ଲଦାଖ: ଡୋକଲାମ ବିବାଦକୁ ଦୁଇବର୍ଷ ପୂରିଥିବା ବେଳେ ଚୀନ୍ ସେନା କିନ୍ତୁ ଏହାର ପୁରୁଣା ଅଭ୍ୟାସକୁ ଛାଡ଼ିପାରି ନାହିଁ । ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ପୁଣି ଭାରତୀୟ ସୀମା ଡେଇଁଛି । ସେମାନେ ଜମ୍ମୁ-କାଶ୍ମୀରର ଲଦାଖ ଅନ୍ତର୍ଗତ ପୂର୍ବ ଡେମଚୋକ ଅଞ୍ଚଳରେ ୬ କି.ମି ଭିତରକୁ ପଶିଆସିଥିଲେ । କିଛିଦିନ ପୂର୍ବେ ସ୍ଥାନୀୟ ଲୋକମାନେ ତିକ୍ରତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ପିଏଲ୍ଏ ଅନୁପ୍ରବେଶ କରିଥିଲା ।
ଡେମଚୋକର ସରପଞ୍ଚ ଉରଗେନ ଚୋଦୋନ୍ କହିଛନ୍ତି, ଚୀନ୍ର ସୈନିକମାନେ ଭାରତର ୬ କିମି ଭିତରକୁ ପଶିଆସି ସେମାନଙ୍କ ପତାକା ଉଡ଼ାଇଥିଲେ । ଏହାପରେ ସେଠାରେ ଟେଣ୍ଟ ଲଗାଇଥିଲେ । କିନ୍ତୁ ଗଲା ବେଳେ ପତାକାକୁ ସେହିଠାରେ ଛାଡ଼ି ଚାଲିଯାଇଥିଲେ । ସେମାନଙ୍କ ଏଭଳି କାର୍ଯ୍ୟ ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଥିବ ନିଶ୍ଚିତ । ତାଙ୍କ କହିବାନୁଯାୟୀ ଚୀନ୍ ସେନା ଡେମଚୋକ ଅଞ୍ଚଳରେ ପଶିବା ନିହାତି ଚିନ୍ତାଜନକ । ଚୀନ୍ ସେନା ଏଭଳି ବାରମ୍ବାର କରୁଛି । ଏଭଳି କରି ଏହା ଧୀରେ ଧୀରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ପତାକା ସେଠାରେ ଥିବାରୁ ଏହା ତା’ର ଅଞ୍ଚଳ ବୋଲି ଚୀନ୍ ମଧ୍ୟ ଦାବି କରିପାରେ । ତେଣୁ ଏହାକୁ ଭାରତ ସରକାର ଗୁରୁତ୍ୱର ସହ ନେବା ଉଚିତ ।


Comments are closed, but trackbacks and pingbacks are open.