ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବ୍ରହ୍ମପୁର ସହରରେ ଏଭଳି ଘଟିଛି । ବଡ଼ ଡାକ୍ତରଖାନାରେ ଶବ ବୋହିବାକୁ ମହାପ୍ରୟାଣ ଗାଡ଼ି ମିଳିଲାନି । ୬ ଘଣ୍ଟା ୮୦ବର୍ଷ ବୟସର ଜଣେ ବୃଦ୍ଧାଙ୍କ ଶବ ପଡି ରହିଲା । ପରେ ପଟା ରିକ୍ସାରେ ବୋହି ନେଲେ ଝିଅ ଓ ପୁଅ । ଅଞ୍ଚଳବାସୀ ଶବକୁ ନେଇ ଅନ୍ତିମ ସଂସ୍କାର କରିଛନ୍ତି । ବ୍ରହ୍ମପୁର ଜାଗିଲି ସାହିରେ ଯାଯାବର ଜୀବନ କାଟୁଥିବା ଚନ୍ଦ୍ରମା ସିଂଙ୍କ ମୃତୁ୍ୟ ପରେ ତାଙ୍କ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ବ୍ୟବସ୍ଥା କରିନଥିଲେ । ଯାହାଫଳରେ ତାଙ୍କ ଝିଅ ସନ୍ତୋଷିନୀ ବେହେରା ଓ ପୁଅ ତ୍ରିନାଥ ସିଂ ଶବକୁ ଗୋଟିଏ ପଟା ରିକ୍ସାରେ ବୋହି ନେଉଥିଲେ ।
ଆଜି ଅପରାହ୍ନ ୩ଟା । ବଡ଼ ଡାକ୍ତରଖାନା କ୍ୟାମ୍ପସ୍ରେ ଗୋଟିଏ ରିକ୍ସାରେ ଶବକୁ ନେଇ ଜଣେ ମହିଳା ଓ ପୁରୁଷ କାନ୍ଦି କାନ୍ଦି ଆସୁଥିଲେ । ଜଣେ ସାମ୍ବାଦିକ ଏହି ଦୃଶ୍ୟ ଦେଖି ସେମାନଙ୍କୁ ଅଟକାଇଥିଲେ ଏବଂ ସମସ୍ୟା ପଚାରିଥିଲେ । ଜଣାଗଲା ଯେ, ବଡ଼ ଡାକ୍ତରଖାନାରେ ମା’ର ମୃତୁ୍ୟ ହେବା ପରେ ଝିଅ ଓ ପୁଅ ଶବକୁ ରିକ୍ସାରେ ନେଉଥିଲେ । ସକାଳ ୯ଟାରୁ ଡାକ୍ତର ମୃତ ଘୋଷଣା କରିଥିଲେ କିନ୍ତୁ ଘର ପର୍ଯ୍ୟନ୍ତ ଶବକୁ ନେବାକୁ କେହି ବ୍ୟବସ୍ଥା କରିନଥିଲେ । ଗରିବ ଲୋକଙ୍କ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିବା ସହ ରେଡକ୍ରସ୍ ପାଣ୍ଠିରୁ ମଧ୍ୟ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । କିନ୍ତୁ ଚନ୍ଦ୍ରମାଙ୍କ ଶବ ଶ୍ମଶାନକୁ ନେବା ଏବଂ ସକ୍ରାର କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନାହିଁ ।
ସନ୍ତୋଷିନୀଙ୍କ ଅଭିଯୋଗ ପ୍ରକାରେ ସେମାନେ ଯାଯାବର । ଜାଗିଲି ସାହିରେ ଗୋଟିଏ ବାରଣ୍ଡାରେ ଜୀବନ କାଟୁଥିଲେ । ସୋମବାର ତାଙ୍କ ମାଆ ଚନ୍ଦ୍ରାମାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରୁ ତାଙ୍କୁ ମେଡିସିନ ୱାର୍ଡକୁ ନିଆଯାଇଥିଲା । ଆଜି ସକାଳ ୮ଟା ୪୫ରେ ତାଙ୍କର ମୃତୁ୍ୟ ହୋଇଥିଲା । ଚନ୍ଦ୍ରମାଙ୍କ ମୃତୁ୍ୟ ପରେ ତାଙ୍କୁ ସେଠାରୁ ନେଇଯିବାକୁ ଡାକ୍ତର କହିଥିଲେ । ସେ ଆମ୍ବୁଲାନ୍ସ କଥା ପଚାରିବାରୁ ତାଙ୍କୁ କୁଆଡେ଼ ଟଙ୍କା ମାଗିଥିଲେ । ପାଖରେ ଟଙ୍କାଟିଏ ନଥିଲା । ତେଣୁ ଶବ କେମିତି ନେବେ କିଛି ଚିନ୍ତା କରିପାରିନଥିଲେ ।
