ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ କିରାଣୀ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଫିସରେ । ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଗଲପୁର ତହସିଲ ମୁଖ୍ୟ କିରାଣୀ ବିକାଶ ଭୋଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମୁଖ୍ୟ କିରାଣୀଙ୍କ ସହ ତହସିଲ ଅଫିସର ସିନିୟର ରେଭୁ୍ୟନୁ ଆସିଷ୍ଟାଣ୍ଟ ଚନ୍ଦ୍ର ଶେଖର ପାତ୍ର ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଦୀର୍ଘ ୬ ମାସ ହେଲା ଜମି ପଟ୍ଟା କରେଇ ଦେବା ପାଇଁ ସନ୍ତୋଷ ନାଗଙ୍କୁ ହଇରାଣ କରୁଥିଲେ ମୁଖ୍ୟ କିରାଣୀ ବିକାଶ ଭୋଇ । ଏଥିପାଇଁ କିରାଣୀ ଜଣକ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେଣୁ ଏ ସଂପର୍କରେ ସନ୍ତୋଷ ଭିିଭିଲାନ୍ସ ବିଭାଗକୁ ଖବର ଦେଇଥିଲେ । ଆଜି (ଶୁକ୍ରବାର ) ପୂର୍ବ ଯୋଜନା ମୁତାବକ ସନ୍ତୋଷ ୬ହଜାର ଟଙ୍କା ମୁଖ୍ୟ କିରାଣୀ ବିକାଶ ଭୋଇଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ବିକାଶ ଏହି ଟଙ୍କା ।ନ ନେଇ ଏହାକୁ ସିନିଅର ରେଭୁ୍ୟନୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେବାକୁ କହିଥିଲେ । ଚନ୍ଦ୍ରଶେଖର ଟଙ୍କା ଗ୍ରହଣ କରିବା ସମୟରେ ଉଭୟଙ୍କୁ କାବୁ କରିଥିଲା ଭିଜିଲାନ୍ସ ବିଭାଗ । ଦୁଇ ଜଣଙ୍କୁ ଗିରଫ କରି ଭିଜିଲାନ୍ସ ବିଭାଗ କୋର୍ଟ ଚାଲାଣ କରିଛି । ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ତହସିଲ ମୁଖ୍ୟ କିରାଣୀ ବିକାଶ ଭୋଇ । ସେପଟେ ଗିରଫ ହୋଇଥିବା ଦୁଇ ଜଣଙ୍କ ଘରକୁ ଚଢ଼ାଉ କରିଛି ଭିଜିଲାନ୍ସର ମିଳିତ ଟିମ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons