କୋରାପୁଟ: ଆଉ ଦିନକ ପରେ ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ ପାଳନ କରିବେ ସଧବା । ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ବିଭିନ୍ନ ସାମଗ୍ରୀ ଦୋକାନ ବନ୍ଦ ଥିବାରୁ ଚିନ୍ତାରେ ଥିଲେ ମହିଳାମାନେ । କିନ୍ତୁ ଆଜି ସେସବୁ ସମସ୍ୟା ଦୂର ହୋଇଯାଇଥିଲା । କାରଣ ଲୁଗାଠାରୁ ଆରମ୍ଭ କରି ଷ୍ଟେସନାରୀ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିଥିଲା ଟିକିଏ ଭିନ୍ନ ଢଙ୍ଗରେ । କିନ୍ତୁ ଫଳ ଦର ଥିଲା ଅତ୍ୟନ୍ତ ଚଢା । ବ୍ୟବସାୟୀଙ୍କ କଥା ଶୁଣି ସତ୍ୟବାନଙ୍କ ହୋସ୍ ଉଡ଼ି ଯାଇଥିଲା । ତଥାପି ଫଳ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ବିଭିନ୍ନ ଦୋକାନ ଆଗରେ ପରବଳ ଭିଡ ଲାଗି ରହିଥିଲା । ଲାଗୁଥିଲା ସତେ ଯେମିତି କରୋନା କଟକଣା ହଟିଯାଇଥିଲା ।
ଗତବର୍ଷର ଦରଠାରୁ ଏଥର ଫଳଦର ରହିଛି ଢେର୍ ଅଧିକ । ବିଶେଷ କରି ସେଓ, କମଳା, ଅଙ୍ଗୁର ଏବଂ ଲିଚୁ ଦେହରେ ହାତ ମାରି ହେଉନି । ଗତବର୍ଷଠାରୁ ଏସବୁ ଫଳ କେଜି ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବଢିଛି । ସେଓ କେଜି ଗତବର୍ଷ ସାବିତ୍ରୀ ସମୟରେ ୨ଶହ ଟଙ୍କା ରହିଥିବା ବେଳେ ଏବର୍ଷ ୩ଶହରୁ ୩୫୦ ଟଙ୍କା ରହିଛି । କମଳା କେଜି ୧୬୦, ଡାଳିମ୍ବ ୨ ଶହ, ଅଙ୍ଗୁର ୧୬୦, ସପୁରୀ ଗୋଟା ୫୦, ତାଳ ଗୋଟା ୨୦ ଟଙ୍କା, ଲିଚୁ କେଜି ୨ଶହ, ନଡ଼ିଆ ଗୋଟା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଛି । କେବଳ ଆମ୍ବ ଏଥର ୩୦ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହୋଇଛି । ଏଭଳି ଦର ଆଗରୁ କେବେ ନଥିଲା । ସବୁ ବର୍ଷର ଦରକୁ ଟପିଲା ବୋଲି ବଟକୃଷ୍ଣ ପ୍ରଧାନ, ଅମରନାଥ ସାମନ୍ତରାୟ, ସବିତା ମାନସିଂ ପ୍ରମୁଖ ଖାଉଟି କହିଛନ୍ତି । ଫଳ ଦର ବୃଦ୍ଧିକୁ ନେଇ କୋରାପୁଟର ପ୍ରମୁଖ ବ୍ୟବସାୟୀ ରାଜୁ ଗୁପ୍ତା କହିଛନ୍ତି, ଏଥର ବିଭିନ୍ନ ଫଳ ଉତ୍ପାଦନ କମିଛି । ତେଣୁ ବଜାର ଆବଶ୍ୟକତାକୁ ପୂରଣ କଲା ଭଳି ଆସିନି । କରୋନା କଟକଣା ଥିବାରୁ ବାହାର ରାଜ୍ୟରୁ ଫଳ ସେତେଟା ଆସିପାରିନି । ତେଣୁ ଯାହା ଆସୁଛି ସବୁ ଚଢା ଦର ରହୁଛି ।
କୋରାପୁଟ ମୁଖ୍ୟ ବଜାରର ଜଣେ ଲୁଗା ବ୍ୟବସାୟୀ କହିଛନ୍ତି, ଗତବର୍ଷଠାରୁ ଏବର୍ଷ କୋଭିଡ୍ କଟକଣା କଠୋର ହୋଇଛି । ଗତବର୍ଷ ଦୋକାନରେ ଯାହା ଯେମିତି ବେପାର ହୋଇଥିଲା । ଏଥର ବେପାର ପୂରା ମାନ୍ଦା । ସାଧାରତଃ ସାବିତ୍ରୀ ଓ ରଜ ଉତ୍ସବ ଲୁଗା ଦୋକାନୀଙ୍କ ପାଇଁ ବର୍ଷକର ବଡ଼ ଆୟ ସମୟ । ଏଭଳି ସମୟରେ କୋଭିଡ଼ କଟକଣା ମାନି ବ୍ୟବସାୟୀଙ୍କୁ ବେପାର ପାଇଁ ସୁଯୋଗ ଦିଆଯିବା କଥା । କିନ୍ତୁ ସେଭଳି ସୁବିଧା ନଥିବାରୁ ବାଧ୍ୟହୋଇ ଅନ୍ୟ ରାସ୍ତା ଆପଣାଇବାକୁ ପଡ଼ିଛି । ଦୋକାନ ଆଗରେ ତାଲା ପକାଇ ପଛ ଖୋଲା ରଖିବାକୁ ପଡୁଛି । ଯେତିକି ବେପାର ହେଲା । ଜାଣିବା ଲୋକ ଫୋନ ନମ୍ବର ସଂଗ୍ରହ କରି ଭିଡ଼ିଓ କଲ୍ କରୁଛନ୍ତି । ଭିଡିଓ କଲରେ ଶାଢୀ ଚୟନ କରି ନେଉଛନ୍ତି । ଯାହା ହେଲେ ବି ସେତେଟା ବେପାର ନାହିଁ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ


Comments are closed, but trackbacks and pingbacks are open.