ରାୟଗଡ଼ାରେ ଗଲା ଆଉ ୩ ଜୀବନ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ଜିଲ୍ଲାରେ କରୋନା ସ୍ଥିତି ଉଦ୍ବେଗଜନକ । ଏହି ରୋଗରେ ଆଉ ୩ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ରାୟଗଡ଼ା ସହରର ଜଣେ ୭୦ ବର୍ଷୀୟ ବୃଦ୍ଧ, ଗୁଣପୁରର ଜଣେ ୬୪ ବର୍ଷୀୟ ଏବଂ ଅନ୍ୟଜଣେ ୬୧ ବର୍ଷୀୟ ବ୍ୟକ୍ତି । ସରକାରଙ୍କ ତରଫରୁ ସେମାନଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତୁ୍ୟସଂଖ୍ୟା ସରକାରୀ ଭାବେ ୧୦ରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଜି ନୂଆକରି ୧୦ ଯୋଦ୍ଧାଙ୍କ ସହ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୧୩୨ରେ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ଏହି ସୂଚନା ଦେଇଛନ୍ତି ।
ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୮ ଜଣ ପୁରୁଷ ଏବଂ ୧୦ ଜଣ ମହିଳା । ସର୍ବାଧିକ ୨୪ ଜଣ ହେଉଛନ୍ତି ରାୟଗଡ଼ା ସହରର । ଗୁଣପୁର ସହରରୁ ୬, ମୁନିଗୁଡ଼ା ବ୍ଲକରୁ ୩, କାଶୀପୁର ବ୍ଲକରୁ ୨ ଏବଂ ରାମନାଗୁଡ଼ା, କୋଲନରା ଓ ଗୁଣପୁର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସମସ୍ତ ୩୮ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଚିହ୍ନଟ ହୋଇଥିବା ୧୦ ଯୋଦ୍ଧାଙ୍କ ମଧ୍ୟରେ ଅଛନ୍ତି ୪ ଜଣ ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ୩, ଜଣେ ସିଆର୍ପିଏଫ, ଜଣେ ଆର୍ପିଏଫ ଯବାନ ଏବଂ ଓ ଜଣେ ଶିକ୍ଷା ବିଭାଗ କର୍ମଚାରୀ । ସମସ୍ତେ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ । ଲଗାତାର ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନମାନେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି, ଯାହା ଅନ୍ୟତମ ଚିନ୍ତାର କାରଣ ହୋଇଛି । ଜଣେ ଆକ୍ରାନ୍ତ ବିଶାଖାପାଟନମ ଫେରନ୍ତା । ଅନ୍ୟମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ରାୟଗଡ଼ା ସହରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ରାଣୀଗୁଡ଼ା, ରୟତକଲୋନି, ରାମକୃଷ୍ଣନଗର, ହାଉସିଂବୋଡର଼୍, ଗାୟତ୍ରୀନଗର, ରିଜର୍ଭ ପୁଲିସ କାର୍ଯ୍ୟାଳୟ, ଇନ୍ଦିରାନଗର ଅଂଚଳର । ସେହିପରି ଅନ୍ୟ ଆକ୍ରାନ୍ତମାନେ ଗୁଣପୁର ସହର ତଳ ସୌରାସାହି, ଏସ୍ପି ଗୁଡ଼ା, ଜଗନ୍ନାଥରୋଡ଼, କୋଲନରା ବ୍ଲକର ଗାଡ଼ିଶେଷଖାଲ, ମୁନିଗୁଡ଼ା ବ୍ଲକର ମୁନିଗୁଡ଼ା ଓ ଅମ୍ବାଦଳା, କାଶୀପୁର ବ୍ଲକର ଟିକିରି ଓ ବାଇଗୁନାଗୁଡ଼ିର । ଚିହ୍ନଟ ଅଞ୍ଚଳଗୁଡ଼ିକୁ ଦମକଳବାହିନୀ ଦ୍ୱାରା ବିଶୋଧନ କରାଯାଇଛି । ଆଜିର ଆକ୍ରାନ୍ତମାନଙ୍କୁ ଜେକେପୁର କୋଭିଡ୍ ମେଡ଼ିକାଲ, ଦୋରାଗୁଡ଼ା, ଗୁଣପୁର, ବିଷମକଟକ ଓ ତାଡ଼ମା କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ତାହାର ଅନୁସନ୍ଧାନ ଚାଲିଥିବା ଡାକ୍ତର ନାୟକ କହିଛନ୍ତି । ଅନ୍ୟପକ୍ଷରେ ଆଜିସୁଦ୍ଧା ଜିଲ୍ଲାରେ ମୋଟ ୧୯୨ ଜଣ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons