ବ୍ରିଟେନର ୱେଷ୍ଟ ମିଡଲ୍ୟାଣ୍ଡ ଅନ୍ତର୍ଗତ ୱାଲସଲ ମାନୋର ହସ୍ପିଟାଲରେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରୁଥିବା ଜଣେ ୩୬ ବର୍ଷୀୟା ନର୍ସ ଏବେ ସେହି ରୋଗରେ ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏକଥା ଜଣାପଡିବା ପରେ ହସ୍ପିଟାଲରେ ଆତଙ୍କ ସୃଷ୍ଟି ହୋଇଛି । ସେଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି । ସଂକ୍ରମିତ ନର୍ସଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ସେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ତିନି ସନ୍ତାନର ଜନନୀ ଅରିମା ନରସିନଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ଭାଙ୍ଗି ପଡିଛନ୍ତି । ଅରିମା ଦୀର୍ଘ ୧୬ ବର୍ଷ ହେଲା ଉକ୍ତ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଉକ୍ତ ହସ୍ପିଟାଲକୁ ଆସୁଥିବା ବହୁ ରୋଗୀଙ୍କୁ ସେ ବିନା ଦ୍ୱିଧାରେ ଚିକିତ୍ସା କରି ଭଲ କରିବାରେ ସକ୍ଷମ ହୋଇଛନ୍ତି । କିନ୍ତୁ ଚିକିତ୍ସା କରିବା ଭିତରେ ସେ କେତେବେଳେ ଏହି ଘାତକ ମହାମାରୀର କବଳରେ ପଡିଯାଇଥିଲେ ନିଜେ ଜାଣିପାରି ନଥିଲେ । ୧୦ ଦିନ ତଳେ ପ୍ରଥମେ ତାଙ୍କୁ ଜ୍ୱର ହୋଇଥିଲା । ସେ ଏହାକୁ ହେୟ ଭାବି ନେଇଥିଲେ । ଧିରେ ଧିରେ ଜ୍ୱର ବଢ଼ିବା ସହ ମୁଣ୍ଡବିନ୍ଧା ଓ ଶରୀର ପୀଡା ହେଲା । ତଥାପି ସେ ଏହାକୁ ଅଣଦେଖା କରିଥିଲେ । ସେ ବିଶ୍ୱାସ କରିନେଇଥିଲେ ଯେ କରୋନା କେବଳ ବୟସ୍କ ବ୍ୟକ୍ତିଙ୍କୁ ହିଁ ଟାର୍ଗେଟ କରିଥାଏ । ହେଲେ ସେ ପ୍ରକୃତ କଥା ଜାଣିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ପ୍ରାୟ ୫ ଦିନ ପରେ ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁଇଦିନ ତଳେ ପରୀକ୍ଷାରୁ ସେ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ତଥାପି ହସ୍ପିଟାଲର ଡାକ୍ତର ଓ ନର୍ସମାନେ ଅରିମାଙ୍କର ସେବା ଜାରି ରଖିଛନ୍ତି । ଏହି ହସ୍ପିଟାଲରେ ଦୁଇଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ମାର୍ଚ୍ଚ ୧୨ରେ ଜଣେ ୮୦ ବର୍ଷୀୟା ମହିଳା ଓ ମାର୍ଚ୍ଚ ୧୬ରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ଏଠାରେ ଚିକିତ୍ସାଧୀନ ଥିବା ବେଳେ ପ୍ରାଣ ହରାଇଥିଲେ ।


Comments are closed, but trackbacks and pingbacks are open.