ନୂଆ ଦିଲ୍ଲୀ: ୭୩ତମ ସ୍ବାଧୀନତା ଦିବସ ଅବସରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ପ୍ରଣାମ କରିଛନ୍ତି। ମୋଦି ତାଙ୍କ ୯୨ ମିନଟ୍ର ଦୀର୍ଘ ଭାଷଣରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ଜାମ୍ମୁ କାଶ୍ମୀରର ପୁନର୍ଗଠନ ପଛରେ ରହିଥିବା ଉଦେଶ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ଧାରା ଉଚ୍ଛେଦ ପଛର ମୁଖ୍ୟ କାରଣ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ କୁହାଯାଉଥିବା ଗୋଟିଏ ଭୂଖଣ୍ଡର ସମାନବିକାଶ। ଆମ ସରକାରର ୭୦ ଦିନ ଭିତରେ ୩୭୦ ଧାରା ଉଚ୍ଛେଦ କରିବାରେ ଆମେ ସକ୍ଷମ ହେଇଛୁ ବୋଲି ମୋଦି କହିଛନ୍ତି।
ଏହି ପଦକ୍ଷେପକୁ ବିରୋଧ କରାଯାଉଛି। ତେବେ ବିରୋଧ କରୁଥିବା ଲୋକଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ଏହି ଧାରା ଜାମ୍ମୁ କାଶ୍ମୀର ପାଇଁ ଏତେ ଗୁରୁତ୍ବପୂର୍ଣ୍ଣ ଥିଲା ତାହେଲେ ଅତିତରେ ବିରୋଧକାରୀମାନେ ଯେତେବେଳେ ପୂର୍ଣ୍ଣସଂଖ୍ୟା ଗରିଷ୍ଠତାର ସହ ସରକାର ଚଳାଉଥିଲେ ସେତେବେଳେ ଅସ୍ଥାୟୀ ଏହି ଧାରାକୁ କାହିଁକି ସ୍ଥାୟୀ କରିନଥିଲେ।
ତାଙ୍କ ସରକାର ସମସ୍ୟାର ସମାଧାନ ଦିଗରେ କାମ କରୁଛି। ସମସ୍ୟା ତିଆରି କରିବା ସରକାରଙ୍କ ଉଦେଶ୍ୟ ନୁହେଁ। ତେବେ ନା ସମସ୍ୟାକୁ ଆମେ ନଜରଆନ୍ଦଜ କରିଛୁ ନା ସମସ୍ୟାକୁ ବଢାଇଛୁ ବୋଲି ସେ କହିଥିଲେ। ଯେଉଁ କଥା ଗତ ୭୦ ବର୍ଷ ମଧ୍ୟରେ ସମ୍ଭବ ହୋଇନଥିଲା ତାଙ୍କ ସରକାର ତାହା କରିବାରେ ସକ୍ଷମ ହୋଇଛି। କୃଷକମାନଙ୍କ ପାଇଁ ପେନସନ ଯୋଜନାଠୁ ଆରମ୍ଭ କରି ଶିଶୁଙ୍କ ଉପରେ ହେଉଥିବା ଯୌନଯାତନା ରୋକିବା ପାଇଁ ନୂଆ ଆଇନ ପ୍ରଣୟନ ପର୍ୟନ୍ତ ବିଭିନ୍ନ ପଦକ୍ଷେପ ନିଆଯାଇଛି।
Comments are closed, but trackbacks and pingbacks are open.