ପୋଲସରା,(ବି.ବି.ନୁ୍ୟଜ୍): କରୋନାକୁ ନେଇ ସାରାଦେଶରୁଗୋଟିଏ ପରେ ଗୋଟିଏ କରୁଣ କାହାଣୀ ଆସୁଥିବା ବେଳେ ଏହି ତାଲିକାରେ ଆଉ ଗୋଟିଏ ଚିତ୍ର ଯୋଡ଼ିହୋଇଯାଇଛି । ଲକ୍ଡାଉନ୍ରେ ଘର ମୁହାଁ ହୋଇଥିବା ଶ୍ରମିକଙ୍କ ସୀମାହୀନ ଦୁଃଖ ଭୂତାଣୁ ଭୟଠାରୁ ବଳିଯାଇଛି । ଘରକୁ ଆସିବା ପାଇଁ ସୁରଟ ଷ୍ଟେସନରେ ପହଞ୍ଚିଲେ । ହେଲେ ଟ୍ରେନ୍ ଚଢ଼ିପାରିଲେନି । ଘରେ ପହଞ୍ଚିବା ଆଗରୁ ଚାଲିଗଲା ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତ ଖଇର ଛଟା ଗାଁରୁ ଆସିଛି । ମୃତ ଯୁବକ ଜଣକ ହେଲେ ସିଲୁ ଜେନା । ସିଲୁ ସୁରଟରେ ସୂତାକଳରେ କାମ କରନ୍ତି । ଅନ୍ୟ ଶ୍ରମିକଙ୍କ ଭଳି ଏବେ ସେ ଘର ମୁହାଁ ହୋଇଥିଲେ । ଏଥିପାଇଁ ସେ ସୁରଟ ଷ୍ଟେସନରେ ପହଞ୍ଚିଥିଲେ । ବସ୍ରେ ଆସି ଟ୍ରେନ୍ ଧରିଥାନ୍ତେ ସିଲୁ । ହେଲେ ଗାଁକୁ ଆସିବାକୁ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ହଠାତ୍ ଦେହ ଅସୁସ୍ଥ ହେବାରୁ ସେଠାରେ ତାଙ୍କର ମୃତୁ୍ୟୃ ହୋଇଥିବା ଜଣାପଡିଛି । ଆଉ ସେହିଠାରେ ହିଁ ସାଙ୍ଗରେ ଥିବା ତାଙ୍କ ଭାଇ ଏବଂ ମାମୁଁ ଶବ ଶକ୍ରାର କରିଦେଇଥିଲେ । ଅନ୍ୟପଟେ ପରିବାରର ବୋଝ ଉଠାଉଥିବା ପୁଅ ଗଲାପରେ ଏବେ ବାହୁନି ବାହୁନି କାନ୍ଧୁଛନ୍ତି ତାଙ୍କ ମା । ଆଉ ଧୈର୍ଯ୍ୟହରା ହୋଇ ଚେତା ବୁଡିଯାଇଥିଲେ ତାଙ୍କ ସ୍ତ୍ରୀ । ଅନ୍ୟପଟେ ପରିବାର ରୋଜଗାରିଆ ପୁଅକୁ ହରାଇ ଥିବା ପରିବାରକୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ତରଫରୁ ଅନୁରୋଧ କରାଯାଇଛି ।


Comments are closed, but trackbacks and pingbacks are open.