ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲୁଟେରାଙ୍କ ଆକ୍ରମଣର ଶିକାର ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କ ନାଁ ଲଳିତା ଗୁରୁ (୬୮) । ଘର ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ । ପୁଲିସ୍ ମୃତଦେହ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏଥିରୁ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ସ୍ପଷ୍ଟ ହୋଇଛି । ସୂଚନା ମୁତାବକ, ଗତ ମେ ୩୦ ସନ୍ଧ୍ୟାରେ ସତ୍ୟବିହାର ପ୍ଲଟ୍ ନମ୍ବର ୧୬୩୨(୫ଏ)ରେ ରହୁଥିବା ଲଳିତା ଘର ଗେଟ୍ ପାଖରେ ଠିଆ ହୋଇ ଟ୍ୟୁସନ୍ ଯାଇଥିବା ନାତୁଣିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ବାଇକ୍ରେ ଆସି ତାଙ୍କ ପାଖରେ ପହଞ୍ଚିଲେ । ତାଙ୍କୁ ମାଡ଼ ମାରି ବେକରୁ ସୁନା ଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ । ହେଲେ ସଫଳ ହୋଇନଥିଲେ । ରାଗରେ ତାଙ୍କୁ ଧକ୍କା ମାରି ଚାଲି ଯାଇଥିଲେ । ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା । ପରିବାର ଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ମେ’ ୩୧ରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାକୁ ମଞ୍ଚେଶ୍ୱର ଥାନା ପୁଲିସ୍ ପ୍ରଥମେ ଚାପି ଦେବାକୁ ବସିଥିଲା । କିନ୍ତୁ ଘଟଣା ପଦାକୁ ଆସିବା ପରେ ମଞ୍ଚେଶ୍ୱର ଥାନା ଆଇଆଇସି ଯତୀନ୍ଦ୍ରନାଥ ସେଠୀ କହିଛନ୍ତି, ଲୁଟେରାଙ୍କ ମାଡ଼ରେ ଲଳିତାଙ୍କ ନାକ ଫାଟିଥିଲା । ସେ ଚିକିତ୍ସା ହୋଇ ଭଲରେ ଥିଲେ । ଏବେ ସେ ଅନ୍ୟ କେଉଁ ରୋଗ ପାଇଁ ମରିଥିବେ । ସେପଟେ ଲଳିତାଙ୍କ ପରିବାର ଲୁଟେରାଙ୍କ ଆକ୍ରମଣରେ ଲଳିତାଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.