ଲକ୍ଡାଉନ୍ ବେଳେ ଏଫ୍ସିଆଇର ଗୁରୁତ୍ୱପୂର୍ଣ ଭୂମିକା

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): କରୋନା ମହାମାରୀ ପାଇଁ ଲକ୍ଡାଉନ୍ ଲାଗୁ ହେବା ମାତ୍ରେ ଖାଦ୍ୟଶସ୍ୟ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଥିଲା । ଦେଶର ଗରିବ ଖଟିଖିଆଙ୍କୁ ଏହି ସମୟରେ ଖାଦ୍ୟଶସ୍ୟ ଯୋଗାଇବା ଏକ ଆହ୍ୱାନ ହୋଇଛି । ଏଭଳି ସ୍ଥିତିରେ ଭାରତୀୟ ଖାଦ୍ୟ ନିଗମର ଓଡ଼ିଶା ଶାଖା ଦେଶର ପୂର୍ବ ଓ ଦକ୍ଷିଣ ଭାଗର ୪ଟି ରାଜ୍ୟକୁ ନିରନ୍ତର ଖାଦ୍ୟଶସ୍ୟ ଯୋଗାଣ କରି ଏକ ଗୁରୁଦାୟିତ୍ୱ ତୁଲାଇ ଆସିଛି । ଗତ ମାର୍ଚ୍ଚ ୨୪ ତାରିଖରୁ ଚଳିତ ମାସ ୧୯ ତାରିଖ ସୁଦ୍ଧା ଏହି ଲକ୍ଡାଉନ୍ ସମୟ ମଧ୍ୟରେ ଏଫ୍ସିଆଇ ରାଜ୍ୟ ଶାଖା ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁକୁ ୭୮ଟି ରେଳ ର୍ୟାକ୍ରେ ମୋଟ୍ ୨ ଲକ୍ଷ ୩୩ ହଜାର ୫୦ ମେଟ୍ରିକ୍ ଟନ୍ ଚାଉଳ ଯୋଗାଇଛି । ସେହିପରି ଓଡ଼ିଶାରୁ ଏହି ବନ୍ଦ ସମୟ ମଧ୍ୟରେ ଏହାର ସମସ୍ତ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ପ୍ରାୟ ୧ ଲକ୍ଷ ୬୪ ହଜାର ମେଟ୍ରିକ୍ ଟନ୍ କଷ୍ଟମ୍ ମିଲିଂ ଚାଉଳ କିଣି ପ୍ରତିବଦ୍ଧତାର ପ୍ରମାଣ ଦେଇଛି ।
ଲକ୍ଡାଉନ୍ ଲାଗୁ ପରେ ଗରିବ ଗୁରୁବାଙ୍କ ପାଇଁ ଖାଦ୍ୟ ସଙ୍କଟର ଆଶଙ୍କା ଦେଶବ୍ୟାପି ଦେଖାଦେଇଥିଲା । ବିଶେଷକରି ଦିନ ମଜୁରିଆ ଲୋକେ କାମ ଧନ୍ଦାରୁ ବଞ୍ଚିତ ହେଉଥିବାରୁ ତାଙ୍କୁ ଖାଦ୍ୟ ଶସ୍ୟ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏଭଳି ଲକ୍ଡାଉନ୍ ସମୟରେ ମଧ୍ୟ ଏଫ୍ସିଆଇ ରାଜ୍ୟ ଶାଖା କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶନାମାକୁ ପାଳନ କରି ଅବିଚାରିତ ଭାବେ ବିଭିନ୍ନ ରାଜ୍ୟକୁ ରେଳ ଏବଂ ସଡ଼କ ପଥରେ ଖାଦ୍ୟ ଶସ୍ୟ ଯୋଗାଣ କରି ଆସୁଛି ।
ମାର୍ଚ୍ଚ ୨୪ରୁ ଚଳିତ ମାସ ୧୯ ତାରିଖ ମଧ୍ୟରେ ଏଫ୍ସିଆଇ ଓଡ଼ିଶାରୁ ୧ ଲକ୍ଷ ୬୩ ହଜାର ୯୯୫ ମେଟ୍ରିକ୍ ଟନ୍ କଷ୍ଟମ୍ ମିଲିଂ ଚାଉଳ କିଣିବାରେ ସଫଳ ହୋଇଛି । ସେହିପରି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁକୁ ୮୭ଟି ରେଳ ର୍ୟାକ୍ ଜରିଆରେ ୨ ଲକ୍ଷ ୩୩ ହଜାର ୫୦ ମେଟ୍ରିକ୍ ଟନ୍ ଚାଉଳ ଯୋଗାଣ କରି ରେକର୍ଡ ସୃଷ୍ଟି କରିଛି । ଏହାବାଦ୍ ସଡ଼କ ପଥରେ ମଧ୍ୟ ଝାଡ଼ଖଣ୍ଡକୁ ବିପୁଳ ପରିମାଣରେ ଚାଉଳ ଯୋଗାଣ କରାଯାଇଛି । ପୁଣି ଓଡିଶାରେ ଭରପୁର ଖାଦ୍ୟ ଶସ୍ୟ ମହଜୁଦ ରଖିବା ସହିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା (ଓଡବ୍ଲୁଏସ୍) ପାଇଁ ଉତ୍ତର ଭାରତରୁ ଗହମ ଆମଦାନୀ ଜାରି ରଖିଛି । ଚଳିତ ମାସ ୧୯ ତାରିଖ ସୁଦ୍ଧା ଏହି ଦୁଇ ଯୋଜନା ପାଇଁ ରାଜ୍ୟକୁ ଏଫ୍ସିଆଇ ୬୬ ହଜାର ୫୮୨ ମେଟ୍ରିକ୍ ଟନ୍ ଗହମ ଯୋଗାଇଛି । କେବଳ ଏହି ଲକ୍ ଡାଉନ୍ ସମୟରେ ଏନ୍ଏଫ୍ଏସ୍ଏ ଯୋଜନାରେ ୪.୮୯ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ପିଏମ୍ଜିକେଏୱାଇ ଯୋଜନାରେ ୭୬,୧୩୦ ମେଟ୍ରିକ୍ ଟନ୍ ଚାଉଳ ଓଡିଶାର ହିତାଧିକାରୀଙ୍କ ପାଇଁ ପ୍ରଦାନ କରାଯାଇଛି ।
ଏଫ୍ସିଆଇର କର୍ତ୍ତବ୍ୟନିÂ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏଭଳି ସଫଳତା ହାସଲ ହୋଇଥିବା ନେଇ ମହାପ୍ରବନ୍ଧକ ଏନ୍.କେ. ପ୍ରଧାନ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ଏହାଛଡା ବର୍ତ୍ତମାନ ରାଜ୍ୟ ତଥା ଦେଶର ଚାହିଦା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ରାଜ୍ୟ ତଥା ଦେଶର ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ଏଫ୍ସିଆଇ ନିରନ୍ତର ଭାବେ ଯୋଗାଣ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons