
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଦୀର୍ଘ ୧୬ ଦିନ ପରେ କରୋନା ମୃ୍ତୁ୍ୟରେ ବ୍ରେକ୍ ଲାଗିଛି । ଆଜି ରାତି ୭ଟା ସୁଦ୍ଧା ସ୍ଥାନୀୟ କୋଭିଡ୍ ହସପିଟାଲରେ କେହି ପ୍ରାଣ ହରାଇ ନାହାନ୍ତି । ଗୁରୁବାର ଅର୍ଥାତ୍ ଆସନ୍ତା ୨୦ ତାରିଖରେ କୋଭିଡ୍ ହସପିଟାଲରେ ଥିବା ବଳକା ୧୨ଟି ଆଇସିୟୁ ବେଡ୍ ଏବଂ ୧୦ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହେବ । ଏହାକୁ ମିଶାଇଲେ ଡାକ୍ତରଖାନାରେ ଥିବା ସମସ୍ତ ୩୦ ଆଇସିୟୁ ବେଡ୍ ଏବଂ ୨୦ଟି ଭେଣ୍ଟିଲେଟର ରୋଗୀ ସେବାରେ ଉପଲବ୍ଧ ହୋଇପାରିବ ବୋଲି ଅଥରାଇଜଡ୍ ମେଡିକାଲ ଅଫିସର ଡାକ୍ତର ଆଶିଷ ପାଣିଗ୍ରାହୀ କହିଛନ୍ତି । ଲଗାତାର ହେଉଥିବା ମୃତୁ୍ୟରେ ବ୍ରେକ୍ ଲାଗିଥିବାରୁ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି ।
ଗତ ମାସ ୨୪ ତାରିଖରେ ସ୍ଥାନୀୟ କୋଭିଡ୍ ହସପିଟାଲ ପୁନଃକାର୍ଯ୍ୟକ୍ଷମ ହୋଇଥିଲା । ୧୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ୨୦ଟି ସ୍ୱତନ୍ତ୍ର ଆଇସୋଲେସନ୍ କକ୍ଷ, ୩୦ ଆଇସିୟୁ ବେଡ୍, ୨୦ ଭେଣ୍ଟିଲେଟର ସହ ମନିଟର ଏବଂ ଅନ୍ୟାନ୍ୟ ଆତ୍ୟାଧୁନିକ ସାମଗ୍ରୀ ରଖାଯିବା ଲାଗି ନିଷ୍ପତ୍ତି ହୋଇଥିଲା । ପ୍ରତିଦିନ ଗୁରୁତର ରୋଗୀ ସଂଖ୍ୟା ବଢୁଥିବାରୁ ପ୍ରଥମିକ ପର୍ଯ୍ୟାୟରେ ୧୮ଟି ଆଇସିୟୁ ଏବଂ ୧୦ଟି ଭେଣ୍ଟିଲେଟର ରୋଗୀ ସେବାରେ ଲଗାଯାଇଥିଲା । ବଳକାର ଆଧୁନିକିକରଣ କାମ ଜାରି ରହିଥିଲା । ୧୯ ତାରିଖ ସୁଦ୍ଧା ସମସ୍ତ କାମ ଶେଷ ହୋଇଛି । ୨୦ ତାରିଖରୁ ଲକ୍ଷ୍ୟ ରଖାଯାଇଥିବା ସମସ୍ତ ଆଇସିୟୁ ଏବଂ ଭେଣ୍ଟିଲେଟର କାମ କରିବ । ଏଥିସହ ନିରନ୍ତର ଅମ୍ଳଜାନ ଯୋଗାଣ ଲାଗି ଡାକ୍ତରଖାନା ପରିସରରେ ୨ଟି ଅକ୍ସିଜେନ୍ କମ୍ପେ୍ରସର ମେସିନ୍ ଲାଗଯାଇଛି । ଏପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୮ଟି ଆଇସିୟୁରେ ଗୁରୁତର ରୋଗୀ ରହିଛନ୍ତି ।
ସୂଚନାଥାଉକି, ଗତ ୨ ତାରିଖରେ କୋଭିଡ୍ ହସପିଟାଲରେ ପ୍ରଥମ କରୋନା ମୃତୁ୍ୟ ହୋଇଥିଲା । ୩ ଦିନ ପରେ ପୁଣି ୫ ତାରିଖରେ ଆଉ ଜଣଙ୍କ ଜୀବନ ନେଇଥିଲା ମହାମାରୀ । ୬ ତାରିଖରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ ଏବଂ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିଲା । ୧୧ ତାରିଖରୁ ମୃତୁ୍ୟ ସଂଖ୍ୟା ବଢିଥିଲା । ୧୧ରେ ୪, ୧୨ ତାରିଖରେ ୫, ୧୩ରେ ୩, ୧୪ରେ ୪ ଜଣଙ୍କ ଦେହାନ୍ତ ହୋଇଥିଲା । ୧୫ ତାରିଖରେ ସର୍ବାଧିକ ୭ଜଣଙ୍କ ମୃତୁ୍ୟ ହୋଇଥିଲା । ୧୭ ଏବଂ ୧୮ ତାରିଖରେ ଜଣେ ଲେଖାଏଁ ରୋଗୀଙ୍କ ଜୀବନ ଯାଇଥିଲା । ଆଜି ପର୍ଯ୍ୟନ୍ତ ଡାକ୍ତରଖାନାରେ ୩୯ ଜଣଙ୍କ ମୃତୁ୍ୟ ହୋଇଛି । ଯାହା ହେଉଛି ବେସରକାରୀ ହିସାବ । ମୃତକଙ୍କ ମଧ୍ୟରେ ଅଧିକାଂଶ ରୋଗୀ ଦାମନଯୋଡି, ସୁନାବେଡ଼ା ଏବଂ ନବରଙ୍ଗପୁର ଜିଲ୍ଲା ଅଞ୍ଚଳର । ଉପରୋକ୍ତ ସଂଖ୍ୟା ଭିତରେ ଜୟପୁର ଉପଖଣ୍ଡର ୯ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି ।


Comments are closed, but trackbacks and pingbacks are open.