
ଲମତାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଲମତାପୁଟ ବ୍ଲକ କନାଗାଁ ଗାଁରେ ଶନିବାର ରାତି ଘେନୁଆ ଖେମୁଣ୍ଡୁଙ୍କ ଟାଇଲ୍ ଘରେ ନିଆଁଲାଗି ସମ୍ପୂର୍ଣ୍ଣ ପୋଡ଼ିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସୂଚନା ଅନୁଯାୟୀ, ଘେନୁଆଙ୍କ ନାତିଙ୍କ ଦେହ ଖରାପରୁ ତାଙ୍କ ବଡ଼ପୁଅ ଏବଂ ବୋହୂ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ । ଘେନୁଆଙ୍କ ସ୍ତ୍ରୀ ଦହନା କନାଗାଁରେ ଥିବା ମଝିଆ ପୁଅଙ୍କ ଘରକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ଘେନୁଆଙ୍କ ଘରେ ନିଆଁ ଲାଗିଥିବା ଦେଖିଥିଲେ ଗାଁଲୋକେ । କିନ୍ତୁ ନିଆଁର ପ୍ରକୋପ ଏତେଥିଲା ଯେ ଗାଁଲୋକେ କିଛି କରିପାରି ନଥିଲେ । ଲମତାପୁଟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘରେ ଥିବା ନଗଦ ୨ଲକ୍ଷ ଟଙ୍କା, ୪୫ ବସ୍ତା ଧାନ, ୧୦ ବସ୍ତା ମାଣ୍ଡିଆ, ସୁନାରୁପା ୧୦ ତୁଳା, ଲୁଗାପଟା, ବାସନକୁସନ ସବୁ ଜଳି ନଷ୍ଟ ହୋଇଯାଇଥିଲା । କାହାର ଜୀବନହାନି ଘଟିନାହିଁ । କିନ୍ତୁ ଘେନୁଆ ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ବ୍ଲକ ପ୍ରଶାସନ ଘେନୁଆଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗାଁଲୋକେ ନିବେଦନ କରିଛନ୍ତି ।


Comments are closed, but trackbacks and pingbacks are open.