ରୋଗାକ୍ରାନ୍ତ ମା’ର ସେବା କରି ସାରା ଜୀବନ ରହିଗଲେ ଅବିବାହିତା ଫୁଲମତି

Get real time updates directly on you device, subscribe now.

ବୈପାରିଗୁଡ଼ା: କୁହାଯାଏ ମା’ର ସେବାଠାରୁ ବଳି ବଡ଼ ସେବା ଆଉ ଦୁନିଆରେ କିଛି ନାହିଁ । ଏକଥାକୁ ଶୈଶବରୁ ଭଲ ଭାବେ ବୁଝିଛନ୍ତି ବୈପାରିଗୁଡ଼ା ବ୍ଲକ୍ ପଡେ଼ଇଗୁଡ଼ା ଗାଁର ଫୁଲମତୀ ଖିଲ(୪୦) । ମାନସିକ ରୋଗରେ ଆକ୍ରାନ୍ତ ଥିବା ମା’ର ସେବା କରି କରି ନିଜ ସଂସାର ବସାଇବାକୁ ଭୁଲିଯାଇଛନ୍ତି ସେ । ସାରା ଜୀବନ ଅବିବାହିତା ହୋଇ ରହିଯାଇଛନ୍ତି । ଦୀର୍ଘ ୨୫ ବର୍ଷ ପରେ ଏବେ ସୁସ୍ଥ ହୋଇଛନ୍ତି ମା’ ରୁକୁଣା । ନିଜ କାମ ନିଜେ କରିପାରୁଛନ୍ତି । ସାର୍ଥକ ହୋଇଛି ଫୁଲମତୀଙ୍କ ସେବା । ସାରା ଜୀବନ ଅବିବାହିତା ହୋଇ ରହିଯାଇଥିଲେ ହେଁ, ମନରେ ଟିକିଏ ହେଲେ ଅବସୋସ ନାହିଁ । ଫୁଲମତୀଙ୍କ ଏଭଳି ଉତ୍ସର୍ଗୀକୃତ ମାତୃସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ବିଭିନ୍ନ ମହଲରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।
ଫୁଲମତୀଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ହୋଇଥିଲା, ସେତେବେଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ ରୁକୁଣା । ଶ୍ରମିକ ଭାବେ କାମ କରୁଥିବା ସ୍ୱାମୀ ମୁଦି ଖିଲ କିଛି ଉପାୟ ପାଇନଥିଲେ । ଝିଅ ଫୁଲମତୀଙ୍କୁ ସାଙ୍ଗରେ ଧରି ଡାକ୍ତରଖାନାଠାରୁ ଆରମ୍ଭ କରି ଗୁଣିଆ ପାଖକୁ ଦୌଡ଼ିଥିଲେ । ଏମିତିକି ପୁରୀ ଯାଇ ସ୍ୱତନ୍ତ୍ର ଯଜ୍ଞର ଆୟୋଜନ କରିଥିଲେ । ସବୁକିଛି ବୃଥା ଯାଇଥିଲା । କିନ୍ତୁ ଶୈଶବରୁ ରୁକୁଣାଙ୍କ ସେବାରେ ଲାଗିପଡିଥିଲେ ଫୁଲମତୀ । ଦିନରାତି ତାଙ୍କରି ସେବାରେ ସମୟ ବିତାଇଥିଲେ । ଔଷଧ ଦେବାଠାରୁ ଆରମ୍ଭ କରି ସବୁ ପ୍ରକାର ସେବା ସୁଶ୍ରୁଷା କରିଥିଲେ । ତମାମ ଜୀବନ ସଂଘର୍ଷ କରି କରି ଏବେ ୪୦ ବର୍ଷରେ ପାଦ ଦେଇଛନ୍ତି ଫୁଲମତୀ ।
ରୁକୁଣାଙ୍କ ଏଭଳି ଅବସ୍ଥା ଦେଖି ସହାୟତାର ହାତ ବଢାଇଥିଲା ବ୍ଲକ୍ରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁÂାନ ସ୍ପେ୍ରଡ୍ । ରୁକୁଣାଙ୍କୁ ସାଥୀରେ ନେଇ ପହଞ୍ଚିଥିଲା କୋରାପୁଟ ମେଡିକାଲ୍ରେ । ମାନସିକ ରୋଗ ବିଭାଗର ତ+ାଳୀନ ଅଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ରଙ୍କୁ ଦେଖାଇବା ପରେ ସେ ବିଭିନ୍ନ ଔଷଧ ଖାଇବାକୁ ଦେଇଥିଲେ । ଏବେ ସୁସ୍ଥ ଅଛନ୍ତି ରୁକୁଣା । ଦୀର୍ଘ ୨୫ ବର୍ଷ ପରେ ମାନସିକ ରୋଗରୁ ମୁକ୍ତି ପାଇଛନ୍ତି । ଘରର ଯାବତୀୟ କାର୍ଯ୍ୟ କରିପାରୁଛନ୍ତି । ଏମିତିକି ଭାଗ ଚାଷ କରିବା ସହ ମଇଁଷି ଚରାଇ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସହଯୋଗ କରୁଛନ୍ତି । ଏଥିଲାଗି ସମସ୍ତ ଶ୍ରେୟ ଫୁଲମତୀଙ୍କୁ ଯାଇଛି । ତାଙ୍କ ତଳେ ଥିବା ଦୁଇ ଭଉଣୀଙ୍କୁ ବିବାହ କରାଇ ସାରିଛନ୍ତି ଫୁଲମତୀ । କିନ୍ତୁ ନିଜେ ମା’ର ସେବା ଲକ୍ଷ୍ୟ ନେଇ ଅବିବାହିତା ରହିଯାଇଛନ୍ତି । ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ଗର୍ବରେ କହିଛନ୍ତି, ଜୀବନରେ ଯାହା ଲକ୍ଷ୍ୟ ଥିଲା ତାହା ଏକ ପ୍ରକାର ପୂରଣ ହୋଇସାରିଛି । ସୁସ୍ଥ ହୋଇସାରିଛି ମା’ । ଏହାଠାରୁ ଆଉ ବଡ ଉପହାର ତାଙ୍କ ପାଇଁ କ’ଣ ବା ହୋଇପାରିଥାନ୍ତା । ବାପାମାଆଙ୍କ ପାଖରେ ରହିବା ଏବଂ ବୟସର ଅପରାହ୍ଣରେ ସେମାନଙ୍କ ସେବା କରିବା ଭାଗ୍ୟରେ ଥିଲେ ମିଳେ । କେବଳ ଦୁଃଖ ଏତିକି ଯେ, ଏହି ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ସରକାରଙ୍କ ତରଫରୁ ପରିବାରର ୩ ଜଣଙ୍କୁ ମିଳୁଛି ମାସିକ ୧୫୦୦ ଟଙ୍କା ଭତ୍ତା ଏବଂ ୧୫ କେଜି ଚାଉଳ । ଏଥିସହ ମୂଲ ଲାଗି କୌଣସି ପ୍ରକାରେ ସେମାନେ ଜୀବନ ଅତିବାହିତ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଫୁଲମତୀଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବାକୁ ନିବେଦନ କରାଯାଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons