ଲାଇନ୍ ସଂଯୋଗ ନାହିଁ, ଲୋକେ ହନ୍ତସନ୍ତ

Get real time updates directly on you device, subscribe now.

କୋରାପୁଟ: ଗୁଣପୁରରେ ଚାଲିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠୁ ବଡ ଗ୍ରୀଡ୍ ଷ୍ଟେସନ୍ କାର୍ଯ୍ୟ ତିନିମାସ ହେଲା ସରିଛି । ହେଲେ ଆଜିପର୍ଯ୍ୟନ୍ତ ଲାଇନ୍ ସଂଯୋଗ ହୋଇ ନଥିବାରୁ ଏହା ଲୋକଙ୍କ କାମରେ ଆସୁନି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏତେବଡ ପ୍ରକଳ୍ପ କାମ ସରିବା ପରେ ମଧ୍ୟ ଆରମ୍ଭ ନହେଇ ସେମିତି ପଡି ରହିଛି । ଅନ୍ୟପକ୍ଷେ ରେଲୱେକୁ ମଧ୍ୟ ଲାଇନ୍ ସଂଯୋଗ ହୋଇପାରୁନି ।
ଗୁଣପୁର ବ୍ଲକ ଓକିଲଗୁଡା ଠାରେ ପ୍ରାୟ ୧୦ ଏକର ପରିମିତ ଜମିରେ ୫୦ କୋଟି ଟଙ୍କା ବ୍ୟୟରେ ଚାଲିଥିଲା ଏହି ଗ୍ରୀଡ ଷ୍ଟେସନ୍ କାର୍ଯ୍ୟ । ଜୟପୁର ଜୟନଗର ଗ୍ରୀଡରୁ ଏଠାକୁ ୨୨୦/୩୩ କେଭି ଲାଇନ ଓ ଥେରୁବାଲିରୁ ୧୩୨/୩୩ କେଭିି ଲାଇନ୍ ଆସିଛି । ଏଠାରେ ୪ଟି ୧୫ ଏମବି ଶକ୍ତିଧାରଣ କରୁଥିବା ବଡ ଟ୍ରାନ୍ସଫର୍ମର ବସାଯାଇଛି । ଏଠାରୁ ୫ଟି ଫିଡର୍ ବାହାରି ଗୋଟିଏ ଗୁଣପୁର, ଜଲତାର ଓ ବିକ୍ରମପୁର ସବ୍ଷ୍ଟେସନ ସହ ସଂଯୋଗ ହେବ । ଆଉ ଗୋଟିଏ ଫିଡରରୁ ପାରଳାଖେମୁଣ୍ଡି ସବ୍ଷ୍ଟେସନକୁ ଲାଇନ ଯିବ । ଅନ୍ୟ ଗୋଟିଏ ଫିଡରରୁ ବିକ୍ରମପୁର, ଜଗନ୍ନାଥପୁର ହୋଇ ବଥବା ନିକଟରେ ରେଲୱେ ଲାଇନ ସହ ସଂଯୋଗ ହେବ । ଏବେ ନୌପଡା ପଟରୁ ସଂଯୋଗ ହୋଇ ଗୁଣପୁର ଯାଏଁ ଲାଇନ୍ ଆସିଛି । ସେଥିରେ ରେଳ ଚଳାଚଳ କରୁଛି । ଏହି ଲାଇନ ସଂଯୋଗ ହେଲେ ରେଲୱେ ଅଧିକ ସୁବିଧା ପାଇବ ବୋଲି କୁହାଯାଉଛି । କିନ୍ତୁ ଓକିଲଗୁଡା ଠାରୁ ବଥବା ଯାଏଁ ୮ କିମି ରାସ୍ତା ମଧ୍ୟରେ କେତେକ ସ୍ଥାନରେ ଟାୱାର ନିର୍ମାଣ ବେଳେ ଜମି ବିବାଦ ପାଇଁ ତାହା ହୋଇ ପାରୁନି । ଗୁଣପୁର ଅଞ୍ଚଳକୁ ପୂର୍ବରୁ ଜୟନଗରରୁ ଥେରୁବାଲି ଓ ଆଖୁସିଙ୍ଗ ଗ୍ରିଡ୍ ଷ୍ଟେସନ ଦେଇ ଲାଇନ ଆସିଥିଲା । ଅନ୍ୟଟି ପାରଳାଖେମୁଣ୍ଡିରୁ ଆସିଥିଲା । ଜୟନଗର, ଥେରୁବାଲି ହେଉ କି ଆଖୁସିଙ୍ଗି, ପାରଳାଖେମୁଣ୍ଡି, କାଶୀନଗର ଯେଉଠି ଯାହା ସମସ୍ୟା ହେଲେ ମଧ୍ୟ ଏହାର ପ୍ରଭାବ ଗୁଣପୁର ଅଞ୍ଚଳରେ ପଡୁଛି । ଏଣୁ ଏବେ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ଘନ ଘନ ବିଜୁଳି କାଟ୍ ହେଉଛି । ସହରରେ ଦିନରେ କିଛି ସମୟ ବ୍ୟବଧାନରେ ଦଶରୁ ପନ୍ଦର ଥର କାଟ୍ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଥରେ ଗଲେ ଆଉ ଫେରିବା ମୁସ୍କିଲ ହୋଇ ପଡୁଛି । ଅନ୍ୟପକ୍ଷେ ଲୋ-ଭୋଲଟେଜ୍ ସମସ୍ୟା ମଧ୍ୟ ରହୁଛି । ଏଣୁ ଏହି ଗ୍ରୀଡ୍ ଷ୍ଟେସନ କାର୍ଯ୍ୟକାରୀ ହୋଇ ଗୁଣପୁର ଲାଇନ୍ ସହ ସଂଯୋଗ କରାଗଲେ ଆଉ ଏହି ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି । ଏହାଦ୍ୱାରା ଗୁଣପୁର, ଜଲତାର, ବିକ୍ରମପୁର, ଗୁମୁଡା, ରାମନାଗୁଡା, ପଦ୍ମପୁର, ଡମ୍ବସରା, ଗୁଡାରୀ ଅଞ୍ଚଳର ୭୫ ହଜାର ଗ୍ରାହକ ସୁବିଧା ପାଇପାରିବେ । ଏଥିପାଇଁ କେଉଁ ରାସ୍ତାଦେଇ ସେଠାରୁ ଲାଇନ୍ ଆସିବ ଓ କେତେ କିମି ଦେଇ ଲାଇନ ଯିବ, କେଉଠାରେ ସଂଯୋଗ ହେବ ସେନେଇ ଏକ ସର୍ଭେ ମଧ୍ୟ କରାଯାଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠା ଯାଇଛି । ହେଲେ ଏଯାଏଁ ତାହା ମଞ୍ଜୁର ହୋଇ ନଥିବାରୁ ଲାଇନ୍ ସଂଯୋଗ ବିଳମ୍ବ ହେଉଥିବା ଜଣାପଡିଛି ।
ଏ ସମ୍ପର୍କରେ ସ୍ଥାନୀୟ ସାଉଥକୋ ନିର୍ବାହୀ ଯନ୍ତ୍ରୀ ପ୍ରଦୀପକୁମାର ରାଓଙ୍କୁ ପଚାରିବାରୁ ବିଭାଗୀୟ ମଞ୍ଜୁରି ମିଳିବା ପରେ ଅତିଶୀଘ୍ର ଲାଇନ ସଂଯୋଗ କାର୍ଯ୍ୟ ସରିଯିବ ବୋଲି କହିଛନ୍ତି । ସହରର ବିଦୁ୍ୟତ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ବିଭିନ୍ନ ଅଞ୍ଚଳକୁ ଭାଗ ଭାଗ କରି ୪ଟି ଫିଡର କରିଛି । ଆଗକୁ ଅଟୋ କନେକ୍ଟ ମେସିନ ସ୍ଥାପନ କରିବାକୁ ଯୋଜନା ରଖାଯାଇଥିବା ଶ୍ରୀ ରାଓ କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons