ଭୁବନେଶ୍ୱର : ବହୁତ ହୋଇଗଲା । ଆଉ ବାହାନାବାଜି ଚଳିବନି । ଲକ୍ଡାଉନ୍ ମାନିବାକୁ ସବୁ ବାଧ୍ୟ । ଯିଏ ନ ମାନିବେ, ବନ୍ଧା ହେବେ । ଅମାନିଆଙ୍କୁ ଆଉ ଛାଡ଼ିବନି ପୁଲିସ । ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି କେନ୍ଦ୍ର। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏହି ମର୍ମରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି । ଲକ୍ଡାଉନ ଗାଇଡ୍ଲାଇନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଆଇପିସି ଓ ବିପର୍ୟ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ବୁକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଲକ୍ଡାଉନ୍ ସତ୍ତ୍ୱେ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ଖୁଲମଖୁଲା ବୁଲୁଛନ୍ତି । ଏପରିକି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଅମାନିଆ ଲୋକେ ଗାଡ଼ି ଧରି ବୁଲୁଛନ୍ତି । ନାନାଦି ବାହାନା କରି ପୁଲିସକୁ ଚକ୍ମା ଦେଉଛନ୍ତି । କେତେକ ଜାଗାରେ ପୋଲିସ ମଧ୍ୟ ଢିଲା ହୋଇଥିବା ନଜରକୁ ଆସିଛି । ହାଟ ବଜାରରେ ସାମାଜିକ ଦୂରତ ନିୟମକୁ ଅନେକ ଜାଗାରେ ପାଳନ କରାଯାଉନି । ଦୋକାନ ବଜାରରେ ଲୋକେ ମୁହଁକୁ ମୁହଁ ଲଗାଇ ସାମଗ୍ରୀ କିଣୁଛନ୍ତି । ରାସ୍ତାକଡ଼ ଦୋକାନରେ ଭିଡ଼ ଜମୁଛି ।
ପନିପରିବା ପାଇଁ ଲୋକେ ତଟକା ବଜାର ଖୋଜି ଖୋଜି ବୁଲୁଛନ୍ତି । ଗାଁ ଗହଳରେ ଲୋକେ ତାସ ଖେଳ ଓ କ୍ରିକେଟରେ ମାତୁଛନ୍ତି । ଏବେ ବି ଅନେକ ଜାଗାରେ ଲୋକେ ରାସ୍ତାରେ ମର୍ଣ୍ଣିଂ ୱାକ୍ କରୁଥିବା ଦେଖିବାକୁ ମିଳୁଛି । ମାଛ, ମାଂସ ଦୋକାନରେ ପ୍ରବଳ ଭିଡ଼ ଜମୁଛି । ଏଭଳି ଅମାନିଆଙ୍କ ପାଇଁ କରୋନା ରୋଗର ସାମାଜିକ ସଂକ୍ରମଣ ଆରମ୍ଭ ହୋଇପାରେ । ସାମାଜିକ ସଂକ୍ରମଣ ଆରମ୍ଭ ହେଲେ କରୋନାକୁ ରୋକିବା କାଠିକର ପାଠ ହେବ । ତେଣୁ ଏ ଦିଗରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।
କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଲକ୍ଡାଉନ ଗାଇଡ୍ଲାଇନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଆଇପିସି ଓ ବିପର୍ୟ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ବୁକ୍ କରାଯାଉ । ମାର୍ଚ୍ଚ ୨୪ରେ ଘୋଷଣା କରାଯାଇଥିବା ଲକ୍ଡାଉନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି ଯେଉଁମାନେ ଏହାକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ବିପର୍ୟ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇସିପିରି ଧାରା ୧୮୮ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ଯେଉଁମାନେ ଲକ୍ଡାଉନ ଗାଇଡ୍ଲାଇନ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ ଏହି ଦଫାରେ ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଲକ୍ଡାଉନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି । ଯେଉଁମାନେ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି, ସେମାନେ ମଧ୍ୟ ଜେଲ୍ ଯିବେ । ଏ ଦିଗରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
Comments are closed, but trackbacks and pingbacks are open.