମ୍ଭ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି । ଏଥିପାଇଁ ସେମାନେ ମିଳିତ ଭାବେ ପ୍ରତି ଘରୁ ଚାନ୍ଦା ଆଦାୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବା କହିଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଗନ୍ଦିବାଲସା ଗାଁରେ ୨୨ ପରିବାରର ୧୨୪ ଲୋକ ବସବାସ କରୁଛନ୍ତି । ଗାଁକୁ ରାସ୍ତା ନଥିବାରୁ ସରକାରୀ ବାବୁମାନଙ୍କ ପାଦ ଏଠାରେ କେବେ ପଡେନାହିଁ । ପାନୀୟଜଳ ସମସ୍ୟା ମଧ୍ୟ ଲାଗିରହିଛି । ବହୁବର୍ଷ ତଳେ ଏଠାରେ ଗୋଟିଏ କୂଅ ଖନନ ହୋଇଥିଲା । ଏହା ଏବେ ଭାଙ୍ଗିରୁଜି ଯାଇଛି । ମାଟି ଧସି କୁଅରର ଅବସ୍ଥା ଶୋଚନୀୟ ହୋଇପଡିଛି । କୂଅର ପାଣି ବ୍ୟବହାରଯୋଗ୍ୟ ହୋଇ ନଥିବାରୁ ଲୋକେ ଅଧକିମି ଦୂର ଏକ ନାଳରୁ ଜଳ ସଂଗ୍ରହ କରୁଛନ୍ତି । ସେଠାରେ ଗାଧୁଆପାଧୁଆ, ଲୁଗାସଫା କରିବା ସହ ସେହି ପାଣିକୁ ବ୍ୟବହାର କରୁଥିବା କହିଛନ୍ତି । କୂଅର ଦୂଷିତଜଳ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ଗାଁକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଲୋକେ ନାଳ ପାରିହୋଇ ଯାତାୟତ କରୁଛନ୍ତି । ଖରା ଓ ଶୀତଦିନେ ଚାଲି ଚାଲି ଯିବା କଷ୍ଟକର ହୋଇପଡୁଥିବା ବେଳେ ବର୍ଷାଦିନ କଥା ନକହିବା ଭଲ । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଭାରରେ ୪କିମି ବୁହାହୋଇ ମଡାବାଲସା ଗାଁ ନିକଟ ଜାତୀୟ ରାଜପଥକୁ ଆସିଲେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଛି । ସ୍ଥାନୀୟ ବିଧାୟକ, ପ୍ରଶାସନକୁ ଗାଁ ସମସ୍ୟା ସମ୍ପର୍କରେ ବାରମ୍ବାର ଅବଗତ କରଯାଇଥିଲେ ମଧ୍ୟ କୌମସି ସୁଫଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି । ରାସ୍ତା ନଥିବାରୁ ସୁଙ୍କି ପଞ୍ଚାୟତର ଇଂତାବାଲସା, ଗନ୍ଦିବାଲସା, ଓଳାଗାଁ, ମାଦିଗୁଣ୍ଡଲେମ, କୋପମାମାଡି, ଗୁରୁଙ୍ଗଗୁଡେ, ଟୋଟାଲପାଡୁ, ସାଙ୍ଗମଗୁଡେ ଏବଂ ରାଲାଗାଡା ପଞ୍ଚାୟତର ବାଟିବାଲସା, ଚିଟାମ୍ପପାଡୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ସମସ୍ୟାକୁ ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ଗ୍ରାମବାସୀ ଏକାଠି ହୋଇ ଘରପିଛା ଚାନ୍ଦା ଆଦାୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ଲକ୍ଷ ଟଙ୍କା ଆଦାୟ ହୋଇସାରିଛି । ରବିବାର ଠାରୁ ରାସ୍ତା ନିର୍ମାଣ ପାଇଁ ଜେସିବି ମେସିନ୍ ଭଡାରେ ଆଣିବାକୁ ସ୍ଥିର କରାଯାଇଥିବା ଗାଁର ସୁଲି ଆପନା, ଗେମେଲ ରମେଶ, ସୁଲି ସିନାୟା, ମାଝୀ ଜଗାୟା, କତାର ଚିନାୟା, ଏମଲା ଲାଚାନା, ଖରା ଭିମାନା, ଜାନୀ ପୋଲେୟା ପ୍ରମୁଖ କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons