ନୂଆଦିଲ୍ଲୀ : ସଂସଦରେ କ୍ରମାଗତ ହେଉଥିବା ହଟ୍ଟଗୋଳ ପରେ ଲୋକସଭାରେ କଡା କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି। ବାଚସ୍ପତି ଓମ ବିର୍ଲାଙ୍କ ଦ୍ଵାରା କଂଗ୍ରେସର ୭ ଜଣ ସାଂସଦଙ୍କୁ ଗୁରୁବାର ଲୋକସଭାରୁ ନିଲମ୍ଵନ କରାଯାଇଛି। ଯେଉଁ ସାଂସଦଙ୍କୁ ନିଲମ୍ବନ କରାଯାଇଛି, ସେମାନେ ବାଚସ୍ପତିଙ୍କ ଚୌକି ନିକଟକୁ ଆସି ନାରାବାଜି କରୁଥିଲେ ଏବଂ ପୋଷ୍ଟର ଦେଖାଉଥିଲେ।
କେଉଁ ସାଂସଦଙ୍କ କରାଗଲା ନିଲମ୍ବିତ
କଂଗ୍ରେସର ଯେଉଁ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ମଧ୍ୟରେ ଗୌରବ ଗୋଗୋଇ, ଟିଏନ ପ୍ରଥପନ, ଡିନ କୁରିକୋସ୍, ଆର ଉନ୍ନିଥନ, ମନିକମ ଟାଗୋର, ବେନି ବହନ ଓ ଗୁରଜିତ ସିଂହ ଔଜଲାଙ୍କ ନାମ ସାମିଲ।ଗୁରୁବାର ସକାଳେ ପୀଠାସୀନ ବାଚସ୍ପତି ଭର୍ତ୍ତୁହରି ମହତାବ ନିୟମିତ ବାଚସ୍ପତି ଓମ ବିର୍ଲାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଗତ ତିନି ଦିନରେ ଯେଉଁ ପରି ଗୃହକାର୍ୟ୍ୟ ବାଧିତ ହୋଇଛି, ସେଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା ଦୁଃଖି ଅଛନ୍ତି ଏବଂ ପୂରା ଦେଶ ମଧ୍ୟ ଏଥିରେ ମର୍ମାହତ।
ମହତାବ କହିଥିଲେ ଯେ, ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ରହିଛି, କରୋନା ଭୂତାଣୁ କାରଣରୁ ଉତ୍ପନ ସ୍ଥିତି ପ୍ରସଙ୍ଗ ରହିଛି ଏହା ଉପରେ ଗୃହରେ ଆଲୋଚନା କରାଯାଉ। ମାତ୍ର ଯେଉଁଭଳି ଗୃହକାର୍ୟ୍ୟକୁ ବାଧିତ କରାଯାଉଛି ସେଥିରେ କାହାରି ଫାଇଦା ହେବାର ନାହିଁ। ଅନ୍ୟପଟେ ସଂସଦୀୟ କାର୍ୟ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ, ତିନି ଚତୁର୍ଥାଂଶ ସଦସ୍ୟ ଚାହୁଁଛନ୍ତି ଯେ, ଗୃହ ସୂଚାରୁ ରୂପେ ଚାଲୁ, ମାତ୍ର କିଛି ସାଂସଦ ଏହା କରାଇ ଦେଉ ନାହାନ୍ତି।
Comments are closed, but trackbacks and pingbacks are open.