ଲୋକସଭାରେ ଓଡ଼ିଶା ସାଂସଦମାନଙ୍କ ଦାବି:ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦିଅ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ନେଇ ଲୋକସଭାରେ ବିଜେଡି, ବିଜେପି ଓ କଂଗ୍ରେସ ସାଂସଦମାନେ ଦୃଢ଼ ଦାବି କରିଛନ୍ତି । ରାଜ୍ୟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନେ ରେଳ ମନ୍ତ୍ରୀ ପିୟୁଷ ଗୋୟେଲଙ୍କୁ କହିଛନ୍ତି । ରେଳ ବିଭାଗର ୨୦୧୯-୨୦ ଖର୍ଚ୍ଚ ଅନୁଦାନ ନେଇ ଲୋକସଭାରେ ହୋଇଥିବା ଆଲୋଚନାରେ ସେମାନେ ଭାଗ ନେଇ ଏହା ଉଲ୍ଲେଖ କରିଛନ୍ତି ।
ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ରେଳ ବିଭାଗ ପ୍ରତିବର୍ଷ ଓଡ଼ିଶାରୁ ୨୦ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆଦାୟ କରୁଛି । ସେହି ତୁଳନାରେ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ଘଟୁନାହିଁ । ସମଗ୍ର ଦେଶରେ ପ୍ରତି ହଜାର କିଲୋମିଟର ପିଛା ହାରାହାରି ୨୦ କିଲୋମିଟର ରେଳପଥ ଥିବାବେଳେ ଓଡ଼ିଶାରେ ମାତ୍ର ଏହା ୧୫ କିଲୋମିଟର ରହିଛି । ଓଡ଼ିଶାର ନିକଟବର୍ତ୍ତୀ ରାଜ୍ୟ ପଶ୍ଚିମଙ୍ଗ ଓ ବିହାର ରେଳ ଭିତ୍ତିଭୂମି ବିକାଶରେ ଓଡ଼ିଶାଠାରୁ ଆଗରେ ଅଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସହ ସହଯୋଗ କରି ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି ।
ସେ କହିଥିଲେ, ଓଡ଼ିଶା ସରକାର ପୁରୀ-କୋଣାର୍କ, କନ୍ଧମାଳ ଦେଇ ବ୍ରହ୍ମପୁର-ସମ୍ବଲପୁର, ବରଗଡ଼-ନୂଆପଡ଼ା, ଯାଜପୁର-ଧାମରା, ବାଙ୍ଗିରିପୋଷି-ଗୋରୁମହିଷାଣୀ ଏବଂ ବୁଢ଼ାମରା-ଚକୁଳିଆ ଆଦି ରେଳପଥ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥଲେ । ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ମଞ୍ଜୁର କରିବା ପାଇଁ ଶ୍ରୀ ସାହୁ ଦାବି କରିଥିଲେ । ସେ ମଧ୍ୟ ବ୍ରହ୍ମପୁରଠାରୁ ଅହମ୍ମଦାବାଦ ଏବଂ ସୁରତ, ଭୁବନେଶ୍ୱରରୁ ବ୍ରହ୍ମପୁର ଓ ବଲାଙ୍ଗିର ଦେଇ ସମ୍ବଲପୁର ପର୍ଯ୍ୟନ୍ତ ନୂଆ ଟ୍ରେନ ଚଳାଇବା ପାଇଁ ଦାବି କରିଥିଲେ । ସମୁଦାୟ ୮ଟି ନୂଆ ଟ୍ରେନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏହାଛଡ଼ା ହୀରାକୁଣ୍ଡ ଏବଂ ଆଉ କେତେକ ଟ୍ରେନର ଯାତାୟାତ ଦିନ ସଂଖ୍ୟା ବଢ଼ାଇବା ପାଇଁ ସେ ଉଲ୍ଲେଖ କରିଥିଲେ ।
ବିଜେପି ସାଂସଦ ସଙ୍ଗିତା ସିଂହଦେଓ ତାଙ୍କ ଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଉପରେ ଗୁରୁତ୍ୱ ଦେଉଛନ୍ତି । ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଏପର୍ଯ୍ୟନ୍ତ ରାଜ୍ୟକୁ ୨୦,୨୧୩ କୋଟି ଟଙ୍କା ରାଜ୍ୟରେ ରେଳ ବିକାଶ ପାଇଁ ପ୍ରଦାନ କରିଛନ୍ତି । ଅପରପକ୍ଷେ ୟୁପିଏ ସରକାର ତାଙ୍କ କାର୍ଯ୍ୟକାଳ ସମୟରେ ୪,୧୯୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଥର ପୂର୍ବତଟ ରେଳବାଇକୁ ୭୦୧୦ କୋଟି ଟଙ୍କା ଦିଆଯାଇଛି । ସେ କହିଥିଲେ ଯେ ବଲାଙ୍ଗିରରେ କୌଣସି ଉଦ୍ୟୋଗ ନାହିଁ । ଏଠାରେ ଏକ ମେମୁ ମରାମତି କାରଖାନା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଏହାଛଡ଼ା ପାଟଣାଗଡ଼ ମଧ୍ୟ ବଲାଙ୍ଗିର-ନୂଆପଡ଼ା ରେଳପଥ ପାଇଁ ଅର୍ଥ ମଞ୍ଜୁର କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସିଂହଦେଓ କହିଥିଲେ ଯେ ଏହି ରେଳପଥ ସକାଶେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରଦାନ କରାଯାଇଛି ।
ବଜେଟ୍ ଭାଷଣ ଆଲୋଚନାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ମଧ୍ୟ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ନେଇ ସେମାନଙ୍କ ଲିଖିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଉଲ୍ଲାକା କୋରାପୁଟ ଓ ସ୍ଥାନୀୟ ଅଂଚଳ ରେଳ ଯୋଗାଯୋଗ ନେଇ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons