ଲଡଡାଉନରେ ବଢ଼ୁଛି ସାଇବର ଅପରାଧ

Get real time updates directly on you device, subscribe now.

ଜୟପୁର: ଲକ୍ଡାଉନ୍ରେ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ । ମୋବାଇଲ ବ୍ୟବହାରକାରୀଙ୍କୁ ବିଭିନ୍ନ ଉପାୟରେ ଠକୁଛନ୍ତି । କେତେବେଳେ ନୂଆ ସ୍କିମ୍, ଲୋଭନୀୟ ଅଫର, ଆଇଡି ହ୍ୟାକ୍ ତ ଆଉ କେତେବେଳେ ବ୍ୟାଙ୍କ ଏବଂ ସିମ୍ ସମ୍ବନ୍ଧୀୟ ଚେତାବନୀ ଦେଇ ଲୁଟୁଛନ୍ତି । ଏବେ ଡିଟୋ ଆପ୍ ଏବଂ କୋଭିଡ୍ ଟିକାକରଣ ନାଁରେ ଲିଙ୍କ୍ ଓଟିପି ପଠାଉଛନ୍ତି । ଠକି ନେଉଛନ୍ତି ହଜାର ହଜାର ଟଙ୍କା । ଏ ସମ୍ପର୍କରେ ବର୍ଷକ ଭିତରେ ସଦର ଏବଂ ଟାଉନ ଥାନାରେ ପ୍ରାୟ ୩୦ଟି ମାମଲା ରୁଜୁ ହୋଇଛି । ହାତଗଣତି କେତୋଟି ମାମଲାରେ ଲୁଟ୍ ଟଙ୍କା ଫ୍ରିଜ୍ କରାଯାଇଛି । ଠକଙ୍କ ଜାଲରେ ନପଡ଼ି ସାବଧାନ ରହିବାକୁ ଏସଡିପିଓ ଅରୂପ ଅଭିଶେକ ବେହେରା ପରାମର୍ଶ ଦେଇଛନ୍ତି ।
କରୋନା କଟକଣା ଜାରି ରହିଥିବାରୁ ମୋବାଇଲ ବ୍ୟବହାର ବଢିବାରେ ଲାଗିଛି । ନୂଆ ନୂଆ ଗେମ୍, ଭିଡିଓ ସହ ବିଭିନ୍ନ ଆପ୍ ଡାଉନ୍ଲୋଡ୍ କରିବା ବଢିଛି । ଏଥିସହ ଯୁବପିଢିଙ୍କ ମଧ୍ୟରେ ବିଭିନ୍ନ ପର୍ଣ୍ଣ ସାଇଟ୍ ଘାଣ୍ଟିବା ଫ୍ୟାସନ୍ରେ ପରିଣତ ହୋଇଯାଇଛି । ଇଣ୍ଟରନେଟ୍ ବ୍ରାଉଜ୍ ସମୟରେ ନିୟମାବଳୀ ଭଲରେ ନପଢି ସର୍ତ୍ତରେ ରାଜି ହେବା ଅସୁବିଧା ସୃଷ୍ଟି କରୁଛି । ଆସୁଥିବା ଅବା‚ିତ ଲିଙ୍କ୍ କ୍ଲିକ୍ କଲେ ଆକାଉଣ୍ଟରୁ କଟିଯାଉଛି ହଜାର ହଜାର ଟଙ୍କା । ହ୍ୟାକ୍ରମାନେ ବିଭିନ୍ନ ପରଚୟ ଦେଇ ଫୋନ୍ କରୁଛନ୍ତି । ବ୍ୟାଙ୍କ୍ ମ୍ୟାନେଜର, ମୋବାଇଲ୍ କମ୍ପାନି କର୍ମଚାରୀ, ଟାୱାର ବସାଇବାକୁ ଅନୁରୋଧ କରି ଗୋପନୀୟ ଡାଟା ସଂଗ୍ରହ କରୁଛନ୍ତି । ବଡ଼ବଡିଆଙ୍କ ଫେସବୁକ୍, ୱାଟସଆପ୍ ଏବଂ ମେଲ୍ ଆଇଡି ହ୍ୟାକ୍ କରି ଡାକ୍ତରଖାନାରେ ଥିବାରୁ ଟଙ୍କା ଦରକାର ଥିବା ଅନୁରୋଧ କରୁଛନ୍ତି । ମେଡିକାଲ କାମ ସରିଲେ ୨୪ ଘଣ୍ଟାରେ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ବିନା ଯାଞ୍ଚରେ ପଇଠ କଲେ ଠକାମିର ଶିକାର ହେବା ନିଶ୍ଚିତ ।
ଏ ସମ୍ପର୍କରେ ଏସଡିପିଓ ଶ୍ରୀ ବେହେରା କହିଛନ୍ତି, ସାଇବର୍ ଅପରାଧୀମାନେ ସବୁବେଳେ ନୂଆ ନୂଆ ଜାଲ ବିଛାଇଥାନ୍ତି । ସାମ୍ପ୍ରତିକ ପରିସ୍ଥିତିକୁ ଧରି ଯୋଜନା ପ୍ରସ୍ତୁତ କରୁଛନ୍ତି । ମୋବାଇଲ୍ ବ୍ୟବହାରକାରୀ ଏମାନଙ୍କ ଲକ୍ଷ୍ୟରେ ରହୁଛନ୍ତି । ୨୦୧୯-୨୦ ଅପରାଧୀମାନେ ଆରମ୍ଭ କରିଥିଲେ ଟିମ୍ଭୁ୍ୟୟର ମାଧ୍ୟମରେ ଲୁଟ୍ । ଲିଙ୍କ୍ ପଠାଇ ସମସ୍ତ ଡାଟା ନେଇ ଚିଟିଂ କରୁଥିଲେ । ୨୦୨୦ରେ ଆସିଲା ଏନିଡେସ୍କ୍ । ୨୦୨୦-୨୧ରେ କୁ୍ୟଏସ୍ଆର । ଏବେ ଡିଟୋ ଆପ୍ । ଏଥିସହ କୋଭିଡ୍ ଭ୍ୟାକସିନ୍ ଡୋଜ୍ ସାଟିଫିକେଟ୍ ଲିଙ୍କ୍ ମଧ୍ୟ ବ୍ୟବହାର କରୁଛନ୍ତି । ଡିଟୋ ହେଉଛି ଏକ କ୍ଲୋନିଂ ଆପ୍ । ଏହାକୁ ବ୍ୟବହାର କରି ଅପରାଧୀମାନେ ଜଣେ ବ୍ୟକ୍ତିଙ୍କ ସମସ୍ତ ଡାଟାର କ୍ଲୋନିଂ କରିଦିଅନ୍ତି । ପରେ ଆକାଉଣ୍ଟରେ ଥିବା ଟଙ୍କା ସହ ସମ୍ପର୍କୀୟଙ୍କ ପକେଟ ଖାଲି କରିଦେଉଛନ୍ତି । ଅପରାଧୀଙ୍କ ପଞ୍ଝାରୁ ବଞ୍ଚିବା ଲାଗି କେତେକ ଗାଇଡ୍ଲାଇନ୍ ମାନିବା ଆବଶ୍ୟକ । ଇଣ୍ଟରନେଟ୍ ବ୍ୟବହାର ବେଳେ ପର୍ଣ୍ଣ ସାଇଟ୍, ଅଜଣା ଲିଙ୍କ, ଅନ୍ଲାଇନ୍ କିଣାବିକା ସମୟରେ ସାବଧାନତା ଜରୁରୀ । ମୋବାଇଲ୍ ସିମ୍ ଲକ୍, ବ୍ୟାଙ୍କ ଆକାଉଣ୍ଟ ବନ୍ଦ ଚେତାବନୀ ମିଳିଲେ ବ୍ୟାଙ୍କକୁ ଯାଇ ତଦାରଖ କରିବା ଦରକାର । ଦାମିକା ଜିନିଷ କମ୍ ଦାମରେ କିଣିବା, ସେନା କର୍ମଚାରୀ କହି ଆସବାବପତ୍ର ବିକ୍ରି, ଅନଲାଇନ୍ ପେମେଣ୍ଟ ସମୟରେ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବା ଦରକାର । ଅନଲାଇନ୍ ଠକେଇ ହେବାର ପ୍ରଥମ ଗୋଟିଏ ଘଣ୍ଟା ଅତି ଜରୁରୀ । ଏହି ସମୟ ଭିତରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ଦରକାର । ତାହେଲେ ଟଙ୍କା ନେଇଥିବା ଠକର ଆକାଉଣ୍ଟ ଫ୍ରିଜ୍ କରିହେବ । ବିଳମ୍ବ ହେଲେ ସମସ୍ୟା ବଢିଯିବ ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons