ଭୁବନେଶ୍ୱର, (ବି.ବି.ବ୍ୟୁରୋ): ମକୁନ୍ଦ ବରାଳ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଆଜି ଜୟଦେବ ଭବନରେ ଏମ୍ବି ସ୍ମାରକୀ କ୍ରୀଡ଼ା ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ୫ ଜଣ କ୍ରୀଡ଼ାବିତ୍ ଯଥା-ଫୁଟ୍ବଲରେ ଲକ୍ଷ୍ମୀପ୍ରିୟା ଲେଙ୍କା, କରାଟେରେ ସୁଶ୍ରୀ ଭାନୁପ୍ରିୟା, କୁସ୍ତିରେ ଶିବାନୀ ଜେନା ଓ ଜୁଡୋରେ ନିତ୍ୟା ମାଝୀଙ୍କୁ ଏମ୍ବି ସ୍ମାରକୀ ଏବଂ ଆଥଲେଟ୍ ମନୀଷା ମେରେଲଙ୍କୁ ଏମ୍ବି ମେମୋରିଆଲ୍-ଅନୁରାଧା ବିଶ୍ୱାଳ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ବିଧାୟକ ଅରବିନ୍ଦ ଢ଼ାଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ମାନପତ୍ର, ଉପଢ଼ୌକନ ସହ ନଗଦ୧୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରୀ ସହରର ପ୍ରଥମ କୁସ୍ତି ଗୁରୁ ମକୁନ୍ଦ ବରାଳଙ୍କ ନାମରେ ୨୦୧୬ରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଉତ୍ସବରେ ପରିଚାଳନା ଟ୍ରଷ୍ଟି ପିୟୂଷ ମହାନ୍ତିଙ୍କ ସହ ଶିକ୍ଷାବିତ ଡ. ବଦ୍ରିନାଥ ପ;ନାୟକ, ଡ. ହରିପ୍ରସାଦପ;ନାୟକ, କ୍ରୀଡ଼ା ସଙ୍ଗଠକ ଇଂ ଚିତ୍ତରଞ୍ଜନ ସ୍ୱାଇଁ ଉପସ୍ଥିତ ରହିଥିଲେ ।
ଲକ୍ଷ୍ମୀପ୍ରିୟା ଲେଙ୍କା (ଫୁଟବଲ): ଓଡ଼ିଶା ମହିଳା ଫୁଟବଲର ନୂଆ ଆଶା । ସେ ବିଦ୍ୟାଳୟ ସ୍ତରରୁ ଖେଳ ଆରମ୍ଭ କରିଥିଲା ବେଳେ ଫୁଟବଲ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ । ୨୦୧୫ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜକନିକାରେ ଆୟୋଜିତ ୧୭ ବର୍ଷରୁ କମ ବିଦ୍ୟାଳୟ ଫୁଟବଲ ଚମ୍ପିଅନିସପ୍ରେ ଅଂଶଗ୍ରହଣ କରିଥିଲେ । ପରେ ସେ ଜାତୀୟସ୍ତରର ଜୁନିୟର ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
ଶିବାନୀ ଜେନା(କୁସ୍ତି): ରାଜ୍ୟ କୁସ୍ତିରେ ସେ ନୂଆ ସମ୍ଭାବନା । ସବଜୁନିୟର ପ୍ରତିଯୋଗିତାରୁ କ୍ୟାରିୟର ଆରମ୍ଭ କରିଥିବା ଶିବାନୀ ସିନିୟର ବର୍ଗରେ ମଧ୍ୟ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ୨୦୧୫ ଫେବ୍ରୁଆରୀ ୨୮ ତାରିଖରେ ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ସବଜୁନିୟର ବିଭାଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ନିତ୍ୟା ମାଝୀ (ଜୁଡୋ): ୨୦୧୯ ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବରମିଂହାମ୍ରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିଅନ୍ସିପ ପାଇଁ ନିତ୍ୟା ମନୋନୀତ ହୋଇଛନ୍ତି । କିସ୍ର ୧୦ମ ଶ୍ରେଣୀରେ ଅଧ୍ୟୟନରତ ନିତ୍ୟା ଏହା ପୂର୍ବରୁ ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଜାତୀୟସ୍ତରର ଜୁଡ଼ୋ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।
ସୁଶ୍ରୀ ଭାନୁପ୍ରିୟା (କରାଟେ): ରାଜ୍ୟସ୍ତରୀୟ ଜୁନିୟର ଓ ସବଜୁନିୟର କରାଟେ ପ୍ରତିଯୋଗିତାରେ ସଫଳତା ହାସଲ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସଫଳତା ହାସଲ କରିଛନ୍ତି ଭାନୁପ୍ରିୟା । ଜାତୀୟ ସବଜୁନିୟର ପ୍ରତିଯୋଗିତାରେ ରୌପ୍ୟ (୨୦୧୭), ବ୍ରୋଞ୍ଜ (୨୦୧୮) ଓ ସ୍ୱର୍ଣ୍ଣ (୨୦୧୯) ପଦକ ହାସଲ କରିଛନ୍ତି ।
ମନୀଷା ମେରେଲ (ଆଥଲେଟିକ): ୧୬ତମ ଜାତୀୟ ଜୁନିୟର ଫେଡେରେସନ ଆଥଲେଟିକ ଚାମ୍ପିଅନସିପ୍ର ଲଙ୍ଗଜମ୍ପରେ ଦ୍ୱିତୀୟ ଏବଂ ୩୪ତମ ଜାତୀୟ ଜୁନିୟର ଆଥଲେଟିକ ଚାମ୍ପିଅନସିପ୍ ଲଙ୍ଗ ଜମ୍ପ ଓ ୧୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ହାସଲ କରିଥିଲେ ।
Comments are closed, but trackbacks and pingbacks are open.