ସେ ଜାଗିଲି ସାହିରେ ଏ ସମ୍ପର୍କରେ କହିବା ପରେ ଅଞ୍ଚଳବାସୀ ଗୋଟିଏ ରିକ୍ସା ପଠାଇଥିଲେ । ଅପରାହ୍ନ ୩ଟାରେ ଶବ ଡାକ୍ତରଖାନାରୁ ଘରକୁ ନେଉଥିଲେ । ନୂଆବସ୍ଷ୍ଟାଣ୍ଡ ମେଡିକାଲ ଗେଟ୍ ପାଖରେ ରିକ୍ସାରେ ଶବ ବୁହାଯାଉଥିବା ଦେଖି ସାମ୍ବାଦିକ ଓ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ । ସେଠାରେ କିଛି ସମୟ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ସରକାରୀ ଆମ୍ବୁଲାନ୍ସ ଆସିନଥିଲା । ଯୁବକ ମାନେ ସେମାନଙ୍କୁ ଆର୍ଥିକ ସହାୟତା ଦେଇଥିଲେ । ସେହିବାଟ ଦେଇ ଯାଉଥିବା ପୂର୍ବତନ କର୍ପୋରେଟର ଆର୍.ମୂରଲି ମୋହନ ସେଠାରେ ଅଟକିଥିଲେ । ଶବକୁ ବୋହିବା ପାଇଁ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ ଏବଂ ଶବ ଶକ୍ରାର ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରିଥିଲେ । ଗୋକର୍ଣ୍ଣେଶ୍ୱର ଶ୍ମଶାନରେ ଶବର ଅନ୍ତିମ ସଂସ୍କାର କରାଯାଇଥିଲା । ଆଇନଜୀବୀ ପ୍ରଦୀପ କୁମାର ବେହେରା ଓ ଅନ୍ୟ କିଛି ଯୁବକ ମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଶବ ନେବା ସମ୍ପର୍କରେ ପରିବାର ଲୋକ କିଛି ସୂଚନା ଦେଇନାହାନ୍ତି । ମୃତୁ୍ୟ ପରେ ଶବକୁ ସେମାନେ ନେଇଯାଇଛନ୍ତି ବୋଲି କହିଛନ୍ତି । ସେପଟେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ କହିଛନ୍ତି ଏହି ଘଟଣା ନଜରରେ ନଥିଲା । ଯଦି ଏମିତି ଅସୁବିଧା କେହି ଜାଣୁଛନ୍ତି, ତାହେଲେ ତାଙ୍କ ନଜରକୁ ଆଣିବାକୁ ସେ କହିଛନ୍ତି । ତେବେ ହସ୍ପିଟାଲ୍ରେ ଲୋକ ମହାପ୍ରୟାଣ ଗାଡ଼ି କିପରି ସୁବିଧାରେ ପାଇବେ ତାହାର ବ୍ୟବସ୍ଥା କରିବାକୁ ଆଲୋଚନା କରାଯିବ । ଅଧିକ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯାଉଛି ଏବଂ ବଡ଼ ଡାକ୍ତରଖାନା ପରିସରରେ ବଡ଼ ଡିସପ୍ଲେବୋର୍ଡ ଲଗାଇ ଫୋନ୍ ନମ୍ବର ଦିଆଯିବ । ଯାହାଫଳରେ ରୋଗୀ ସହଜରେ ମହାପ୍ରୟାଣ ଗାଡ଼ି ପାଇପାରିବେ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.