ରୋଟାରି ପକ୍ଷରୁ ପୁରୀରେ ଶୁଖିଲା ଖାଦ୍ୟ ଓ ସାବୁନ୍ ବଂଟନ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍):ପୁରୀ ସହରରେ ଦିନ ମଜୁରିଆମାନଙ୍କୁ ରୋଟାରି ଇଂଟରନାସନାଲ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ସାଧାରଣ ଲୋକଙ୍କ ସହାୟତା ଦିଗରେ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ରୋଟାରି ଇଂଟରନାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ କ୍ଷୁଧାକୁ ରୋକିବା ଉପରେ ପ୍ରାଥମିକତା ଦେଇ ଆସିଛି । ପୁରୀର ରୋଟାରିଆନ୍ମାନଙ୍କ ସହଯୋଗରେ ରାଜ୍ୟ ରୋଟାରି ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କମିଟି ଶୁଖିଲା ଖାଦ୍ୟ ପ୍ୟାକେଟ୍, ସାବୁନ୍ ଆଦି ବଂଟନ କରିଛି ।
ଦିନ ମଜୁରିଆ, ଦାଦନ ଶ୍ରମିକ, ହକର୍, ରିକ୍ସା ଚାଳକ, ଅଟୋ ଚାଳକ, ହୋଟେଲ ଆଟେଣ୍ଟାଂଟ ଆଦି ଯେଉଁମାନେ କୋଭିଡ୍-୧୯ ତାଲାବନ୍ଦରେ ଆୟ ସଂକୋଚନ ହେତୁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଏବଂ କ୍ଷୁଧା ଭଳି ସ୍ଥିତିକୁ ସାମ୍ନା କରୁଛନ୍ତି ସେମାନଙ୍କ ସହାୟତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବଂଟା ଯାଇଥିବା ପ୍ୟାକେଟ୍ଗୁଡ଼ିକରେ ଚାଉଳ, ଡାଲି, ସୁଜି, ଚୁଡ଼ା, ଚିନି, ଆଳୁ, ପିଆଜଠାରୁ ଆରମ୍ଭକରି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସାବୁନ୍ ଓ ହ୍ୟାଣ୍ଡୱାସ୍ ଆଦି ପ୍ରଦାନ କରାଯାଉଛି । ରାଜ୍ୟ ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଉଥିବାବେଳେ ରୋଟାରି ଭୋକିଲାମାନଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଣ କରି କ୍ଷୁଧା ମେଂଟାଇବାର ଉଦ୍ୟମ ଜାରି ରଖିଛି । ଗତ ସପ୍ତାହରେ ଏହି ବଂଟନ ଦ୍ୱାରା ଏକ ହଜାରରୁ ଅଧିକ ଦିନ ମଜୁରିଆ ଉପକୃତ ହୋଇ ପାରିଥିଲେ । ପୁଣି ଥରେ ରୋଟାରି ଏହି ଖାଦ୍ୟ ପ୍ୟାକେଟ୍ ବଂଟନ କରିଛି । ସାମାଜିକ ଦୂରତା ରକ୍ଷା କରାଯାଇ ଏହି ଖାଦ୍ୟ ପ୍ୟାକେଟ ବଂଟନ କରାଯାଉଛି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ରୋଟାରି ସିଏସ୍ଆର୍ କମିଟି ଚେୟାରମ୍ୟାନ୍ ତପନ କୁମାର ଚାନ୍ଦ ପ୍ରକାଶ କରିଛନ୍ତି ।
ରୋଟାରି ଗଭଣ୍ଣ ର୍ର ଶ୍ରୀ ଦେବାଶିଷ ମିଶ୍ର ଏବଂ ଗଭଣ୍ଣ ର୍ର (ଇଲେକ୍ଟ) ସୌମ୍ୟକୁମାର ମିଶ୍ର, ସିଏସଆର୍ କମିଟି ଚେୟାରମ୍ୟାନ୍ ତପନ କୁମାର ଚାନ୍ଦ, ରାଜ୍ୟ କମିଟି ସଦସ୍ୟା ଜୟଶ୍ରୀ ମହାନ୍ତିଙ୍କ ସମେତ ରୋଟାରି କ୍ଲବ୍ ପୁରୀ, ରୋଟାରି କ୍ଳବ୍ ଜଗନ୍ନାଥ ଧାମ, ରୋଟାରି କ୍ଲବ୍୍ ପୁରୀ ଶ୍ରୀକ୍ଷେତ୍ର, ରୋଟାରି କ୍ଳବ୍ ପୁରୀ ନୀଳାଚଳ ଏବଂ ରୋଟାରି କ୍ଳବ୍ ସାଗରର ସଭାପତି ତଥା ପୂର୍ବତନ ସଭାପତିମାନେ ଏହି ବଂଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ରୋଟାରି ଇଂଟରନାସନାଲ୍ର ଏହିଭଳି ସମାଜସେବା କାର୍ଯ୍ୟକୁ ସାଧାରଣରେ ଏବଂ ବିଶେଷକରି ଦିନ ମଜୁରିଆ, ଅଟୋଚାଳକ, ହକର୍, ହୋଟେଲ ଆଟେଣ୍ଟାଂଟ ସଂଘଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons