ରାହୁଲଙ୍କ ଦାବି ପ୍ରତ୍ୟାଖ୍ୟାନ କଲେ ସତ୍ୟପାଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ପ୍ରସଙ୍ଗ କରି ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁହାଁମୁହିଁ ହୋଇଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ସ୍ଥିତି ବିଗିଡ଼ି ଯାଇଛି ବୋଲି ରାହୁଲ ଦେଇଥିବା ବୟାନକୁ ବିରୋଧ କରି ସତ୍ୟପାଲ ରାହୁଲଙ୍କୁ ଥରୁଟିଏ ଆସି ଜମ୍ମୁ-କାଶ୍ମୀର ବୁଲି ଦେଖିବାକୁ ଆହ୍ୱାନ ଦେଇଛନ୍ତି । ରାହୁଲ ବୁଝି ବିଚାରି ବୟାନ ଦିଅନ୍ତୁ ବୋଲି ପରାମର୍ଶ ଦେବା ସହ ସତ୍ୟପାଲ କହିଛନ୍ତି ଯେ, ‘ମୁଁ ରାହୁଲ ଗାନ୍ଧିଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ ଦେଇଛି । ମୁଁ ତାଙ୍କ ପାଇଁ ବିମାନ ପଠାଇବି ବୋଲି ମଧ୍ୟ ତାଙ୍କୁ କହିଦେଇଛି’ । ଏଣୁ ଏଠାକୁ ଆସି ପ୍ରକୃତ ସ୍ଥିତି ଦେଖି ସାରିବା ପରେ ବୟାନ ଦେଲେ ରାହୁଲଙ୍କୁ ସେ ଜଣେ ଦାୟିତ୍ୱବାନ ବ୍ୟକ୍ତି ଭାବେ ବିଚାର କରିବେ ବୋଲି ମଲ୍ଲିକ୍ ପ୍ରକାଶ କରଛନ୍ତି ।
ସତ୍ୟପାଲଙ୍କ ଏଭଳି ବୟାନର ଉତ୍ତର ରାହୁଲ ଟୁଇଟ ଯୋଗେ ଦେଇଛନ୍ତି । ରାହୁଲ ଏକ ଟୁଇଟ୍ କରି ଲେଖିଛନ୍ତି ଯେ, ଜଣେ ବିରୋଧୀ ଦଳର ନେତା ଭାବେ ମୁଁ ଆପଣଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଜମ୍ମୁ-କାଶ୍ମୀର ଏବଂ ଲଦାଖ ଯିବି । ମୋର କୌଣସି ବିମାନ ଆବଶ୍ୟକ ନାହିଁ । କିନ୍ତୁ ଦୟା କରି ମୋତେ ଏବଂ ବିରୋଧୀଦଳର ଅନ୍ୟ ନେତାମାନଙ୍କୁ ସେଠାରେ ମୁକ୍ତ ଭାବରେ ବୁଲିବାକୁ ଏବଂ ସେଠାକାର ଲୋକ, ମୁଖ୍ୟଧାରାର ନେତା ତଥା ଯବାନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ । ହେଲେ ବିରୋଧୀ ନେତାମାନଙ୍କୁ କାଶ୍ମୀର ଘାଟିରେ ମୁକ୍ତ ଭାବେ ବୁଲିବାକୁ ସୁଯୋଗ ଦେବା ପାଇଁ ରାହୁଲ କରିଥିବା ଦାବିକୁ ସତ୍ୟପାଲ ଖାରଜ କରିଦେଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀର ରାଜଭବନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ବିରୋଧୀ ଦଳର ନେତା ମୁକ୍ତ ଭାବେ ବୁଲିଲେ ସମସ୍ୟା ସୃଷ୍ଟି ହେବ ଏବଂ ଏହା ଦ୍ୱାରା ସ୍ଥାନୀୟ ଲୋକ ଅସୁବିଧାର ସମ୍ମୁଖୀନ ହେବେ ।
ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାହୁଲ ଏକ ଟୁଇଟ୍ କରି କହିଥିଲେ କି, ‘ଜମ୍ମୁ କାଶ୍ମୀରରେ ହିଂସାକାଣ୍ଡ ଉପୁଜିଥିବାର ଖବର ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଚିନ୍ତିତ ହେବା ଆବଶ୍ୟକ’ । ରାହୁଲଙ୍କ ଏହି ଟୁଇଟ୍କୁ ବିରୋଧ କରି ସତ୍ୟପାଲ ତାଙ୍କୁ କାଶ୍ମୀର ଯିବାକୁ ନିମନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons