ଲକ୍ଡାଉନ୍ କଟକଣା:ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେନି ଇ-କମର୍ସ କମ୍ପାନି

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରବିବାର ଇ-କମର୍ସ କମ୍ପାନିଙ୍କ ଲାଗି କିଛି ଗାଇଡ୍ଲାଇନ୍ ଜାରି କରିଛି । ଏହି ଗାଇଡ୍ଲାଇନ୍ ମୁତାବକ ଇ-କମର୍ସ କମ୍ପାନିମାନେ ଲକ୍ଡାଉନ୍ ଅବଧିରେ ଗ୍ରାହକଙ୍କୁ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେ ନାହିଁ । ମେ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଦେଶବ୍ୟାପୀ ଲକ୍ଡାଉନ୍ରେ କମ୍ପାନିମାନେ ଏହି ନିୟମ ପାଳନ କରିବେ ।
ଗତ ସପ୍ତାହରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏକ ବିସ୍ତୃତ ଗାଇଡ୍ଲାଇନ୍ ଜାରି କରାଯାଇଥିଲା । ଏଥିରେ କିଛି କଟକଣା କୋହଳ କରାଯାଇଥିଲା । ପାଖାପାଖି ୫୦ଧ ଅର୍ଥନୀତିକୁ ଉନ୍ମୁକ୍ତ କରାଯାଇଥିଲା । ଏହା ଅନୁସାରେ ଏପ୍ରିଲ ୨୦ରୁ କେତେକ କ୍ଷେତ୍ର ପାଇଁ ନିୟମ କୋହଳ ହେବାକୁ ଯାଉଛି । ତେଣୁ ଇ-କମର୍ସ କମ୍ପାନିମାନେ ସେମାନଙ୍କ ଅନ୍ଲାଇନ୍ ବିକ୍ରିକୁ ଜୋରଦାର କରିବା ଲାଗି ରଣନୀତି ଆରମ୍ଭ କରିଦେଇଥିଲେ । ଏବେ ଲକ୍ଡାଉନ୍ରେ ସମସ୍ତ ସୋ’ରୁମ ଓ ଅନ୍ୟା ସବୁ ଛୋଟବଡ଼ ଦୋକାନ ବନ୍ଦ ଥିବାରୁ ଇ-କମର୍ସ କମ୍ପାନିମାନେ ଏହାର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏହି ସଦ୍ୟ ମାର୍ଗଦର୍ଶିକା ସେମାନଙ୍କୁ ନିରୁତ୍ସାହିତ କରିଛି । ଏବେ ସେମାନେ ଲକ୍ଡାଉନ୍ ଶେଷ ନ ହେବା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗ୍ରାହକଙ୍କୁ ଯୋଗାଇ ପାରିବେ । ମୋବାଇଲ ଫୋନ, ଟିଭି ଓ ରେଫ୍ରିଜରେଟର ଭଳି ସାମଗ୍ରୀ ସେମାନେ ବିକ୍ରି କରିପାରିବେ ନାହିଁ ।
ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁର ଶୃଙ୍ଖଳ ଭାଙ୍ଗିବା ଏବଂ ଏହାକୁ ଅଧିକ ବ୍ୟାପିବାକୁ ନ ଦେବା ଲକ୍ଷ୍ୟ ନେଇ ମୋଦି ସରକାର ମାର୍ଚ୍ଚ ୨୪ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଦେଶକୁ ଲକ୍ଡାଉନ୍ ଘୋଷଣା କରିଥିଲେ । ଏହାପରେ ଏପ୍ରିଲ ୧୪ରେ ପୁଣି ଲକ୍ଡାଉନ୍ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଲକ୍ଡାଉନ୍ ଅବଧି ବେଳେ ଖାଦ୍ୟ, ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ଆଦିର ପରିବହନ ଏବଂ ଯୋଗାଣ ହୋଇପାରିବ ବୋଲି ସରକାର କହିଥିଲେ ।
ଆହୁରି ମଧ୍ୟ ଏପ୍ରିଲ ୧୫ରେ ସରକାର ଏକ ବ୍ୟାପକ ମାର୍ଗଦର୍ଶିକା ଜାରି କରିଥିଲେ । କରୋନା ବ୍ୟାପି ନ ଥିବା ଅଞ୍ଚଳରେ କେତେକ ଉତ୍ପାଦ ଓ ସେବା ଯୋଗାଣ ଉପରେ କଟକଣା କୋହଳ କରିଥିଲେ । ଏଥିସହ ଗ୍ରାମୀଣ ଶିଳ୍ପ, କୃଷି କ୍ଷେତ୍ର ଓ ଅନ୍ୟ କେତେକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆଦି ପାଇଁ ନିୟମ କୋହଳ କରାଯାଇଥିଲା । ସେହିଭଳି ଇ-କମର୍ସ ପ୍ଲାଟଫର୍ମରେ ଖାଦ୍ୟ, ଔଷଧ ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଣ ହୋଇପାରିବ ବୋଲି କୁହାଯାଇଥିଲା । ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏହି ଗାଇଡ୍ଲାଇନ୍ ପରେ ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶା ଭଳି କେତେକ ରାଜ୍ୟ ଇ-କମର୍ସ କାରବାର ପରିଚାଳନା ପାଇଁ ନିଦେ୍ର୍ଧଶାବଳି ଜାରି କରିଥିଲେ । କିନ୍ତୁ ଏବେ ଇ-କମର୍ସ କମ୍ପାନିମାନେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons