ରୋଗୀଙ୍କୁ ହାତରେ ଟେକି ଟେକି ଆଣିଲେ ପରିବାର ଲୋକ

Get real time updates directly on you device, subscribe now.

ଖଇରା,(ବି.ବି.ନୁ୍ୟଜ୍): ମାତ୍ର ଦିନ କେଇଟା ପରେ ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳିବ । ହେଲେ ସ୍ୱାଧୀନତାର ସ୍ୱାଦ ଆଜି ପର୍ଯ୍ୟନ୍ତ ଲୋକେ ଜାଣି ପାରିଲେନି । ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ପ୍ରଗତି ସମ୍ଭବ । ମାତ୍ର ଅଦ୍ୟାବଧି ଯେ ଗ୍ରାମାଞ୍ଚଳର ଉନ୍ନତି ହୋଇନି. ତା’ ନିଃସନେ୍ଦହରେ କୁହାଯାଇପାରେ । ରାଜ୍ୟ ସରକାରଠାରୁ କେନ୍ଦ୍ର ସରକାର ଯାଏ ଗ୍ରାମାଞ୍ଚଳବାସୀଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ଏଥିପାଇଁ ହଜାର ହଜାର କୋଟି ଟଙ୍କା ମଧ୍ୟ ବ୍ୟୟ ବରାଦ ମଧ୍ୟ ହେଉଛି । ଏତେ ପରେ ବି ବାସ୍ତବରେ ଗ୍ରାମାଞ୍ଚଳର ଅବସ୍ଥା କିଛି ବଦଳୁ ନାହିଁ । ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଗ୍ରାମାଞ୍ଚଳର ଲୋକ । ଏହାର ନିଚ୍ଛକ ପ୍ରମାଣ ମିଳିଛି ଖଇରା ବ୍ଲକ୍ ରପେୟା ଗ୍ରାମପଞ୍ଚାୟତ ଅଧୀନ ବାରାପୁର ଗ୍ରାମର ଗଡ଼ାଗଡ଼ିଆ ଆଦିବାସୀ ସାହିରେ ।
ସୂଚନା ଅନୁଯାୟୀ, ବାରାପୁର ଗ୍ରାମର ଗଡ଼ାଗଡ଼ିଆ ଆଦିବାସୀ ସାହିକୁ ନିୟମିତ ଯାତାୟତ ପାଇଁ ରାସ୍ତାଟିଏ ନାହିଁ । ଏହି ସାହିକୁ ଯିବା ପାଇଁ ବାରାପୁର ଛକରୁ ୧.୫ କିମି ରାସ୍ତାକୁ ଅତିକ୍ରମ କରିବା ପାଇଁ ଏକମାତ୍ର ବିଲ ହିଡ଼ ହିଁ ଭରସା । ଫଳରେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହିକୁ ଏକ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି ହେଉଥିଲେ ମଧ୍ୟ ଏହାର କିଛି ସୁଫଳ ମିଳିନାହିଁ । ସୋମବାର ଉକ୍ତ ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗୁରୁତର ରୋଗୀଙ୍କୁ ପରିବାର ଲୋକେ ଦୀର୍ଘ ଏକ କିମି ହାତରେ ଟେକି ଟେକି ମୁଖ୍ୟ ରାସ୍ତା ନିକଟକୁ ଆଣିଥିଲେ । ରାମ ସିଂଙ୍କ ଝିଅ ଡୋଲୁ ଏକ ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ । ସୋମବାର ଡୋଲଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ଗ୍ରାମକୁ କୌଣସି ଗାଡ଼ି ଯାଇ ପାରିନଥିଲା । ଏଣୁ ମୁଖ୍ୟ ରାସ୍ତା ନିକଟକୁ ଲୋକେ ତାଙ୍କୁ ହାତରେ ଟେକି ଟେକି ଆଣିଥିଲେ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons