ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

Get real time updates directly on you device, subscribe now.

ବଣାଇଁ,(ବି.ବି.ନୁ୍ୟଜ୍): ଦୁଇ ମାସ ହେଲା କାର୍ଯ୍ୟରେ ଯୋଗ ଦେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବଡ଼ଗୋଗୁଆ ଗ୍ରାମପଞ୍ଚତର ଗାୟତ୍ରୀ ଜୟପୁରିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଗତ ଦୁଇ ମାସ ହେବ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେହି ପଞ୍ଚାୟତର ଜଣେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜତିନ ମିଶ୍ର ଗତ ଜୁଲାଇ ୨୦୧୯ ମସିହାରେ ଅବସର ନେଇଥିଲେ ମଧ୍ୟ ତାଙ୍କର ପେନସନ କାଗଜପତ୍ର ଅଦ୍ୟାବଧି ହୋଇପାରୁନଥିଲା । ଏଥିପାଇଁ ଶ୍ରୀମିଶ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାଗଜପତ୍ର ଠିକ୍ଠାକ କରି ବ୍ଲକ କାର୍ଯ୍ୟାଳୟକୁ ରିପୋର୍ଟ ପଠାଇବା ପାଇଁ କହିବାରୁ ସେ ତାଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ମାତ୍ର ସେ ଏହି ଟଙ୍କା ଦେବାକୁ ଅସମର୍ଥ ହେବାରୁ ଶ୍ରୀମତୀ ଜୟପୁରିୟା ତାଙ୍କ ଉପରେ ଟଙ୍କା ଦେବା ପାଇଁ ଚାପ ପକାଇ ଆସୁଥିଲେ । ଶେଷରେ ଶ୍ରୀମିଶ୍ର ଏ ବିଷୟରେ ରାଉରକେଲା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ ବିଭାଗର ଯୋଜନା ମୁତାମକ ଆଜି ଦିନ ୧୨ଟା ସମୟରେ ଶ୍ରୀମିଶ୍ରଙ୍କ ପୁଅ ନିତିଶ ମିଶ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଟଙ୍କା ଦେବା ପାଇଁ ବଣାଇଁଗଡ଼ ସହରରେ ଥିବା ଆଇସିଆଇସିଆଇ ଏଟିଏମ୍ ସମ୍ମୁଖକୁ ଡାକିଥିଲେ । ଏହା ପୂର୍ବରୁ ଭିଜିଲାନ୍ସ ଟିମ୍ ଶ୍ରୀମିଶ୍ରଙ୍କୁ ୬ ହଜାର ରଙ୍ଗବୋଳା ଟଙ୍କା ଦେଇଥିଲେ । ସେ ଏଟିଏମରୁ ଟଙ୍କା ଉଠାଇବା ବାହାନା କରି ଭିତରକୁ ଯାଇ ଏହି ରଙ୍ଗବୋଳା ଟଙ୍କାକୁ ଏଟିଏମ ବାହାରକୁ ଆସି ସେଠାରେ ଛିଡ଼ା ହୋଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦେଇଥିଲେ । ସେଠାରେ ଲୁଚି ରହିଥିବା ରାଉରକେଲା ଭିଜିଲାନ୍ସ ବିଭାଗ ବଣାଇଁ ପୁଲିସ୍ ସହାୟତାରେ ଲାଞ୍ଚ ଟଙ୍କା ନେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାବୁ କରିଥିଲେ । ପ୍ରଥମେ ସେ ଟଙ୍କା ନେଇଥିବା ବିଷୟରେ ନା ନା ଆଳ ଦେଖାଇଥିବା ବେଳେ ପରେ ସେ ଟଙ୍କା ଗାଡ଼ି ଭଡ଼ା ପାଇଁ ମାଗିଥିବା କହିଥିଲେ । ତାଙ୍କର କଥାରେ ତାଳମେଳ ରହୁନଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଏହାପରେ ନିର୍ବାହୀ ଅଧିକାରୀଙ୍କ ବଡ଼ଗୋଗୁଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ଦାୟିତ୍ୱରେ ଥିବା କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତଥା ତାଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ରାଉରକେଲା ଭିଜିଲାନ୍ସ ଡିଏସ୍ପି ବିରେନ୍ଦ୍ର କୁମାର ନାୟକ, ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଦାଂଶୁ ଶେଖର ପୂଜାରୀ, ବଣାଇଁ ଥାନା ଓ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons